ବିଶ୍ୱାସଘାତକ ପୁରୋହିତ: ନେତାମନ୍ତ୍ରୀଙ୍କ ଫଟୋ ସହିତ ନିଜ ଫଟୋକୁ ଏଡିଟ କରି ଲୋକଙ୍କୁ ଲଗାଉଛି ଚୂନ

କେନ୍ଦ୍ରାପଡ଼ା: ପୁରୋହିତ ନିଜ ଯଜମାନଙ୍କୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫଟୋକୁ ଏଡିଟ କରି ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି। ଏହିଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧୀନ ଢ଼ୋଲର ଯମରା ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାକି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ପ୍ରଥମ ଘଟଣାରେ ଢୋଲ ଯମରା ଅଞ୍ଚଳର ରବିନ୍ଦ୍ର ସାହୁଙ୍କୁ ପୁଅକୁ ଆର୍ମିରେ ଚାକିରି କରାଇଦେବାକୁ କହି ପୁରୋହିତ ବାସୁଦେବ ପଣ୍ଡା ୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ରବିନ୍ଦ୍ରଙ୍କୁ ପୁଅର ଚାକିରି ପାଇଁ ୬୦ ହଜାର ଟଙ୍କା ମାଗିଥିଲେ। ଏହି ଟଙ୍କା ନେବା ପରେ ଆଉ ଅଧିକ ଟଙ୍କା ମାଗିଥିଲେ। ଅଧିକ ଟଙ୍କା ଦେଲେ ଆସନ୍ତା ଦୁଇ ମାସ ମଧ୍ୟରେ ଚାକିରି ହୋଇଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏନେଇ ରବିନ୍ଦ୍ର ଘରର ସୁନା ଅଳଙ୍କାର ଆଉ ଜମିବାଡ଼ି ବିକ୍ରି କରି ସମୁଦାୟ ୮ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ। ହେଲେ ଚାକିରି ନହେବାରୁ ରବିନ୍ଦ୍ର ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମିଥ୍ୟା ମାମଲାରେ ଫସାଇ ଦେବାକୁ କହିଥିଲେ। ରବୀନ୍ଦ୍ର ଭୟଭୀତ ହୋଇ ସ୍ଥାନୀୟ ଲୋକଙ୍କୁ କହିବାରୁ ସମସ୍ତେ ମିଳିମିଶି ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି।

ସେହିଭଳି ଅନ୍ୟ ଏକ ଘଟଣାରେ ସେହି ଯମରା ଅଞ୍ଚଳର କରୁଣାକର ରଣାଙ୍କ ଘରକୁ ବାସୁଦେବ ପୂଜା କରିବାକୁ ଯାଇଥିଲେ। ନିଜର ପତିଆରା ଜାହିର କରିବାକୁ ଯାଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୁଲିସ ଡ଼ିଜି ଭଳି ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ନିଜ ଫଟୋକୁ ଏଡିଟ କରି ଦେଖାଇଥିଲେ। ଯେକୌଣସି ସମସ୍ୟା ହେଲେ ସମାଧାନ କରିଦେବେ ବୋଲି ପ୍ରତିଶୃତି ଦେଇଥିଲେ। କିଛିଦିନ ପରେ କରୁଣା କରଙ୍କ ଭାଇଙ୍କ ଶରୀର ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲା । ଅଭିଯୁକ୍ତ ବାସୁଦେବ ଏହା ଜାଣିବା ପରେ କରୁଣାକରଙ୍କ ଘରେ ପହଞ୍ଚି ତାଙ୍କ ଭାଇକୁ ମେଡିକାଲ ନେଇଥିଲେ। ମେଡିକାଲରୁ ଆସି ତାଙ୍କୁ ବ୍ଲଡ କ୍ୟାନ୍ସର ହୋଇଥିବା ନେଇ କହିବା ସହ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏନେଇ ପୁରୋହିତଙ୍କ କଥାକୁ ବିଶ୍ବାସ କରି ପ୍ରଥମେ ଜମିବାଡ଼ି ବିକ୍ରି କରି ସେମାନେ ୬ ଲକ୍ଷ ଟଙ୍କା ଦେଇଥିଲେ। ଅଭିଯୁକ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ନେଇ ତାଙ୍କୁ ଚିକିତ୍ସା କରାଇ ମେଡିସିନ ଦେଇଥିଲେ। ଆଉ ୬ ଲକ୍ଷ ଟଙ୍କା ହଡ଼ପ କରିଥିଲେ। କରୁଣାକର ଭାଇଙ୍କୁ ଦିନକୁ ମାତ୍ର ଗୋଟିଏ ରୁଟି ଖାଇବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ତାଙ୍କ ଶରୀର ଆହୁରି ଅସୁସ୍ଥ ହୋଇ ପଡିଥିଲା। କରୁଣାକର ନିଜେ ତାଙ୍କ ଭାଇଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ। ଆଉ ତାଙ୍କୁ କ୍ୟାନ୍ସର ନ ଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତ ଦେଇଥିବା ସମସ୍ତ କ୍ୟାନ୍ସର ରିପୋର୍ଟ ନେଇ ଆହୁରି କେତେଜଣ ଡ଼ାକ୍ତରଙ୍କୁ କରୁଣାକର ଦେଖାଇ କ୍ୟାନ୍ସର ହୋଇନଥିବା ଜାଣିବାକୁ ପାଇଥିଲେ। ଏନେଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଧମକ ଦେଇଥିଲେ। ଟଙ୍କା ଫେରସ୍ତ ମାଗିବାରୁ କୋର୍ଟରେ କରୁଣାକରଙ୍କ ବିରୋଧରେ ଅଭିଯୁକ୍ତ ୧ସିସି କେଶ କରି ଆହୁରି ୧୫ ଲକ୍ଷ ଟଙ୍କା ନେବାକୁ ନୋଟିସ କରିଥିଲେ। ଏନେଇ ସ୍ଥାନୀୟ ସରପଞ୍ଚ ଆଉ ଭଦ୍ର ଲୋକଙ୍କ ମାଧ୍ୟମରେ ସମାଧାନ କରିବାକୁ କରୁଣାକର ଚେଷ୍ଟା କରି ବିଫଳ ହେବାରୁ ଥାନାରେ ଅଭିଯୋଗ କରିଛନ୍ତି। କେବଳ ଏହି ଦୁଇଜଣ ନୁହନ୍ତି ବରଂ ଶତାଧିକ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ପୋଲିସ ଗୁରୁତର ସହ ନନେବାରୁ ଶେଷରେ ଅଭିଯୋଗକାରୀ ଆଜି ଏସ୍ପିଙ୍କୁ ଅଭିଯୋଗ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

Leave a comment