ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବୁ ପରୀକ୍ଷାକେନ୍ଦ୍ରରେ ଲାଗିବ ସିସିଟିଭି : ଭିଜୁଆଲର ହେବ ସିଧାପ୍ରସାରଣ, ସିଏଚ୍‍ଏସ୍‍ଇ ଅଫିସରୁ ଅନୁଧ୍ୟାନ କରିବେ ସ୍କ୍ୱାଡ

ଭୁବନେଶ୍ୱର : ସମ୍ପୂର୍ଣ୍ଣ ଅତ୍ୟାଧୁନିକ ପ୍ରଣାଳୀରେ ନିୟନ୍ତ୍ରିତ ହେବ ସିଏଚଏସଇ(ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ)ର +୨ ପରୀକ୍ଷା। ସିଏଚ୍‍ଏସ୍‍ଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟବସ୍ଥାରେ ସଂସ୍କାର ଅଣାଯିବା ସହିତ ମାନବସମ୍ବଳ ଓ ଅର୍ଥ ଅପଚୟକୁ ରୋକିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ନୂଆ ପଦ୍ଧତ୍ତି ଆପଣାଇଛି। ଯୁକ୍ତଦୁଇ ପରୀକ୍ଷାରେ କପି ରୋକିବା ଓ ସୁପରିଚାଳନା ପାଇଁ ‘ରିମୋଟ ଆକ୍ସସେସ୍‍ କନେକ୍ଟିଭିଟି’ ବ୍ୟବସ୍ଥା ଗଣଶିକ୍ଷା ବିଭାଗ ଲାଗୁ କରିବାକୁ ଯାଉଛି। ଯାହା ଫଳରେ ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର ଆସିବା ସହ କପିକୁ ରୋକାଯାଇ ପାରିବ।

ରାଜ୍ୟର ୨ହଜାରରୁ ଅଧିକ ଜୁନିୟର କଲେଜର ପରୀକ୍ଷା ପରିଚାଳନା ଦାୟିତ୍ୱ ସିଏଚଏସଇ ଉପରେ ନ୍ୟସ୍ତ କରାଯାଇଛି। ପାଠ୍ୟ ପୁସ୍ତକ ପ୍ରସ୍ତୁତି, ପରୀକ୍ଷା ପରିଚାଳନା, ଖାତାଦେଖା, ଫଳ ପ୍ରକାଶନ ଆଦି କାର୍ଯ୍ୟ ପରିଷଦ ଦ୍ୱାରା ତ୍ୱରାନ୍ୱିତ ହେଉଛି। ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ଲାଗି ପରୀକ୍ଷାକେନ୍ଦ୍ରରେ ସିସି ଟିଭି, ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା, ହବ୍‍ କେନ୍ଦ୍ର, ପ୍ରଶ୍ନପତ୍ର ସୁରକ୍ଷା ଲାଗି ପ୍ରତିବର୍ଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଏନେଇ ମଧ୍ୟ ୩୦ଲକ୍ଷରୁ ୩୫ଲକ୍ଷ ଟଙ୍କା ବ୍ୟୟ ହେଉଛି। ବିଶେଷକରି ପରୀକ୍ଷା କେନ୍ଦ୍ର ଗୁଡିକରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଲାଗି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପରୀକ୍ଷାକେନ୍ଦ୍ରରେ କପି ଯେପରି ରୋକାଯାଇପାରିବ ସେଥିପାଇଁ ଚଳିତବର୍ଷ ବିଭାଗ କଡ଼ାପଦକ୍ଷେପ ଗ୍ରହଣ କରାଯାଇଛି।

ସେଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ କରାଯିବା ସହ ରାଜ୍ୟର ସବୁ ପରୀକ୍ଷାକେନ୍ଦ୍ରଗୁଡିକର ସ୍ଥିତି କେବଳ ଗୋଟିଏ ସ୍ଥାନରେ ବସି ଅନୁଧ୍ୟାନ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିମୋଟ ଆକ୍ସସେସ୍‍ କନେକ୍ଟିଭିଟି’ ବ୍ୟବସ୍ଥା ଦ୍ୱାରା ବ୍ୟବସ୍ଥାରେ +୨ ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ମନିଟର ରଖାଯିବ। ସମସ୍ତ ପରୀକ୍ଷାକେନ୍ଦ୍ରଗୁଡିକରେ ସିସି କ୍ୟାମେରା ଥିବାବେଳେ ସେସବୁର ଆଇଡି ପାର୍ସ ୱାର୍ଡ ପରିଷଦ ପାଖରେ ରଖାଯିବ। ସିଏଚଏସଇ ଅଧିକାରୀମାନେ ରିମୋଟ ଆକ୍ସସେସ୍‍ କନେକ୍ଟିଭିଟି’ ମାଧ୍ୟମରେ ସମସ୍ତ ପରୀକ୍ଷାକେନ୍ଦ୍ରର ସମ୍ପୂର୍ଣ୍ଣ କାର୍ଯ୍ୟ ଗୋଟିଏ ସ୍ଥାନରେ ତଦାରଖ କରିପାରିବେ। ଏହାଦ୍ୱାରା ପୂର୍ବରୁ ଅଧିକାରୀମାନଙ୍କ ସ୍କ୍ୱାଡ ବାବଦରେ ଏବଂ ଗାଡି ଲାଗି ଯେଉଁ ସବୁ ଅର୍ଥ ବ୍ୟୟ ହେଉଥିଲା ତାହା ରୋକାଯିବା ସହ ପରୀକ୍ଷାର ସିଧା ପ୍ରସାରଣକୁ ଅଧିକାରୀମାନେ ତଦାରଖ କରିବେ।

ଏହାବ୍ୟତୀତ ଯେଉଁସବୁ କଲେଜରେ ସିସି କ୍ୟାମେରା ନ ଥିବ ସମ୍ପୃକ୍ତ କଲେଜକୁ ପରୀକ୍ଷାକେନ୍ଦ୍ରରୁ ବାଦ୍‍ ଦିଆଯିବ। ସେହିପରି ପରୀକ୍ଷା କେନ୍ଦ୍ରରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ବିଭାଗ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ଅପରପକ୍ଷେ ପରୀକ୍ଷା ପରିଚାଳନାରେ ଆଇଟି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସିଏଚଏସଇର କର୍ତ୍ତୃପକ୍ଷ କହିଛନ୍ତି। ବିଗତ ବର୍ଷ ‘ରିମୋଟ ଆକ୍ସସେସ୍‍ କନେକ୍ଟିଭିଟି’ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ପାଖାପାଖି ୭୦ ରୁ ୭୫ ପ୍ରତିଶତ କଲେଜକୁ ଏଥିରେ ସଂଯୋଗ କରାଯାଇଥିଲା। ହେଲେ ଚଳିତ ବର୍ଷ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ୍‍ ପାଇଁ ଲକ୍ଷ୍ୟ ରହିଛି। ସେହିପରି ପରୀକ୍ଷା ପରିଚାଳନାରେ ସିଏଚଏସଇରେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ମୁତାବକ +୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଶେଷ ହୋଇଛି। କଳା, ବାଣିଜ୍ୟ ଓ ବିଜ୍ଞାନରେ ପରୀକ୍ଷା ଦେବା ପାଇଁ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି।

Leave A Reply

Your email address will not be published.