କରୋନା ପାଇଁ କେନ୍ଦ୍ରର ଏପ୍ରିଲ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା କାୟା ମେଲାଉଥିବା ବେଳେ । ଏହାକୁ କିପରି ମାତ୍ ଦେଇ ହେବ ସେ ନେଇ ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ୩ଟି କଥା ଦୋହରାଇଛନ୍ତି। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ ପ୍ରୋଟୋକଲକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆରଟି ପିସିଆର ଟେଷ୍ଟ ବଢେଇବା ପାଇଁ ମଧ୍ୟ କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇ ପାରିବେ ବୋଲି କୁହାଯାଇଛି। ରାଜ୍ୟ ବାହାରକୁ ଯିବା ଆସିବା ଉପରେ କୌଣସି କଟକଣା ନାହିଁ । ନୂଆ ସଂକ୍ରମିତଙ୍କୁ ଚିହ୍ନଟ ସହ ଟ୍ରାକ କରି ସଙ୍ଗରୋଧରେ ରଖିବାକୁ କୁହାଯାଇଥିବା ବେଳେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନ, ମଲ୍, ପାର୍କ, ଦୋକାନ ବଜାର, ହୋଟେଲ ଖୋଲା ରଖାଯାଇପାରିବ।