ଫୋରେନ୍‌ସିକ୍‌ ସାଇନ୍ସରେ କ୍ୟାରିୟର୍‌ କରିବାକୁ ଚାହୁଁଥିଲେ ଜାଣନ୍ତୁ ସମସ୍ତ ସୂଚନା

ବିଜ୍ଞାନଭିତ୍ତିକ ବିଷୟରେ ରୁଚି ରଖୁଥିବା ଏବଂ କୌଣସି ଘଟଣାର ପୁଙ୍ଖାନୁପୁଙ୍ଖ ସନ୍ଧାନ କରିବାରେ ଆଗ୍ରହ ଥିଲେ, ସେମାନଙ୍କ ପାଇଁ ଫୋରେନ୍‌ସିକ୍‌ ସାଇନ୍ସ ଏକ ଭଲ କ୍ୟାରିୟର୍‌ ହୋଇପାରିବ। ବର୍ତ୍ତମାନ ଫୋରେନ୍‌ସିକ୍‌ ସାଇନ୍ସ କ୍ଷେତ୍ରରେ ଯୁବପିଢ଼ି ଅଧିକ ଆଗ୍ରହ ଦେଖାଉଛନ୍ତି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଫୋରେନ୍‌ସିକ୍‌ ସାଇନ୍ସ ପାଇଁ ଭଲ ଚାକିରି ଅବସର ରହିଛି।

ଆଜିକାଲି ଅପରାଧ ବହୁସଂଖ୍ୟାରେ ବଢ଼ିଚାଲିଛି। ତେଣୁ ଅପରାଧୀକୁ ଗିରଫ କରି ଦଣ୍ଡବିଧାନ କରିବା କ୍ଷେତ୍ରରେ ଫୋରେନ୍‌ସିକ୍‌ ସାଇନ୍ସ ଏକ୍ସପର୍ଟମାନଙ୍କ ଆବଶ୍ୟକତା ଅଛି। ଫୋରେନ୍‌ସିକ୍‌ ପରୀକ୍ଷଣ ପରେ ଘଟଣା ସମ୍ପର୍କରେ ଅନେକ ତଥ୍ୟ ଜାଣିହୁଏ। ଯାହା ଫଳରେ ସଠିକ୍‌ ପ୍ରମାଣ ମିଳିଥାଏ ଏବଂ ଅପରାଧୀକୁ ଗିରଫ କରିବା ପାଇଁ ସହଜ ହୋଇଥାଏ। ତେଣୁ ଫୋରେନ୍‌ସିକ୍‌ ସାଇନ୍ସ କୋର୍ସ କରିବା ପରେ ପୁଲିସ୍‌, ଆଇନ ବିଭାଗ, ସନ୍ଧାନକାରୀ ବିଭାଗ, ଭିଜିଲାନ୍ସ ସଂସ୍ଥା, ବେସରକାରୀ ଅନୁସନ୍ଧାନକାରୀ ସଂସ୍ଥା ଆଦିରେ ଭଲ ଚାକିରି ଅବସର ଅଛି। ଫୋରେନ୍‌ସିକ୍‌ ସାଇନ୍ସ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିଙ୍କୁ ଫୋରେନ୍‌ସିକ୍‌ ସାଇଣ୍ଟିଷ୍ଟ୍‌ ବୋଲି କୁହାଯାଏ ଏବଂ ସେମାନଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଓ ସିବିଆଇ ପକ୍ଷରୁ ନିଯୁକ୍ତ କରାଯାଇଥାଏ। ଏହା ବ୍ୟତୀତ ମାଷ୍ଟର୍‌ ଡିଗ୍ରୀ ବା ପିଏଚ୍‌ଡି କରିବା ପରେ, ଏ କ୍ଷେତ୍ରରେ ଶିକ୍ଷାଦାନ ମଧ୍ୟ କରିପାରିବେ। ଏ କ୍ଷେତ୍ରରେ ଆକର୍ଷଣୀୟ ଦରମା ମଧ୍ୟ ମିଳିଥାଏ।

ଏଥିସହିତ ପଢ଼ନ୍ତୁ

ଶିକ୍ଷାଗତ ଯୋଗ୍ୟତା
ଫୋରେନ୍‌ସିକ୍‌ ସାଇନ୍ସରେ କ୍ୟାରିୟର୍‌ କରିବାକୁ ହେଲେ ଅତିକମ୍‌ରେ ବିଜ୍ଞାନରେ ଦ୍ବାଦଶ ପାସ୍‌ ହେବା ଜରୁରି। ଏହାପରେ ଫୋରେନ୍‌ସିକ୍‌ ସାଇନ୍ସରେ ବ୍ୟାଚଲର୍‌ ଡିଗ୍ରୀ କିମ୍ବା ଡିପ୍ଲୋମା କୋର୍ସ କରିପାରିବେ। ଏହା ସହିତ କଥା କହିବାର ଶୈଳୀ ମଧ୍ୟ ଜଣାଥିବା ଆବଶ୍ୟକ। କାରଣ ଅନେକ ସମୟରେ କୋର୍ଟ କେସ୍‌ କ୍ଷେତ୍ରରେ ନିଜ ମତକୁ ଦୃଢ଼ ଓ ବୁଝିପାରିବା ଭଳି ପ୍ରକାଶ କରିବା ଦରକାର ହୋଇଥାଏ। ସେହିପରି ରିପୋର୍ଟ ଲେଖିବା ପାଇଁ ରାଇଟିଙ୍ଗ୍‌ ସ୍କିଲ୍‌ ଉପରେ ଦକ୍ଷତା ଥିବା ଆବଶ୍ୟକ। ଇଂରାଜୀ ଜ୍ଞାନ ମଧ୍ୟ ରହିଥିବା ଜରୁରୀ। ଏ କ୍ଷେତ୍ରରେ ଭଲ କ୍ୟାରିୟର୍‌ କରିବା ପାଇଁ ‘ଡିପ୍ଲୋମା ଇନ୍‌ ଫୋରେନ୍‌ସିକ୍‌ ସାଇନ୍ସ ଆଣ୍ଡ୍‌ କ୍ରିମିନୋଲୋଜି’, ‘ବିଏସ୍‌ସି ଇନ୍‌ ଫୋରେନ୍‌ସିକ୍‌ ସାଇନ୍ସ’, ‘ବିଏସ୍‌ସି ଇନ୍‌ ଫୋରେନ୍‌ସିକ୍‌ ସାଇନ୍ସ ଆଣ୍ଡ୍‌ କ୍ରିମିନୋଲୋଜି’, ଏମ୍‌ଏ ଇନ୍ କ୍ରିମିନୋଲୋଜି ଆଣ୍ଡ୍‌ କ୍ରିମିନାଲ୍‌ ଜଷ୍ଟିସ୍‌, ଏମ୍‌ଏସି ଇନ୍‌ କ୍ରିମିନୋଲୋଜି ଆଣ୍ଡ୍‌ ଫୋରେନ୍‌ସିକ୍‌ ସାଇନ୍ସ’ ଏବଂ ‘ଏମ୍ଏସି ଇନ୍‌ ସାଇବର୍‌ ଫୋରେନ୍‌ସିକ୍‌ ଆଣ୍ଡ୍‌ ଇନ୍‌ଫର୍‌ମେସନ୍‌ ସିକ୍ୟୁରିଟି’ ଆଦି କୋର୍ସ କରିପାରିବେ।

ନିଯୁକ୍ତି
ଏ କ୍ଷେତ୍ରରେ ଅନେକ ନିଯୁକ୍ତ ସୁଯୋଗ ରହିଛି। ଯଥା – ଫୋରେନ୍‌ସିକ୍‌ ପାଥୋଲୋଜି, କ୍ରାଇମ୍‌ ସିନ୍‌ ଇନ୍‌ଭେଷ୍ଟିଗେସନ୍‌, ଫୋରେନ୍‌ସିକ୍‌ ଆନ୍‌ଥ୍ରୋପୋଲୋଜି, ଫୋରେନ୍‌ସିକ୍‌ ଇଞ୍ଜିନିୟର୍‌, ଫୋରେନ୍‌ସିକ୍‌ ଏଣ୍ଟୋମୋଲୋଜି, ଟକ୍ସିକୋଲୋଜି, ଫୋରେନ୍‌ସିକ୍‌ କେମିଷ୍ଟ୍‌, ଫୋରେନ୍‌ସିକ୍‌ ସିରୋଲୋଜି, ଫୋରେନ୍‌ସିକ୍‌ ଆର୍ଟିଷ୍ଟ୍‌ ଇତ୍ୟାଦି।

ପ୍ରମୁଖ ସଂସ୍ଥାନ
ପଞ୍ଜାବ ବିଶ୍ବବିଦ୍ୟାଳୟ , ଭୀମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟ , ଦିଲ୍ଲୀ ବିଶ୍ବବିଦ୍ୟାଳୟ , ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ, ମଣିପାଲ୍‌ ବିଶ୍ବବିଦ୍ୟାଳୟ , ଗୁଜରାଟ ଫୋରେନ୍‌ସିକ୍‌ ସାଇନ୍ସେଜ୍ ବିଶ୍ବବିଦ୍ୟାଳୟ, ଗଭର୍ଣ୍ଣମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫୋରେନସିକ୍ ସାଇନ୍ସ (ଭୋପାଳ), ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବ୍ରୋଟୋରୀ(ହାଇଦ୍ରାବାଦ), ସେଣ୍ଟ୍ରାଲ୍‌ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ(ଚଣ୍ଡିଗଡ଼)।

ରୋଜଗାର
ଚାକିରିର ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କା ଦରମା ମିଳିଥାଏ। କିନ୍ତୁ ଅଭିଜ୍ଞତା ପରେ ଏହା ବୃଦ୍ଧି ଘଟି ବାର୍ଷିକ ୭ରୁ ୮ ଲକ୍ଷ ଟଙ୍କା ମିଳେ। ବିଦେଶରେ ଏହାର ଚାହିଦା ଅଧିକ ଥିବାରୁ , ବିଦେଶରେ ଚାକିରି ଅବସର ମଧ୍ୟ ଅଧିକ । ଏହା ସହିତ ବିଦେଶରେ ମାସିକ ଦରମା ମଧ୍ୟ ଅଧିକ ହୋଇଥାଏ।

Leave a comment