ଚୀନ୍ ବିରୋଧରେ ଭାରତର ପୁଣି ଡିଜିଟାଲ୍ ଷ୍ଟ୍ରାଇକ୍; ଚୀନ ଲିଙ୍କ୍ ଥିବା ୨୦୦ରୁ ଅଧିକ ବେଟିଂ ଏବଂ ଲୋନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବ ଭାରତ

ନୂଆଦିଲ୍ଲୀ: ଚୀନ୍ ଆପ୍ ଉପରେ ଭାରତ ସରକାର ପୁଣି ଥରେ ଡିଜିଟାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛନ୍ତି। ସୁରକ୍ଷାକୁ ଦର୍ଶାଇ କେନ୍ଦ୍ର ସରକାର ଚାଇନା ସହିତ ଲିଙ୍କ ଥିବା ଦର୍ଶାଇ ୨୦୦ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ରହିଛି ୧୩୮ଟି ବେଟିଂ ଆପ୍ ଓ ୯୪ଟି ଲୋନ୍ ଲେଣ୍ଡିଂ ଆପ୍ । ଗୃହ ମନ୍ତ୍ରଣାଳୟରୁ ସୂଚନା ଆସିଛି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତୁରନ୍ତ ଏବଂ ଜରୁରୀକାଳୀନ ଭିତ୍ତିରେ ଏହି ଚାଇନିଜ୍ ଲିଙ୍କ୍ ଥିବା ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅବରୋଧ କରିବା ପ୍ରକ୍ରିୟା ଆରମ୍ଭ କରିଛି।
ଗତ ୬ ମାସ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୮ଟି ଚାଇନିଜ ଲୋନ୍ ଲେଣ୍ଡିଂ ଆପ୍ ଚିହ୍ନଟ କରି ତାହାର ସମୀକ୍ଷା କରିଥିଲା । ମାତ୍ର ପରେ ଜଣାପଡିଥିଲା ଯେ ଇ-ଷ୍ଟୋରରେ ୯୪ଟି ଲୋନ ଲେଣ୍ଡିଂ ଆପ୍ ରହିଛି ଓ ସେଗୁଡ଼ିକ ତୃତୀୟ ପକ୍ଷ ଲିଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ବିପଦଜନକ ଆପଗୁଡିକ ଜରିଆରେ ବ୍ୟକ୍ତି ବିଶେଷଙ୍କୁ ବ୍ଲାକମେଲ କରାଯାଇଥାଏ । ସେମାନଙ୍କ ବହୁ ଗୋପନ ତଥ୍ୟ ହାସଲ କରାଯାଇଥାଏ ।
ତଦନ୍ତରୁ ଜଣାପଡିଛି, ବହୁ ଗୁପ୍ତଚର ଭିତ୍ତିକ କାର୍ଯ୍ୟରେ ଏହି ଆପଗୁଡିକୁ ବ୍ୟବହାର କରାଯାଇ ଭାରତୀୟମାନଙ୍କୁ ବିପଦରେ ପକାଯାଇଥାଏ । ଏହି ଆପଗୁଡିକ ବିରୋଧରେ ପଦକ୍ଷେପ ନେବା ଲାଗି ଭାରତର ବହୁ ରାଜ୍ୟ ପକ୍ଷରୁ କେନ୍ଦ୍ର ଗୃହ ନିକଟରେ ଦାବି କରାଯାଇଥିଲା । ଚାଇନିଜ ଆପ୍ ଜରିଆରେ ଲୋନ ନେଉଥିବା ଲୋକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଇଥାଏ ଓ ଏପରିକି ବାର୍ଷିକ ୩ ହଜାର ପ୍ରତିଶତ ହାରରେ ସୁଧ ଆଦାୟ କରାଯାଇଥାଏ ।