ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି, ପୂର୍ବତନ ନ୍ୟାଶନାଲ ଅଡିଟର ଶଶୀକାନ୍ତ ଶର୍ମାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ପୁଣିଥରେ ଫେରିଛି ବହୁ ଚର୍ଚ୍ଚିତ ୩୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲା। ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ଏକ ଅତିରିକ୍ତ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଏହି ଚାର୍ଜସିଟ ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମାଙ୍କ ବିରୋଧରେ ଦାଖଲ ହୋଇଛି ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଶଶୀକାନ୍ତଙ୍କ ସମେତ ଅନ୍ୟ ୪ ବାୟୁସେନା କର୍ମୀଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଛି। ଏନେଇ ବୁଧବାର ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶଶୀକାନ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିବା ଓ ତାଙ୍କୁ ମାମଲା ସମ୍ପର୍କରେ ପଚରାଉଚରା କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ଶଶୀକାନ୍ତ ଶର୍ମା ୨୦୧୧-୨୦୧୩ ପର୍ୟ୍ୟନ୍ତ ପ୍ରତିରକ୍ଷା ସଚିବ ଥିଲେ। ପରେ ତାଙ୍କୁ କମ୍ପଟ୍ରୋଲ୍ ଆଣ୍ଡ ଅଡିଟର ଜେନେରାଲ୍(ସିଏଜି) ଭାବରେ ନିଯୁକ୍ତି ମିଳିଥିଲା।

ଏହି ଚାର୍ଜସିଟରେ କେତେକ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେମାନେ ହେଲେ ପୂର୍ବତନ ଉପମୁଖ୍ୟ ଟେଷ୍ଟ ପାଇଲଟ୍ ଏସଏ କୁନ୍ତେ, ଓ୍ବିଙ୍ଗ କମାଣ୍ଡର ଥମାସ ମାଥ୍ୟୁ ଓ ଗ୍ରୁପ କ୍ୟାପଟେନ ଏନ.ସନ୍ତୋଷ । ଏମାନଙ୍କୁ ମଧ୍ୟ ପଚରାଉଚରା କରିବା ପାଇଁ ସିବିଆଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଅନୁମତି ମାଗିଛି।

ସୂଚନଯୋଗ୍ୟ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରଭୃତି ଭିଭିଆଇପିଙ୍କ ପାଇଁ ସୋଭିଏତ ଯୁଗର ଏମଆଇ୮ ଆଇ ଚପର ବଦଳରେ ଏକ ନୂଆ ହେଲିକାପ୍ଟର କ୍ରୟ ପାଇଁ ୧୯୯୯ରେ ଭାରତୀୟ ବାୟୁସେନା ଟେଣ୍ଡର ଆହ୍ବାନ କରିଥିଲା । କିନ୍ତୁ ଏଥିପାଇଁ ଥିବା ବୈଷୟିକ ମାନଦଣ୍ଡକୁ ପୂରଣ କରୁନଥିବାରୁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ କମ୍ପାନି ଏହି ଦୌଡ଼ରେ ନଥିଲା । କିନ୍ତୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଏସପି ତ୍ୟାଗୀ ବାୟୁସେନା ମୁଖ୍ୟ ହେବା ପରେ ଏହି ବୈଷୟିକ ମାନଦଣ୍ଡକୁ କିଛିଟା କୋହଳ କରିଥିଲେ । ଏହା ଫଳରେ ଅଗଷ୍ଟା ଏହି ଟେଣ୍ଡର ଦୌଡ଼ରେ ସାମିଲ ହୋଇପାରିଥିଲା । ଭାରତ ସରକାର ୨୦୧୦ରେ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବାକୁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ କମ୍ପାନୀ ସହ ୩୬୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। ତେବେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।

ଏହାପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ସିବିଆଇର ସ୍ୱତନ୍ତ୍ର ଟିମ ୨୦୧୬ରେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଡିଲର ତଦନ୍ତ ଦାୟିତ୍ୱ ନେଇଥିଲା। ଏହାପରେ ୨୦୧୭ ସେପ୍ଟେମ୍ବର ୧ରେ ପୂର୍ବତନ ଏୟାର ଚିଫ ମାର୍ଶଲ ଏସ୍‌ପି ତ୍ୟାଗୀ ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ ଦାଖଲ କରିଥିଲା।

Leave a comment