ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୃତ୍ତି ପ୍ରୋତ୍ସାହନ ଅର୍ଥ ଆସିବାକୁ ଲାଗିଗଲା ୨୦ ବର୍ଷ, ପିଲାକୁ ନ ପାଇ ଫେରିଗଲା ଡ୍ରାଫ୍ଟ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ତତ୍‌‌କାଳୀନ ବେସିକ ସ୍କୁଲର ଛାତ୍ରୀ ମାଧୁରୀ ମଧୁମିତା ଦାସଙ୍କ ନିକଟକୁ ଦୀର୍ଘ ୨୦ ବର୍ଷ ପରେ ବୃତ୍ତି ଅର୍ଥ ଆସୁଛି। ସମ୍ପୃକ୍ତ ବୃତ୍ତିଧାରୀଙ୍କୁ ନ ପାଇ ଡ୍ରାଫ୍ଟ ଆକାରରେ ଆସିଥିବା ଅର୍ଥକୁ ଡାକବାଲା ଫେରାଇ ଦେଇଛି। ବିବରଣୀରୁ ପ୍ରକାଶ ଯେ, ମାଧୁରୀ ୨୦୦୧-୦୨ ଶିକ୍ଷାବର୍ଷରେ ୫ମ ଶ୍ରେଣୀ ବୃତ୍ତି ମେଧା ଆଧାରରେ ଭଦ୍ରକ ଶିକ୍ଷାଜିଲ୍ଲା-୧ରୁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ପରବର୍ତ୍ତୀ ୨ ବର୍ଷ ପାଇଁ ମାସକୁ ୨୦ ଟଙ୍କା ଲେଖାଏଁ ମୋଟ ୪୮୦ ଟଙ୍କା ସରକାରଙ୍କ ପକ୍ଷରୁ ବୃତ୍ତିଧାରୀ ଛାତ୍ରୀଙ୍କୁ ଶିକ୍ଷା ପ୍ରୋତ୍ସାହନ ପାଇଁ ଦେବାକୁ ବ୍ୟବସ୍ଥା ରହିଥିଲା। ମାତ୍ର ମାଧୁରୀକୁ ପ୍ରଥମ ୩ ମାସର ଅର୍ଥ ୬୦ ଟଙ୍କା ମିଳିଥିଲା ୨୦୦୭ ମସିହାରେ।

ଏହାପରେ ଆଉ ଅର୍ଥ ନ ମିଳିବାରୁ ପିତା ସୂଚନା ଅଧିକାର ଆଇନ ବଳରେ ନ ମିଳିବା କାରଣ ସମ୍ପର୍କରେ ଭଦ୍ରକ ଶିକ୍ଷାଜିଲ୍ଲା-୧ ଜନସୂଚନା ଅଧିକାରୀଙ୍କୁ ୨୦୦୮ ମସିହାରେ ଆବେଦନ କରିଥିଲେ। କୌଣସି ଉତ୍ତର ମିଳି ନ ଥିଲା। ଶିକ୍ଷା ବିଭାଗ ପୁନର୍ଗଠନ ହେବା ପରେ ଭଦ୍ରକ ଶିକ୍ଷାଜିଲ୍ଲା-୧ ଜନସୂଚନା ଅଧିକାରୀଙ୍କ ବିରୋଧରେ ସୂଚନା ଅଧିକାର ଅପିଲ ଆବେଦନ ଡିଇଓଙ୍କୁ ହୋଇଥିଲା। ମାତ୍ର କେହି କର୍ଣ୍ଣପାତ କରି ନ ଥିଲେ। ଏ ସମ୍ପର୍କରେ ଶିକ୍ଷା ନିର୍ଦ୍ଦେଶାଳୟ ଜନସୂଚନା ଅଧିକାରୀଙ୍କଠାରେ ନୂତନ ଆବେଦନ ଓ ଅପିଲ ଆବେଦନ ହୋଇଥିଲା। କୌଣସି ସୁଫଳ ନ ମିଳିବାରୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅପିଲ ଆବେଦନ ହୋଇ ୨୦୨୧ ମସିହାରେ ଶୁଣାଣି ହୋଇଥିଲା।

ସରକାରଙ୍କ ପକ୍ଷରୁ ଏ ନେଇ ଅର୍ଥ ବରାଦ ନ ଥିବାରୁ ବୃତ୍ତି ଅର୍ଥ ଦିଆଯାଇ ନାହିଁ ବୋଲି ଉତ୍ତର ରଖାଯାଇଥିଲା। ଏ ସମ୍ପର୍କରେ ଚୂଡ଼ାନ୍ତ ଶୁଣାଣି ହେବା ପୂର୍ବରୁ ୨୦୨୧ ମସିହାରେ ଡ୍ରାଫ୍ଟ ଆକାରରେ ବକେୟା ୨୧ ମାସର ୪୨୦ ଟଙ୍କା ଅର୍ଥ ଡାକରେ ଦକ୍ଷିଣବାଡ ବାସଭବନ ଠିକଣାରେ ଆସିଥିଲା। ମାତ୍ର ବିଭା ହୋଇ ତାମିଲନାଡୁରେ ଘର ସଂସାର କରୁଥିବା ମାଧୁରୀକୁ ନ ପାଇ ଡାକବାଲା ଡ୍ରାଫ୍ଟଟଙ୍କାକୁ ଫେରାଇ ଦେଇଥିବା ଜଣାଯାଇଛି। ଏହାର ୨ ବର୍ଷ ପରେ ଏବେ ମାଧୁରୀଙ୍କ ସଠିକ ଠିକଣା ଦେବା ପାଇଁ ପୁନଶ୍ଚ ଚିଠି ଆସିଥିବାରୁ ସାଧାରଣରେ କୌତୁହଳ ପ୍ରକାଶ ପାଇଛି। ବୃତ୍ତି ଅର୍ଥ ପ୍ରଦାନରେ ପ୍ରଶାସନର ଆନ୍ତରିକତା ଏହା ଦ୍ୱାରା ପଦାରେ ପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.