ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର କୃଷି ବିକାଶ ପଦକ୍ଷେପକୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି; ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେବ ଓଡ଼ିଶାର କୃଷି ବିକାଶ କୌଶଳ

ଭୁବନେଶ୍ୱର: ଖାଦ୍ୟ ନିରାପତ୍ତା ସହ କୃଷିବିକାଶ କ୍ଷେତ୍ରରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ କେବଳ ଦେଶ ନୁହେଁ ବିଦେଶରେ ବି ପ୍ରଶଂସିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶର ବିଭିନ୍ନ ରାଷ୍ଟ୍ର ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁସରଣ ଓ ଅନୁକରଣ କରିଥିବା ନେଇ ଅନେକ ଦୃଷ୍ଟାନ୍ତ ରହିଛି। ନିଅଣ୍ଟିଆ ରାଜ୍ୟରୁ ସ୍ୱାବଲମ୍ବୀ ହେବା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ବଳକା ରାଜ୍ୟରେ ପରିଣତ ହେବା ସହ ଓଡ଼ିଶା ରାଜ୍ୟର ଚାଷୀମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପ ଯେ ଦେଶ ପାଇଁ ଆଦର୍ଶ ତାହାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଯେଉଁଥିପାଇଁ ସାରା ଦେଶରେ ଚାଷୀଙ୍କ ଆୟ ବୃଦ୍ଧି ସଂକ୍ରାନ୍ତ ଭିଜନ ଡ଼କୁମେଣ୍ଟ ପ୍ରସ୍ତୁତି ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି। ସମଗ୍ର ଦେଶରେ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନାର କାର୍ଯ୍ୟଖସଡ଼ା ଦାୟିତ୍ୱ ଓଡ଼ିଶା ପ୍ରସ୍ତୁତ କରିବ। ଏଥିନିମନ୍ତେ କୃଷି ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ସଞ୍ଜୀବ ଚଢ୍‍ଢାଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି।

ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି। ମାତ୍ର ଏହି ଲକ୍ଷ୍ୟ ପୂରଣ କରିବାରେ ଦେଶର ଅଧିକାଂଶ ରାଜ୍ୟ ସଫଳ ହୋଇପାରି ନାହାନ୍ତି। ପରିସଂଖ୍ୟାନ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ଝାଡ଼ଖଣ୍ଡଙ୍କ ଚାଷୀଙ୍କ ଆୟ ୪% ବୃଦ୍ଧି ପାଇଥିବାବେଳେ ପଞ୍ଜାବ ଚାଷୀଙ୍କ ଆୟ ୪୮%, ହରିଆଣାରେ ୫୮%, ଗୁଜରାଟରେ ୫୯%, ଉତ୍ତରପ୍ରଦେଶରେ ୬୪%, ରାଜସ୍ଥାନରେ ୭୦%, ମଧ୍ୟପ୍ରଦେଶରେ ୭୫% , ଛତିଶଗଡ଼ରେ ୮୭% ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟର ସ୍ଥିତି ଅନୁରୂପ ଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ବେଶ ଭଲ ପ୍ରଦର୍ଶନ କରିଛି।

ସାରା ଦେଶରେ ମୋଟ ଚାଷୀଙ୍କ ସଂଖ୍ୟାର ୧୭% ଭାଗଚାଷୀ ଥିବାବେଳେ ଏହି ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ପରେ
ଓଡ଼ିଶାରେ ଭାଗ ଚାଷୀଙ୍କ ସଂଖ୍ୟା ଦେଶରେ ଦ୍ୱିତୀୟ ସର୍ବାଧିକ। ଆନ୍ଧ୍ରପ୍ରଦେଶର ଭାଗଚାଷୀଙ୍କ ସଂଖ୍ୟା ୪୨.୪% ଥିବାବେଳେ ଓଡ଼ିଶାରେ ମୋଟ ଚାଷୀଙ୍କ ମଧ୍ୟରୁ ୩୯% ହେଉଛନ୍ତି ଭାଗଚାଷୀ। ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଯୋଗୁଁ ଓଡ଼ିଶାର ଚାଷୀଙ୍କ ଆୟ ଆଶାଜନକ ଭାବରେ ବୃଦ୍ଧି ପାଇଛି। ରାଜ୍ୟରେ ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‍, କୃଷି ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ସବଳ କରିବା ନିମନ୍ତେ ‘କାଳିଆ’ ଓ ‘ବଳରାମ’ ପରି ଯୋଜନା ବେଶ୍‍ ଫଳବତୀ ହୋଇଛି। ରାଜ୍ୟର ଚାଷୀମାନଙ୍କ ଉତ୍ପାଦନ ଓ ଉପାର୍ଜନ ଉଭୟ ବୃଦ୍ଧି ପାଇଛି। ଯାହାକୁ ଦୃଷ୍ଟିରେ ରଖି ‘ଏଗ୍ରି ଭିଜନ ଫର ଇଣ୍ଡିଆ’ ରୂପରେଖ ପ୍ରସ୍ତୁତି ଦାୟିତ୍ୱ ଓଡ଼ିଶାକୁ ପ୍ରଦାନ କରାଯାଇଛି।

କୃଷି ବିଭାଗ ପକ୍ଷରୁ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛି। ଚାଷ ସଂକ୍ରାନ୍ତ ବିଭିନ୍‍ନ ସଫଳ ମଡେଲ୍‍କୁ ଏହି ଖସଡ଼ାରେ ସ୍ଥାନ ଦିଆଯିବ ବୋଲି ସୂଚନା ମିଳିଛି। ଅନୁରୂପ ଭାବରେ ଆନୁସଙ୍ଗିକ କୃଷି, ମତ୍ସ୍ୟ, ପଶୁ ପାଳନ ତଥା ଖାଦ୍ୟ ପ୍ରକ୍ରିୟାକରଣ ଆଦି ବିଷୟକୁ ନେଇ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେବ। ଏଥିରେ କୃଷି ସହିତ ଜଡ଼ିତ ବିଭାଗ ସହିତ ଦକ୍ଷତା ବିକାଶ ବିଭାଗକୁ ସାମିଲ କରାଯାଇଛି। କୃଷି କାର୍ଯ୍ୟ ସହିତ କୃଷି ସମ୍ପର୍କିତ ଷ୍ଟାର୍ଟଅପ୍‍କୁ ମଧ୍ୟ ଦୃଷ୍ଟି ଦିଆଯିବ। ଅର୍ଥାତ୍‍ କୃଷି ସହିତ ଉଦ୍ୟୋଗୀ ସୃଷ୍ଟି ପାଇଁ ବ୍ୟବସ୍ଥା ରହିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା କୃଷି ଭିଜନ୍‍ ଡକ୍ୟୁମେଣ୍ଟ ପ୍ରସ୍ତୁତି ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି, କୃଷି ବିଶେଷଜ୍ଞ, ଉଦ୍ୟୋଗୀ ମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯିବ।

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଗତ ଦଶନ୍ଧି ମଧ୍ୟରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଏକ କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା, ବ୍ୟାଙ୍କ ଋଣ, ସବ୍‍ସିଡି ଯୁକ୍ତ ବିହନ ଓ ସାର ଯୋଗାଣ, ଜଳସେଚନ ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ଫଳରେ କିଛି ଜିଲ୍ଲାରେ ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ଆଜି ବଳକା ରାଜ୍ୟ ହୋଇପାରିଛି। ଖାଦ୍ୟ ନିରାପତ୍ତା ଯୋଜନାରେ ଓଡ଼ିଶା ଦେଶର ତୃତୀୟ ବୃହତ୍ତମ ଚାଉଳ ଯୋଗାଣକାରୀ ରାଜ୍ୟର ମାନ୍ୟତା ପାଇଛି। ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ପ୍ରଶଂସା ମିଳିଛି। ତେଣୁ ବିଭିନ୍ନ ଦିଗରୁ ମାନସ ମନ୍ଥନ ପରେ ଓଡ଼ିଶା ଯେଉଁ ଯୋଜନା ପ୍ରସ୍ତୁତ କରିବ ତାକୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଭିଜନ୍‍ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ଦାୟିତ୍ୱ ପ୍ରଦାନ କରିବା ଆମର ସଫଳତାକୁ ଦର୍ଶାଉଛି। କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଆମେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛୁ। ସମଗ୍ର ଦେଶରେ ଚାଷୀଙ୍କ ଆୟ କିପରି ଦୁଇ ଗୁଣା ହୋଇ ପାରିବ ତାହା ଏହି ଭିଜନ୍‍ ଡକ୍ୟୁମେଣ୍ଟର ମୁଖ୍ୟ ଲକ୍ଷ୍ୟ। ବିଭିନ୍ନ ପ୍ରକାର ଫସଲ ଚାଷ ସହିତ ଆନୁସଙ୍ଗିକ କୃଷି ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସେହିପରି ଏଥିରେ କୃଷି ସମ୍ପର୍କିତ ଷ୍ଟାର୍ଟଅପ୍‍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ। ଆମ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ସହିତ କୃଷିକୁ ନେଇ ଅନେକ ଷ୍ଟାର୍ଟଅପ୍‍ ରହିଛି। ସେମାନେ ବହୁତ ଭଲ କାମ କରୁଛନ୍ତି। ତେଣୁ ଡକ୍ୟୁମେଣ୍ଟରେ ସେମାନଙ୍କ ସଫଳତାକୁ ସ୍ଥାନ ଦିଆଯିବ। କୃଷି ବିଭାଗ ସହିତ ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ମୃତ୍ତିକା ସଂରକ୍ଷଣ, ଦକ୍ଷତା ବିକାଶ ଆଦି ବିଭାଗକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। କୃଷିର ବିକାଶ ପାଇଁ କେଉଁ ପ୍ରକାର ଦକ୍ଷତାର ଆବଶ୍ୟକତା ରହିଛି ତାହା ବିଭାଗ ତର୍ଜମା କରୁଛି। ବିଭିନ୍ନ ବିଭାଗ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ଭିଜନ୍‍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.