ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା, ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ୧୦ଦିନ ଯାଏଁ ଚାଲିବ ଏହି ମେଳା

ଭୁବନେଶ୍ବର :  ଆରମ୍ଭ ହେଲା ଆଦିବାସୀ ମେଳା- ୨୦୨୨ ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ। ୟୁନିଟ୍-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି ଝଲସୁଥିବା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟାଜିତ ଏହି ଆଦିବାସୀ ମେଳା  ଆଜିଠୁ ଅର୍ଥାତ ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମଇ ୨ ତାରିଖ ପର୍ଯ୍ୟନ୍ତ ଦିର୍ଘ ୧୦ ଦିନ ଧରି ଚାଲିବ ।

ଚଳିତ ବର୍ଷ ଏହି ମେଳା କଟକଣା ମଧ୍ୟରେ ଅନୁଷ୍ଠିତ ଦେଉଛି । ଆଦିବାସୀ ମେଳାର ଅନ୍ୟତମ ଆକର୍ଷଣ ଆଦିବାସୀ ଗାଁ ଚଳିତ ବର୍ଷ ପ୍ରତିଷ୍ଠା ହୋଇନାହିଁ । ଚଳିତ ବର୍ଷ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଯେଉଁଥିରେ ଆଦିବାସୀ ମେଳା ପାଇଁ ୧୦୩ ଷ୍ଟଲ ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନି ପାଇଁ ୮୪ ଷ୍ଟଲ ଲାଗିଛି। ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା କରାଯାଇଛି ।ଓଡିଶା ସମେତ ୧୮ ଟି ରାଜ୍ୟର ଆଦିବାସୀ ଆଦିବାସୀ କାରିଗରମାନେ ସେମାନଙ୍କର କଳା ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି  ମେଳାର ପ୍ରତ୍ୟେକ ସନ୍ଧ୍ୟା ୬.୩୦ରୁ ମାତ୍ର ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ , ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ପ୍ରାୟ ୮ରୁ ୧୦ ଲକ୍ଷ ଦର୍ଶକ ଆସିଥାଆନ୍ତି । ଏହି ମେଳାରେ ୫ ରୁ ୬ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଛି । ଭୁବନେଶ୍ବର ଓ ଏହାର ଆଖପାଖ ଅଧିବାସୀମାନେ ତଥା ଭାରତର ବିଭିନ୍ନ ଅଂଚଳରୁ ବହୁସଂଖ୍ୟାରେ ଆସିଥାନ୍ତି ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବର୍ଷକ ପାଇଁ ହଳଦୀ , ମାଣ୍ଡିଆ , ମୁଗ , ବିରି , ମକା , ବାସନା ଚାଉଳ , ମହୁ , ଝୁଣା , ଝାଡ଼ୁ , ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲ ଜାତ ଦ୍ରବ୍ୟ ଏହି ମେଳାରୁ କ୍ରୟ କରିଥାନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟପାକ ପୁଲିସ୍ ମୁତାୟନ କରାଯିବା ସହିତ ବେସରକାରୀ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜନ କରାଯାଇଅଛି ।

ମେଳା ପରିସରର ବିଭିନ୍ନ କୋଣରେ ଏକାଧିକ କୋଜ୍ ସର୍କିଟ୍‌ କ୍ୟାମେରା ଲଗାଯାଇଅଛି ଏବଂ ଏହାର ମନିଟର ପୋଲିସ୍‌ କଂଟ୍ରୋଲ ରୁମ୍ ଓ ମୁଖ୍ୟ କଂଟ୍ରୋଲ ରୁମ୍‌ରେ ରହିଅଛି । କରୋନା ସତର୍କତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ବାର୍ତା ଲଗାଯାଇଛି ତଥା ସାନିଟାଇଜର ଏବଂ ମାସ୍କ ବ୍ୟବହାର ପାଇଁ ପ୍ରବର୍ତାଯାଉଛି । ନିରାପତା ଦୃଷ୍ଟିକୋଣରୁ ମୁଖ୍ୟ କଂଟ୍ରୋଲ ରୁମ୍ , ଆଶୁ ଚିକିତ୍ସା କେନ୍ଦ୍ର , ଅସ୍ଥାୟୀ ଦମ ଜଳ କେନ୍ଦ୍ର , ଅସ୍ଥାୟୀ ଜନସ୍ବାସ୍ଥ୍ୟ ଓ ବିଦ୍ୟୁତ୍ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଖୋଲାଯାଇଅଛି । ଆବଶ୍ୟକ ପରିମାଣରେ ଅଗ୍ନିନିର୍ବାପକ ଯନ୍ତ୍ର ପ୍ରତ୍ୟେକ ପ୍ରଭାଗରେ ମହଜୁଦ ରଖାଯାଇଛି । ପ୍ରତ୍ୟେକ ବର୍ଷ ଭଳି ଦର୍ଶକ ମାନେ ଏହି ମେଳାରୁ ଜିନିଷପତ୍ର କିଣାକିଣି କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେବାପାଇଁ ସମସ୍ତ ସୁବନ୍ଦୋବସ୍ତ ବିଭାଗ ଦ୍ବାରା କରାଯାଇଛି ।

Leave A Reply

Your email address will not be published.