ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫୋକସ ରାଜ୍ୟ, ସ୍ୱତନ୍ତ୍ର ଅନୁଦାନ ପ୍ରସଙ୍ଗରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ

ଭୁବନେଶ୍ୱର : ଦୀର୍ଘଦିନ ଧରି ଓଡ଼ିଶାକୁ ‘ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ’ ବା ଫୋକସ ରାଜ୍ୟର ମାନ୍ୟତା ଦାବି କରାଯାଇ ଆସୁଛି। ହେଲେ ଏନେଇ କେନ୍ଦ୍ର ସରକାର କୌଣସି ସକାରାତ୍ମକ ଆଭିମୁଖ୍ୟ ପୋଷଣ କରୁନାହାନ୍ତି କିମ୍ବା ଏଥିନେଇ ସ୍ପଷ୍ଟ ଉତ୍ତର ରଖୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିତି ଆୟୋଗର ବିଭିନ୍ନ ବୈଠକରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ ସହ ଫୋକସ ରାଜ୍ୟର ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମାତ୍ର ଏ ଦିଗରେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି, ଅଥଚ ପଡୋଶୀ ଆନ୍ଧ୍ରକୁ ସ୍ୱତନ୍ତ୍ର ବର୍ଗର ରାଜ୍ୟ ସହ ସ୍ୱତନ୍ତ୍ର ଅନୁଦାନ ନେଇ କେନ୍ଦ୍ର ସରକାର ସହମତି ପ୍ରଦାନ କରିଛନ୍ତି।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ବର୍ଗ ରାଜ୍ୟ ମାନ୍ୟତା ଆଧାରରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ୱାଇଏସଆରସିପି ଏମ୍‍ପି ବିଜୟସାଏ ରେଡ୍ଡିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଆନ୍ଧ୍ରକୁ ସ୍ୱତନ୍ତ୍ର ସହାୟତା ନେଇ ନୀତି ଆୟୋଗ ବୈଠକରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଅବଗତ କରିଥିବା କଥା ଉତ୍ତରରେ ଉଲ୍ଲେଖ କରାଯାଇଛି। ଆନ୍ଧ୍ର ପ୍ରଦେଶ ପୁନଃଗଠନ ନିୟମ ୨୦୧୪ ଏବଂ ୨୦୧୫ ଡିସେମ୍ବରରେ ଦାଖଲ କରାଯାଇଥିବା ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ ଆଧାରରେ ଏହି ସହାୟତା ପ୍ରଦାନ ନେଇ କୁହାଯାଇଛି। ଅପରପକ୍ଷରେ ଓଡ଼ିଶା ପ୍ରସଙ୍ଗରେ କେନ୍ଦ୍ର କୌଣସି ସକରାତ୍ମକ ସଙ୍କେତ ଦେଖାଇ ନାହିଁ। ଓଡ଼ିଶା ବିଭିନ୍ନ ସମୟରେ ନିତି ଆୟୋଗ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିବା, କେନ୍ଦ୍ର ନିକଟରେ ଫୋକସ ରାଜ୍ୟ ଦାବି ପ୍ରସଙ୍ଗରେ କେନ୍ଦ୍ର ସର୍ବଦା ନଗରାତ୍ମକ ଆଭିମୁଖ୍ୟ ପୋଷଣ କରିଛି।

ଓଡ଼ିଶା ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇ ଆସୁଛି। ବାତ୍ୟା, ମରୁଡ଼ି, ବନ୍ୟା ରାଜ୍ୟର ନିରନ୍ତର ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି।ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ପାହ୍ୟା ଦାବି ହେଉଛି। ହେଲେ ଏହାକୁ କେନ୍ଦ୍ର ସରକାର ଗ୍ରହଣ କରି ନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ସହ ସ୍ୱତନ୍ତ୍ର ଧ୍ୟାନ କୈନ୍ଦ୍ରିକ ରାଜ୍ୟ ମାନ୍ୟତା ମଧ୍ୟ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଓଡ଼ିଶାରେ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍‍ ଭିତ୍ତିଭୂମି ପାଇଁ ସମ୍ମତି ଦେଇଥିଲେ ବି ଏଥିପାଇଁ ମଗାଯାଇଥିବା ସମ୍ପୂର୍ଣ୍ଣ ଅର୍ଥ ରାଜ୍ୟକୁ ମିଳିନାହିଁ। ସଂସଦର ଉଭୟ ଗୃହରେ, ସଂସଦୀୟ ଦଳଗୁଡିକର ସର୍ବଦଳୀୟ ବୈଠକରେ ଏହି ଦାବି ବିଜେଡି ପକ୍ଷରୁ ଉପସ୍ଥାପନ କରି ଆସୁଛି।

ଗତ ୨୦୨୦ ଫେବୃୟାରୀ ମାସରେ ରାଜ୍ୟରେ ହୋଇଥିବା ପୂର୍ବ ଭାରତୀୟ ଆଞ୍ଚଳିକ ରାଜ୍ୟ ବୈଠକରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ମାନ୍ୟତା ଉପସ୍ଥାପନ କରାଯାଇଛି। ସେ ସମୟରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନିକଟରେ ନୀତି ଆୟୋଗ ପ୍ରତିନିଧି ଦଳ ଓଡ଼ିଶା ଆସିଥିଲେ। ସେମାନଙ୍କ ସହ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନ୍ୟ ରାଜ୍ୟ ସହ ସମକକ୍ଷ ହେବା ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉ। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରଗତି କରିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଜାତୀୟସ୍ତରରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। କିନ୍ତୁ ସଙ୍ଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହାତ ମିଳାଇ କାମ କରିବା ଆବଶ୍ୟକ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। କେନ୍ଦ୍ର ସରକାର ଓଡ଼ିଶାକୁ ଯେତିକି ସହାୟତା ଦେଉଛନ୍ତି ତାହା ପର୍ଯ୍ୟାପ୍ତ ହେଉ ନାହିଁ। ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ କମ୍‍ ଗୁରୁତ୍ୱ ଦିଆଯାଇଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଆଗଧାଡ଼ିରେ ଥିବା ରାଜ୍ୟ ସହ ସମକକ୍ଷ ହେବା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି। ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ରହିଛି। କ୍ଷେତ୍ର ପରିସ୍ଥିତିକୁ ବିଚାର କରି କେନ୍ଦ୍ର ସରକାର ରାଜ୍ୟକୁ ସହାୟତା ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ବ୍ୟତୀତ ରାଜ୍ୟ ପକ୍ଷରୁ କୋଇଲା ରୟାଲ୍ଟି ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ନକ୍ସଲ ମୁକାବିଲା, କୋଭିଡ୍‍ ଓ ସ୍ୱାସ୍ଥ୍ୟ ସେବା ପରିଚାଳନା, କେନ୍ଦ୍ରୀୟ ଅନୁଦାନ ଆଦି ପ୍ରସଙ୍ଗରେ ନୀତି ଆୟୋଗ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସତ୍ୱେ କେନ୍ଦ୍ର ସକାରାତ୍ମକ ଆଭିମୁଖ୍ୟ ପୋଷଣ ନ କରିବା ରାଜ୍ୟକୁ ନିରାଶ କରିଛି।

Leave A Reply

Your email address will not be published.