ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ବିଧାନ ପରିଷଦ ପ୍ରସଙ୍ଗ : ଗତବର୍ଷ ସଂକଳ୍ପ ପାଇ ନ ଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ, ଆଜି କହିଲେ ବିଚାରାଧିନ ଅଛି ବିଧାନ ପରିଷଦ ପ୍ରସ୍ତାବ

ଭୁବନେଶ୍ୱର :  ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବା ନେଇ ଆଶା ବଢୁଛି । ୨୦୧୮ରୁ ଯାଇଥିବା ବିଧାନ ପରିଷଦ ସଂକଳ୍ପ ପତ୍ର ଉପରେ କେନ୍ଦ୍ର ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏହି ସଫେଇ ଦେଇଛନ୍ତି । ଓଡ଼ିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ସ୍ୱୀକାର କରିଛନ୍ତି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆସାମ ବିଧାନସଭା ଏନେଇ ସଂକଳ୍ପ ପାରିତ କରିଛନ୍ତି । ଉକ୍ତ ପ୍ରସ୍ତାବ ସମ୍ବନ୍ଧରେ ସଂପୃକ୍ତ ରାଜ୍ୟଗୁଡ଼ିକ ସହ ପରାମର୍ଶ ସହିତ ଏନେଇ ପରୀକ୍ଷା ନିରୀକ୍ଷା ଚାଲିଛି ବୋଲି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ପରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ଆଶା ପୁନର୍ବାର ସଞ୍ଚାର ହୋଇଛି ।

ଗତବର୍ଷ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ କୌଣସି ସଙ୍କଳ୍ପ ହସ୍ତଗତ ହୋଇ ନ ଥିବା ସଂସଦରେ ଉତ୍ତର ରଖିଥିଲେ । ଓଡ଼ିଶାର ଦାବିକୁ ଏପରି ସିଧାସିଧା ଫାଙ୍କିଦେବାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭାରେ ପାରିତ ପ୍ରସ୍ତାବର ନକଲ ଲୋକସଭା ଓ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟର ସଚିବ , କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ,ସଂସଦୀୟ ବ୍ୟାପାର ସଚିବ କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ମାତ୍ର ଦୀର୍ଘ ବର୍ଷ ପରେ କେନ୍ଦ୍ର ସଂକଳ୍ପ ପାଇନି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିବା ଦୁଃଖଦାୟକ ଏବଂ ଏହା ଓଡ଼ିଶାର ଜନସାଧାରଣଙ୍କୁ ଚକିତ କରିଛି ବୋଲି ତକ୍ରାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ।

ଏପିରିକି ଶ୍ରୀ ପାତ୍ର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଦୁଇଟି ଚିଠି ଲେଖି ସଂକଳ୍ପ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏବେ ସଂକଳ୍ପ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାପ୍ତ ହୋଇଛି ଏବଂ ଏହା ଉପରେ ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ଆଇନମନ୍ତ୍ରୀ ସ୍ୱୀକାର କରିଛନ୍ତି ।

ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବହୁ ପୂର୍ବରୁ ପ୍ରକ୍ରିୟା ଚାଲି ଆସିଛି । ବିଧାନ ପରିଷଦ ଗଠନ ନେଇ ଅନୁଧ୍ୟାନ ପାଇଁ ୨୦୧୫ ମସିହା ଜାନୁଆରୀ ୭ ତାରିଖରେ ତକ୍ରାଳୀନ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ଯେଉଁ ଟିମ୍‌ ୪ଟି ରାଜ୍ୟକୁ ଗସ୍ତ କରି ସେଠାରେ ଗୃହର ପରିଚାଳନା ନେଇ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହାପରେ ୨୦୧୮ ମସିହା ଅଗଷ୍ଟ ୨୪ତାରିଖରେ ଏହି ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଥିବା ବେଳେ ସେହି ବର୍ଷ ସେପ୍ଟେମ୍ବର ୬ ତାରିଖରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ସମ୍ବିଧାନର ଧାରା ୧୭୧(୧) ଅନୁଯାୟୀ ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ସେହି ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ । ଏହି ଆଧାରରେ ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ସଂଖ୍ୟା ୪୯ ହେବାକୁ ଥିବାବେଳେ ଏହା ଭୁବନେଶ୍ୱର ସ୍ଥିତ ପୁରୁଣା ବିଧାନସଭା ବିଲଡିଂ ପରିସରରେ କାର୍ଯ୍ୟ କରିଥାନ୍ତା ।

ଏଥିପାଇଁ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ମଧ୍ୟ ଆକଳନ କରାଯାଇଥିଲା । ମାତ୍ର ଇତିମଧ୍ୟରେ ଦୀର୍ଘ ୫ ବର୍ଷ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିନେଇ କୌଣସି ସକାରାତ୍ମକ ମନୋଭାବ ପୋଷଣ କରି ନ ଥିବା ଅଭିଯୋଗ ହେଉଛି । ବିଧାନ ପରିଷଦ ସଂକ୍ରାନ୍ତ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନୃସିଂହ ସାହୁ କହିଛନ୍ତି ଯେ ୨୦୧୮ ମସିହାରେ ସର୍ବସମ୍ମତିକ୍ରମେ ଏହି ସଂକଳ୍ପ ପାରିତ ହୋଇ କେନ୍ଦ୍ର ନିକଟକୁ ପଠାଯାଇଥିଲା । ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ବିଚାର କରି ବିଧାନ ପରିଷଦ ପ୍ରସ୍ତାବକୁ ପାରିତ କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.