ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲେଶ୍ବର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି : ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା

ଭୁବନେଶ୍ବର : ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟ ରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ଯାୟ ଉଚ୍ଚ ସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫T)  ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ସକାଳେ ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି “ବାଲେଶ୍ଵର ହେଉଛି ଓଡିଶାର ଅନ୍ଯତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵର ବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ପ୍ରକଳ୍ପ ଗୁଡିକ ଘୋଷଣା କରିଥିଲେ ।

୧. ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ।

୨. ତୁମୂଳିଆ ଗେଟ ଫ୍ଲାଏଓଭରଠାରୁ ଷ୍ଟେସନ୍‌ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ । ଏହା ସହିତ ଏ ରାସ୍ତାରେ ଆଧୁନିକ ଷ୍ଟ୍ରିଟ ଲାଇଟିଂର ବ୍ୟବସ୍ତା ମଧ୍ୟ କରାଯିବ । ବାଲେଶ୍ଵର ପୌରପାଳିକାର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ଏହା ସହରରେ ଟ୍ରାଫିକ ସମସ୍ୟା ଦୂର କରିବାରେ ସହାୟକ ହେବ

୩. ବାଲେଶ୍ଵରର କ୍ରୀଡାବିତମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ପୌରପାଳିକା ୧୪ କୋଟି ଟଙ୍କା ବ୍ୟୟରେ ଇଣ୍ଡୋର ହଲ, ସନ୍ତରଣାଗାର ଆଦି ଉନ୍ନତ କ୍ରୀଡା ଭିତ୍ତିଭୂମି ର ବିକାଶ କରାଯିବ । ଏହାସହିତ କ୍ରୀଡାବିତ ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ ବ୍ୟବସ୍ଥା କରାଯିବ ।

୪. ବୁଢାବଳଙ୍ଗ ନଦୀ ବାଲେଶ୍ଵର ପୌରପାଳିକା ଅଞ୍ଚଳର ଜୀବନରେଖା। ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ଵର ସହରବାସିଙ୍କ ପାଇଁ ଅବସର ବିନୋଦନ ନିମନ୍ତେ  ବୁଢାବଳଙ୍ଗ ନଦୀକୁଳ ର ଆବଶ୍ୟକ ବିକାଶ କରାଯିବ ।

୫. ବାଲେଶ୍ଵର  ପୌରପାଳିକା ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡିକ ଯଥା ଗଡଗଡିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକ ମାନଙ୍କ ନିମନ୍ତେ ଓପନ ସ୍ପେସ ସୃଷ୍ଟି କରିବ।

୬. ବାଲେଶ୍ଵର ପୌରପାଳିକା ଅଞ୍ଚଳର ଡ୍ରେନେଜ୍‌ ‌ଚ୍ୟାନେଲ୍‌ ଓ ତତସଂଯୁକ୍ତ ରାସ୍ତା ଗୁଡିକର ୭ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାଲେଶ୍ଵର ମେଡିକାଲ କଲେଜର ଟିଚିଙ୍ଗ ହସ୍‌ପିଟାଲ ନିମନ୍ତେ ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି । ସେହପରି ଗତ ୪-୫ ମାସ ହେବ ବାଲେଶ୍ଵର ‌ପୌରପାଳିକା ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ, କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି ।

ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ବାସ କରୁ ବୋଲି ତାଙ୍କ ଉକ୍ତିକୁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରଥମିକତାର ସହ କାର୍ୟ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ । ବାଲେଶ୍ଵର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆମେ କାମ କରି ଚାଲିବୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏ ଦିଗରେ ବାଲେଶ୍ଵର ଜିଲ୍ଲାର ଭାଇଭଉଣୀମାନଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.