ସର୍ବଦଳୀୟ ବୈଠକ ଡାକି ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର:  ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି  । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ନବୀନ ଏଥିରେ ରାଜି ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା କହିଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ।

ନବୀନ ନିବାସରୁ ବାହରକୁ ବାହାରି ବାହାରେ ଧାରଣା ଦେଉଥିବା ବିଜେପି ନେତାଙ୍କୁ ଭିତରକୁ ଡାକି ଆଲୋଚନା କରିଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଣ୍ଡିରୁ ଧାନ ଉଠିବା ନେଇ ଦେଖାଦେଇଥିବା ଅସୁବିଧାର ଆଲୋନଚା ପାଇଁ ଦିନେ ଦୁଇ ଦିନ ଭିତରେ ସର୍ବଦଳୀୟ ବୈଠକ ଡାକିବେ । ଏନେଇ ବିଜେପି ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଷ୍ଣୁ ସେଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭା ଛଅ ଦିନ ହେବ ଠପ୍ ହୋଇଛି । ପ୍ରତିବାଦରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ କରାଇ ଆଲୋଚନା କରିବା ପାଇଁ ବିଜେପି ବିଧାୟକଙ୍କ ଟିମ୍ ନବୀନ ନିବାସ ଯାଇଥିଲା । ସେଠାରେ ସେମାନେ ଧାରଣ ଦେଇଥିଲେ । ସେମାନଙ୍କୁ ଭିତରକୁ ଡାକି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ସେ କହିଛନ୍ତି, ବିଜେପି ବିଧାୟକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଧାନ ସଂଗ୍ରହ ଚାଲିଛି ଓ ଆଗକୁ ଗୃହ ସ୍ୱାଭାବିକ ହେବ ବୋଲି ସେ ଆଶା ରଖିଛନ୍ତି ।

Leave a comment