ବେଆଇନ ଗୋ’ ଚାଲାଣକାରୀଙ୍କ ନୂଆ ଫର୍ମୁଲା: ଚୋରା ବୋଲେରୋ ଓ ପିକ୍ ଅପ୍ ଭ୍ୟାନ୍‌ରେ ହେଉଛି ଗୋ-ଚାଲାଣ

ଡେରାବିଶ: ବେଆଇନ ଗୋ- ଚାଲାଣକାରୀ ମାନେ ପୁଲିସ୍ ଓ ଗୋ-ସୁରକ୍ଷା କାରୀମାନଙ୍କ ନଜରକୁ ଏଡ଼ାଇ ସୁରକ୍ଷିତ ଭାବେ ବେଆଇନ ଗୋ ଚାଲାଣ କରିବା ପାଇଁ ନୂଆ ନୂଆ ଫର୍ମୁଲା ଆପଣାଇବାରେ ଲାଗିଛନ୍ତି। ସେମାନେ ଏବେ ସାଙ୍ଗ କରିଛନ୍ତି କିଛି ଗାଡ଼ି ଲୁଟେରା ଗ୍ୟାଙ୍ଗଙ୍କୁ। ଏହି ଗାଡ଼ି ଲୁଟେରା ଗ୍ୟାଙ୍ଗର କାମ ହେଉଛି ନୂଆନୂଆ ଭଲ ଅବସ୍ଥାରେ ରହିଥିବା ବୋଲେରୋ ଏବଂ ପିକ୍‌ଅପ୍ ଭ୍ୟାନ୍‌କୁ ଚୋରାଇବା ଓ ଏହି ଚୋରା ଗାଡ଼ି ଗୁଡ଼ିକୁ ଗୋ ଚାଲାଣକାରୀମାନଙ୍କୁ ବିକ୍ରି କରିବା। ଏହି ଗୋ -ଚାଲାଣକାରୀମାନେ ବୋଲେରୋର ପଛ ସିଟ୍‌କୁ ଖୋଲି ସେଥିରେ ଅତି ଦୟନୀୟ ଭାବେ ଗୋରୁମାନଙ୍କ ଗୋଡ଼କୁ ବାନ୍ଧି ବସ୍ତା ରଖିଲା ଭଳି ଚାଲାଣ କରିଥାନ୍ତି। ପୂର୍ବରୁ ଏମାନେ ବଡ଼ବଡ଼ ଟ୍ରକ୍‌ରେ ଗୋରୁ ଚାଲାଣ କରୁଥିବା ବେଳେ ବାରମ୍ବାର ପୁଲିସ୍ ହାତରେ ଧରାପଡ଼ିବା ଗିରଫ ହେଉଥିବା ବେଳେ ଏବେ ଏହି ଉପାୟରେ ପୁଲିସ୍ ଆଦୌ ଟେର ପାଉନି।
ପୂର୍ବରୁ ଟ୍ରକ ଟ୍ରକ୍ ଗୋରୁ ଜବତ ହେଉଥିବା ବେଳେ ଚୋରା ଚାଲାଣକାରୀଙ୍କ ବିପୁଳ କ୍ଷତିହେଉଥିଲା । ହେଲେ ଏବେ ବୋଲେରୋ ଓ ପିକ୍‌ଅପ୍‌ରେ ଚାଲାଣ କରିବା ବେଳେ ଯଦିବା କେଉଁଠି ଧରା ପଡ଼ିଲା ତେବେ ଚାଲାଣକାରୀମାନେ ଗାଡ଼ି ଛାଡ଼ିପଳାଇଲେ ସେମାନଙ୍କ ଖୁବ୍ କମ୍ କ୍ଷତି ହେଉଛି। ଅପରପକ୍ଷେ ଚୋରା ଗାଡ଼ି ହୋଇଥିବାରୁ ଗାଡ଼ି ମଧ୍ୟ ହରାଇବାକୁ ପଡ଼ୁନାହିଁ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଚାନ୍ଦୋଳରୁ ଚୋରି ହୋଇଥିବା ଏକ ପିକ୍‌ଅପ୍ ଭ୍ୟାନ୍ କ୍ଷେତ୍ରରେ। ଚଳିତ ମାସ ୮ ତାରିଖ ବିଳମ୍ବିତ ରାତିରେ ଚାନ୍ଦୋଳ ବଜାରର ବ୍ୟବସାୟୀ ହେମନ୍ତ କୁମାର ସାହୁଙ୍କର ପିକ୍‌ଅର୍ପ ଭ୍ୟାନ୍ ଦୁର୍ବୁର୍ତମାନେ ବାଇକ୍‌ରେ ଆସି ଚୋରାଇ ନେଇଥିଲେ । ଏ ସମ୍ପର୍କରେ ଗାଡ଼ି ମାଲିକ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ୍ ବିଭିନ୍ନ ଥାନାକୁ ଖବର ଦେବା ସହ ଗାଡ଼ି ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲେ । ତେବେ ଶ୍ରୀ ସାହୁ ମଧ୍ୟ ନିଜଆଡ଼ୁ ବିଭିନ୍ନ ସ୍ଥାନରେ  ଖୋଜାଖୋଜି କରିଚାଲିଥିଲେ । ଗତକାଲି ସକାଳେ କୌଣସି ସୁତ୍ରରୁ ଖବର ପାଇ ପାଗାର ଏକ ପେଟ୍ରୋଲ ଟାଙ୍କି ନିକଟରେ ତାଙ୍କ ପିକ୍‌ଅପ୍ ଭ୍ୟାନ୍‌ଟି ରଖାଯାଇଥିବା ଜାଣି ତୁରନ୍ତ ସେଠାରେ ପହଂଚିଥିଲେ ଓ ପୋଲିସ୍ ସହାୟତାରେ ଗାଡ଼ିଟିକୁ ଉଦ୍ଧାର କରି ଆଣିଥିଲେ। ତେବେ ଏହି ଗାଡ଼ିର ଡାଲା ଭିତରେ ଗୋବର ଓ ଗୋମୁତ୍ର ଦେଖିବାକୁ ମିଳିଥିଲା । ଯାହାକି ଏହି ଘଟଣାର ସତ୍ୟତାକୁ ପ୍ରତିପାଦିତ କରିଛି।
ସେହିପରି ଏହି ବ୍ଳକ ଅନ୍ତର୍ଗତ ଓରଗଳା ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କ ମଧ୍ୟ ଏକ ବୋଲେରୋ ଚଳିତ ମାସ ୫ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ବନ୍ତଳା ଗ୍ରାମରୁ ଚୋରି ହୋଇଥଲା । ଏ ସଂକ୍ରାନ୍ତରେ ଶ୍ରୀ ପ୍ରଧାନ ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ କରିଥିଲେ। ମାତ୍ର ଦୁଇଦିନ ପରେ ଏହି ଗାଡ଼ିଟି ଜଗତପୁର ନିକଟରୁ ପୁଲିସ୍ ଉଦ୍ଧାର କରିଥିଲା । ହେଲେ ଦେଖିବାକୁ ମିଳିଥିଲା ବୋଲେରୋର ପଛସିଟ୍ ଖୋଲାଯାଇଛି ଓ ଗାଡ଼ି ଭିତରେ ଗୋବର ଓ ଗୋମୁତ୍ର ଲାଗିଛି । ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ସୂଚନା ମିଳୁଛି ଏବେ ବେଆଇନ ଗୋଚାଲାଣକାରୀ ଓ ଗାଡ଼ି ଚୋର ପରସ୍ପର ସଲାସୁତୁରାରେ ସେମାନଙ୍କର ଅପରାଧର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଏହି ଗାଡ଼ି ଚୋର ଓ ବେଆଇନ ଗୋ- ଚାଲାଣକାରୀଙ୍କୁ ତୁରନ୍ତ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
Leave a comment