ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିରରେ ଲାଗୁହେବ ଡ୍ରେସ କୋଡ଼୍‌, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ : ଶେଷ ହୋଇଛି ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କାର୍ତ୍ତିକ ନୀତି ଚୁଡାନ୍ତ ହେବା ସହ ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛ। ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳ ଧୂପ ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଅନୁଷ୍ଠିତ ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଛଭୋଗ ଲାଗି ହେବ । ନଭେମ୍ବର ୮ତାରିଖରେ ଅବକାଶ ପରେ ହରିହର ବେଶ ହେବ ।

ନଭେମ୍ବର ୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ସେହିପରି ୧୬ ତାରିଖରେ ବାଙ୍କଚୁଡା ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି ହେବ । ୧୭ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ, ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

ଏଥି ସହିତ କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ କାର୍ତ୍ତିକ ମାସରେ ଦର୍ଶନ ପାଇଁ କୌଣସି କଟକଣା ନାହିଁ। ପୂର୍ବପରି କୋଭିଡ ଟିକାର ଦୁଇଟି ଡୋଜ୍‌ ନେଇଥିବା କିମ୍ବା କୋଭିଡ ଟେଷ୍ଟ ରିପୋର୍ଟ ଦେଖାଇ ଭକ୍ତ ଦର୍ଶନ କରିପାରିବେ । ଚଳିତ ମାସ ୧୫ ତାରିଖରେ ପଡୁଥିବା ଦଶହରାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ୨୦ ତାରିଖରେ ପଡୁଥିବା କୁମାର ପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର।  କାର୍ତ୍ତିକ ମାସ ଅର୍ଥାତ୍ ନଭେମ୍ବରରେ ତିନି ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଦୀପାବଳୀ, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣମୀରେ ବନ୍ଦ ରହିବ ମନ୍ଦିର।  ନଭେମ୍ବର ୪ ତାରିଖରେ ଦିପାବଳୀ, ୧୫ ରେ ଏକାଦଶୀ ଓ ୧୯ରେ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ତେବେ ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ ତିନି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସଂଶୋଧିତ ଏସଓପି ଜାରି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିରରେ ସେବାୟତମାନଙ୍କ ପାଇଁ ଲାଗୁହେବ ଡ୍ରେସ କୋଡ଼। ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତ ମାନଙ୍କ ପାଇଁ ଧୋତି ମକୁଟା କିମ୍ବା ଢିଲା ପାଇଜାମା ଡ୍ରେସ କୋଡ଼ ବାଧ୍ୟତାମୂଳକ କରାଯାଇଛି। ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ । ଛତିଶାନିଯୋଗ ବୈଠକ ପୂର୍ବରୁ ଅର୍ଥ ଓ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥ ସବ୍ କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ୨୬ ଲକ୍ଷ ୫ ହଜାର ୩ ଶହ ୬ଟଙ୍କାର ବଜେଟ୍ ଆଗତ କରାଯାଇଛି। ଏବର୍ଷ ଖଣି, ସୈରାତ ଓ ରାଜସ୍ବ ଆଦାୟ ଅଧିକ ରହିଛି। ରାଜସ୍ବ ଆଦାୟ ଅର୍ଥ, ରଥଯାତ୍ରା, ମହାପ୍ରଭୁଙ୍କ ନୀତିକାନ୍ତି, ସେବାୟତଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଉନ୍ନୟନ ପାଇଁ ଖର୍ଚ୍ଚ କରାଯିବ।

Leave A Reply

Your email address will not be published.