ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ କେନ୍ଦ୍ରର ଅଣଦେଖା : ୩ ବର୍ଷରେ ଅନୁଦାନ ୩୬୮୭ କୋଟି ହ୍ରାସ

ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଲଗାତାର ଭାବେ ଓଡ଼ିଶାକୁ ଅଣଦେଖା କରିଆସୁଥିବା ନେଇ ଅଭିଯୋଗ ହେଉଛି। କୋଇଲା ରୟାଲଟିଠାରୁ ଆରମ୍ଭ କରି ଆବାସ ଏବଂ ଉଷୁନା ଚାଉଳ ଯାଏଁ ପ୍ରତିକ୍ଷେତ୍ରରେ ରାଜ୍ୟ ପ୍ରତାର଼ିତ ହୋଇ ଆସୁଛି। ତେବେ ଗତ କିଛିବର୍ଷ ଧରି ଲଗାତାର ଭାବେ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କମିବା ଏବେ ରାଜ୍ୟ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ପ୍ରାୟ ୨୬୦୩ କୋଟି ଟଙ୍କା କମ୍‍ ମିଳିଛି। ବର୍ଷକୁ ବର୍ଷ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ଅନୁଦାନ ବଢ଼଼ିବା ପରିବର୍ତ୍ତେ ବିପରୀତ ଢଙ୍ଗରେ ହ୍ରାସ ପାଇବା କେନ୍ଦ୍ର ସରକାରଙ୍କ ସହଭାଗୀ ସଂଘୀୟ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରରୁ ୨୪, ୧୫୨.୧୦ କୋଟି ଟଙ୍କାର ଅନୁଦାନ ପାଇଥିଲେ। ମାତ୍ର ୨୦୨୦-୨୧ ବର୍ଷରେ ଏହାର ପରିମାଣ ୨୩,୦୬୮.୩୪ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ସେହିପରି ୨୦୨୧-୨୨ରେ ଏହି ପରିମାଣ ଆହୁରି ମଧ୍ୟ କମିଯାଇଛି। ଆର୍ଥିକ ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ପାଇଛନ୍ତି ୨୦,୪୬୫.୬୭ କୋଟି ଟଙ୍କା। ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୩୬୮୭ କୋଟି ଟଙ୍କା କମ୍‍ ବୋଲି ସୂଚନା ମିଳିଛି। ତେବେ ଅଂଶଧନ ଟିକସ ବାବଦରେ କେନ୍ଦ୍ରରୁ ମିଳୁଥିବା ଅର୍ଥ ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଅପରପକ୍ଷେ ଉଭୟ ଅଂଶଧନ ଟିକସ ଓ ଅନୁଦାନ ଆକାରରେ କେନ୍ଦ୍ରକୁ ମିଳିଥିବା ଅର୍ଥ ରାଜ୍ୟର ଆଶା ଠାରୁ କମ୍‍ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଉଭୟ ଟିକସ ଓ ଅନୁଦାନ ବାବଦରେ ରାଜ୍ୟ ସରକାର କେନ୍ଦ୍ରରୁ ୫୮,୧୬୦ କୋଟି ଟଙ୍କା ପାଇଛନ୍ତି। ରାଜ୍ୟ ସରକାର କେନ୍ଦ୍ର ନିକଟରୁ ଏନେଇ ପ୍ରାୟ ୬୮, ୧୦୦ କୋଟି ଟଙ୍କା ପାଇବାକୁ ଆଶା ରଖିଥିବା ବେଳେ ଆକଳନ କରିଥିବା ଅର୍ଥ ମିଳିଥିବା ଅର୍ଥଠାରୁ ୯୪୯୦ କୋଟି ଟଙ୍କା କମ୍‍ ରହିଛି। ଉଲ୍ଲେଖନୀୟ ଯେ କେନ୍ଦ୍ରରୁ ମିଳିଥିବାକୁ ଥିବା ଅର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କର ବଜେଟ୍‍ ପ୍ରସ୍ତୁତ କରିଥାନ୍ତି ଓ କେନ୍ଦ୍ରୀୟ ଅଂଶଧନ ଟିକସ ଓ ଅନୁଦାନ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୂର୍ବରୁ ଏଆଇବିପି, ଆଇସିଡ଼ିଏସ୍‍, ଏନ୍‍ଆର୍‍ଏଲ୍‍ଏମ୍‍, ପ୍ରଧାନମନ୍ତ୍ରୀ ଆବାସ, ଏନ୍‍ଆର୍‍ଏଚ୍‍ଏମ୍‍, ଆର୍‍କେଭିୱାଇ, ଆଇଡ଼ବ୍ଲ୍ୟୁଏମ୍‍ପି ଆଦି ଯୋଜନାରେ ଅନୁଦାନ ହ୍ରାସ କରାଯାଇଛି। ଏବେ ବିଭିନ୍ନ ଯୋଜନାରେ ଅନୁଦାନ ଓ କେନ୍ଦ୍ରୀୟ ଅଂଶ ହ୍ରାସ ରାଜ୍ୟପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଅର୍ଥନୀତି ବିଶାରଦମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.