ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ରେଳ ବିକାଶ ପାଇଁ ନାହିଁ କେନ୍ଦ୍ରର ଆନ୍ତରିକତା, ନମୁନା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ

ଭୁବନେଶ୍ୱର : ରାଜ୍ୟରେ ରେଳ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିପୁଳ ଅନୁଦାନ ଦେଉଥିବା ରାଜ୍ୟ ବିଜେପି ନେତାମାନେ ଘଣ୍ଟ ପିଟୁଛନ୍ତି। ଗତ ୭ବର୍ଷ ମଧ୍ୟରେ ରେକର୍ଡ଼ ୧୪ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହୁଛନ୍ତି। ମାତ୍ର ଭାତ ହାଣ୍ଡିରୁ ଗୋଟିଏ ପରି କେବଳ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଗ୍ରଗତି ଦେଖିଲେ ରାଜ୍ୟରେ ରେଳ ବିକାଶରେ କେନ୍ଦ୍ରର ଆନ୍ତରିକତା କେତେ ତାହା ଜଳଜଳ ଦିଶୁଛି। ୧୯୪୫ ମସିହାରେ ଏହି ରେଳପଥ ନିର୍ମାଣ ନିମନ୍ତେ ପ୍ରଥମେ ସର୍ଭେ ହୋଇଥିଲା। ୧୯୯୪ ମସିହାରେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରିଥିଲା। ମାତ୍ର ଅନୁମୋଦନର ୩୦ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପ ଶେଷ ହୋଇପାରି ନାହିଁ। ଗତ ୨ ଦଶନ୍ଧି ଧରି ଏହି ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ଏହି ପ୍ରକଳ୍ପ ଆରମ୍ଭ ବେଳେ ବ୍ୟୟ ଅଟକଳ ୧ ହଜାର କୋଟି ଟଙ୍କା ଏବେ ୩୭୦% ବୃଦ୍ଧି ପାଇ ୩୭୯୧.୬୬ କୋଟି ଟଙ୍କାରେ ପହଞ୍ଚିଲାଣି, ତଥାପି ପ୍ରକଳ୍ପ ଶେଷ ହୋଇ ପାରୁନାହିଁ କିମ୍ବା ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅନୁଦାନ ବ୍ୟୟ ହୋଇ ପାରୁନାହିଁ।

ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର କ୍ରମାଗତ ଅବହେଳା କରୁଥିବାରୁ ଓଡ଼ିଶା ସରକାର ଏହାର କାର୍ଯ୍ୟାନ୍ୱୟନ ନିମନ୍ତେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ୨୦୧୫ ଜୁଲାଇ ମାସରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ରାଜ୍ୟ ସରକାର ମୋଟ ୨୮୯ କିଲୋମିଟର ରେଳପଥ ମଧ୍ୟରୁ ୧୭୭ କିଲୋମିଟର ରେଳପଥର ବ୍ୟୟରୁ ଅର୍ଦ୍ଧେକ ବହନ କରିବେ ଏବଂ ଏଥିପାଇଁ ଜମି ମାଗଣାରେ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ରେଳପଥ ନିମନ୍ତେ ୪୮୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ମାତ୍ର ରେଳପଥ ନିର୍ମାଣ କ୍ଷେତ୍ରରେ ଯେପରି ତତ୍ପରତା କେନ୍ଦ୍ର ସରକାର ପ୍ରଦର୍ଶନ କରିବା କଥା ସେପରି ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହୋଇଛି।

ଗତ ୧୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବଜେଟରେ ୨୮୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଏହି ମଞ୍ଜୁର ଅର୍ଥ ମଧ୍ୟରୁ ପ୍ରକଳ୍ପରେ ମାତ୍ର ୧୨୪୪.୦୬ କୋଟି ଟଙ୍କା ବ୍ୟୟ ହୋଇପାରିଛି। ଯାହା କି ମୋଟ ମଞ୍ଜୁର ଅର୍ଥର ପାଖାପାଖି ୪୦%। ଏପରିକି ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିର୍କ ବର୍ଷରେ ବଜେଟ ବରାଦର ମାତ୍ର ୨୫% ଅର୍ଥ ଖର୍ଚ୍ଚ ହୋଇଥିବା ରିପୋର୍ଟ ମିଳିଛି।୨୦୧୫ରେ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିବା ବେଳେ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ୨୦୨୧ ମସିହା ସୁଦ୍ଧା ଶେଷ ହେବ ବୋଲି ଘୋଷଣା କରିଥିଲା। ମାତ୍ର ଏବେ ଏହାର ସମାପ୍ତି ଅବଧି ୨୦୨୪କୁ ବୃଦ୍ଧି କରାଯାଇଛି। ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ପ୍ରକଳ୍ପ ବିଳମ୍ବିତ ହେଉଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ତେବେ କାହିଁକି ଜମି ଅଧିଗ୍ରହଣ ବିଳମ୍ବିତ ହେଉଛି ତାହାର ଉତ୍ତର ରେଳବାଇ ନିକଟରେ ନାହିଁ। ବାସ୍ତବିକତା ହେଉଛି ଜମି ଅଧିଗ୍ରହଣ ପ୍ରକ୍ରିୟା ବି କେନ୍ଦ୍ର ନିକଟରେ ଅଟକିଛି। ଏହି ରେଳପଥର ୧୧୨ କିମିରୁ ୨୮୯ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ନିମନ୍ତେ କିଛି ଜଙ୍ଗଲ ଜମିର ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ଲୋଡ଼ା। ମାତ୍ର ୩ଟି ପର୍ଯ୍ୟାୟରେ ଏହି କିସମ ପରିବର୍ତ୍ତନ ନିମନ୍ତେ ରେଳବାଇ ପଠାଇଥିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନିକଟରେ ପଡ଼ି ରହିଛି। ଯାହା ଫଳରେ ପ୍ରକଳ୍ପ ଆଗକୁ ବଢ଼଼ିପାରୁ ନ ଥିବା କୁହାଯାଉଛି।ରେଳପଥ ନିର୍ମାଣ ପରି ଏକ ମହତ୍ୱାକାଂକ୍ଷୀ ଓ ରାଜ୍ୟର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କ୍ଷେତ୍ରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଟାଳଟୁଳ ନୀତିକୁ ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଗୋଟିଏ ବିଭାଗର କାର୍ଯ୍ୟକୁ ସେହି ସରକାରର ଅନ୍ୟ ଏକ ବିଭାଗ ରୋକି ରଖିବା ସ୍ୱାଭାବିକ ଭାବରେ ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରକଳ୍ପର ପୂର୍ଣ୍ଣଙ୍ଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.