ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ମାସରେ ଜନଗଣନା ସମ୍ପର୍କିତ ନିଷ୍ପତ୍ତି ନେଇପାରେ କେନ୍ଦ୍ର !

ଭୁବନେଶ୍ୱର : ଦେଶ ତଥା ରାଜ୍ୟର ବିଭିନ୍ନ ସରକାରୀ ଯୋଜନା ପରିସଂଖ୍ୟନ ଆଧାରରେ ସ୍ଥିରୀକୃତ ହୋଇଥାଏ। ସମୟ ଗଡ଼ିବା ସହ ଏହି ପରିସଂଖ୍ୟନ ନିୟମିତ ହେବାର ଆବଶ୍ୟକତା ରହିଛି। ମାତ୍ର ଦଶନ୍ଧି ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ପରିସଂଖ୍ୟନକୁ ଆଧାର କରି ନୀତି ପ୍ରଣୟନ କେତେଦୂର ଯଥାର୍ଥ ବୋଲି ମଧ୍ୟ ପ୍ରଶ୍ନ ଉଠିଲାଣି। ଏହି ପରିସ୍ଥିତିରେ କେନ୍ଦ୍ର ସରକାର ଜନଗଣନା -୨୦୨୧ ପ୍ରକ୍ରିୟା ଏଯାଏଁ ଆରମ୍ଭ କରିନାହାନ୍ତି। ଏହି ପ୍ରକ୍ରିୟା ୨୦୨୦ରୁ ଆରମ୍ଭ ହେବା କଥା। ମାତ୍ର କରୋନା କାରଣରୁ ଏହା ହୋଇପାରି ନ ଥିଲା। ଗତ ବର୍ଷ ଠାରୁ କରୋନା ପ୍ରକୋପ ହ୍ରାସ ପାଇସାରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି। ହେଲେ ନିହାତି ଆବଶ୍ୟକ ଜନଗଣନା ପ୍ରକ୍ରିୟା ସମ୍ପାଦନ ହୋଇପାରୁନାହିଁ। ଜନଗଣନା ନେଇ କେନ୍ଦ୍ର କାହିଁକି ନିଷ୍ପତ୍ତି ନେଇ ପାରୁନି, ତାହା ବହୁ ରାଜ୍ୟକୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।

ଜନଗଣନା ପୂର୍ବରୁ ନ୍ୟାସନାଲ୍‍ ପପୁଲେସନ୍‍ ରେଜିଷ୍ଟ୍ରେସନ୍‍ ଜରିଆରେ ନାଗରିକ ତଥ୍ୟ ସଂଗ୍ରହ ହେବା କଥା। ସେ ପ୍ରକ୍ରିୟା ମଧ୍ୟ ଏଯାଏଁ ଆରମ୍ଭ ହୋଇନାହିଁ। ଇତି ମଧ୍ୟରେ ଭାରତର ଜନସଂଖ୍ୟାର ଘନତ୍ୱ ଓ ଆକାର ବୃଦ୍ଧି ପାଇଛି। ପୂର୍ବ ସରକାରୀ ଯୋଜନା ଯେଉଁ ଲକ୍ଷ୍ୟରେ ପ୍ରଦାନ କରାଯାଇଥିଲା, ତାହାର ସୁଫଳ ମିଳିଛି ନା ନାହିଁ। ଦାରିଦ୍ର୍ୟ, ବେକାରୀ, କୁପୋଷଣ, ଅଶିକ୍ଷା କେତେମାତ୍ରାରେ ଦୂର ହୋଇଛି। ସେ ସବୁର ସଦ୍ୟତମ ତଥ୍ୟ ନାହିଁ। ବିଭିନ୍ନ କମିସନଙ୍କ ସୁପାରିସ୍‍ କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି। ଓଡ଼ିଶା ସମେତ ବହୁ ରାଜ୍ୟ ଜାତିଭିତ୍ତିକ ଜନଗଣନା ନେଇ ବହୁ ପୂର୍ବରୁ ଦାବି କରି ଆସୁଛନ୍ତି। ଜନଗଣନା ଆଇନତଃ ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅଧିନସ୍ଥ। ସମ୍ବିଧାନର ସପ୍ତମ ଅନୁଚ୍ଛେଦ ଧାରା-୨୪୬ରେ କେନ୍ଦ୍ର ସରକାରଙ୍କ ଅଧିନରେ କେଉଁ ବିଷୟ ରହିବ। ସେ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

ଏହି ତାଲିକାରେ ୯୭ଟି ବିଷୟ ରହିଛି। ତନ୍ମଧ୍ୟରେ ପ୍ରତିରକ୍ଷା, ଜଳସେନା, ସ୍ଥଳ ସେନା ଏବଂ ଆକାଶ ବାହିନୀ, ଆଟମିକ୍‍ ଏନର୍ଜି ଭଳି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧିନସ୍ଥ। ଏହି ତାଲିକାର ୬୯ରେ ଜନଗଣନାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ସେହିପରି ଜନଗଣନା ଆଇନ-୧୯୪୮ରେ ମଧ୍ୟ ଜନଗଣନା ଓ ଏହାର ପ୍ରକ୍ରିୟା ନେଇ ସ୍ପଷ୍ଟ ଭାବେ ନିୟମାବଳୀ ରହିଛି। ଏଥିରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥାଏ। ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଜନଗଣନା କମିସନର ନିଯୁକ୍ତି କରାଯିବାର ବ୍ୟବସ୍ଥା ରହିଛି। କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଯିବା ପରେ ରାଜ୍ୟ ସରକାର ଗୁଡିକ ଜନଗଣନା ସମ୍ପର୍କିତ ଅଧିକାରୀ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ନ ଗଲେ କୌଣସି ପ୍ରକାର ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇ ନ ଥାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ବିଭାଗ ରାଜ୍ୟରେ ଜନଗଣନା ପରିଚାଳନା କରିଥାଏ। ଜନସଂଖ୍ୟା ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର ଭାବେ ଏହି କାର୍ଯ୍ୟ କରିଥାଏ। ଏନେଇ ସମସ୍ତ ପ୍ରକାର ମାନବସମ୍ବଳ ପ୍ରସ୍ତୁତି ଏବଂ ପ୍ରଶିକ୍ଷଣ ମଧ୍ୟ କରାଯାଇଛି। ମାତ୍ର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସି ନ ଥିବାରୁ ଏହା ଆରମ୍ଭ ହୋଇପାରିନାହିଁ। ଚଳିତ ମାସରେ କେନ୍ଦ୍ର ସରକାର ଜନଗଣନା ସମ୍ପର୍କିତ ପରବର୍ତ୍ତୀ ନିଷ୍ପତ୍ତି ଜଣାଇବେ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.