ପ୍ରଚାର ଗହଳିରେ ଗଞ୍ଜେଇ ଚାଲାଣ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଚୋରା ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୦ କେଜି ଗଞ୍ଜେଇ ଓ ୧୫ ଲକ୍ଷ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁଦିପ ପାଇକା ଓ କୈଳାଶ ବୀର। ଅନ୍ୟ ଜଣେ ଅଭିଯୁକ୍ତ ଲୋଚାପଡ଼ା ଅଞ୍ଚଳର ମନୋଜ କୁମାର ପଣ୍ଡା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି ବାଇକ୍‍ ଜବତ କରାଯିବା ସହ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏତେ ପରିମାଣର ଗଞ୍ଜେଇ ସହ ନଗଦ ୧୫ ଲକ୍ଷ ଟଙ୍କା ପ୍ରଥମ ଥର ପାଇଁ ବ୍ରହ୍ମପୁର ପୁଲିସ ଧରିଛି। ଗିରଫ ଅଭିଯୁକ୍ତମାନେ ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଅଞ୍ଚଳର ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ପୌର ନିର୍ବାଚନ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ସାହି ସାହି ଗଳି ଗଳିରେ ଦଳୀୟ କର୍ମୀ ଏବଂ ନେତାମାନେ ପ୍ରଚାର କରୁଛନ୍ତି।

ଏହାର ସୁଯୋଗ ନେଇ ଉପରୋକ୍ତ ୩ ଜଣ ଯୁବକ ଗୋଟିଏ ବାଇକ୍‍ ଓ ଗୋଟିଏ ସ୍କୁଟି ଗାଡିରେ ଗଞ୍ଜେଇ ବସ୍ତା ନେଇ ଆସ୍କା ରୋଡ୍‍ ଶ୍ରୀରାମ ନଗର ଛକ ଦେଇ ପ୍ରଚାର ଗହଳି ମଧ୍ୟରେ ଦ୍ରୁତ ବେଗରେ ଯାଉଥିଲେ। ସେହି ରାସ୍ତା ଦେଇ ପାଟ୍ରୋଲିଂ କରୁଥିବା ବଡବଜାର ଥାନା ପୁଲିସ ଏସ୍‍ଆଇ ପ୍ରଫୁଲ୍ଳ କୁମାର ସାହୁ ବଡ ଜରି ବ୍ୟାଗ ଥିବା ସ୍କୁଟି ଗାଡିକୁ ସନ୍ଦେହରେ ଅଟକାଇଥିଲେ। ଗାଡି ଚଲାଉଥିବା ମନୋଜ ଗାଡି ଅଟକାଇବା ବାହାନାରେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ପୁଲିସ ଉକ୍ତ ଗାଡିରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ସୁଦୀପ ପାଇକାଙ୍କୁ କାବୁ କରିଥିଲା। ଜରି ବ୍ୟାଗ ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା। ଓଜନ କରିବାରେ ତାହା ୪୦ କେଜି ଥିବା ଜଣାପଡ଼ିଥିଲା।

ପୁଲିସ ସନ୍ଦେହରରେ ସ୍କୁଟିର ଡିକି ଯାଞ୍ଚ କରିବାରେ ସେଥିରେ ୧୫ ଲକ୍ଷ ନଗଦ ଟଙ୍କା ବିଡା ବନ୍ଧା ହୋଇ ଥିବା ଦେଖି ତାହାକୁ ମଧ୍ୟ ଜବତ କରିଥିଲା। ଗଞ୍ଜେଇ ଗାଡିକୁ ରାସ୍ତା ଦେଖାଉଥିବା ଅନ୍ୟ ଏକ ବାଇକ୍‍ରେ ଆସୁଥିବା କୈଳାଶ ବୀରକୁ ମଧ୍ୟ ପୁଲିସ୍‍ କାବୁ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଥିବା ମନୋଜ ପଣ୍ଡାଙ୍କ ନାମ ପୁଲିସ ନିକଟରେ କହିଥିଲେ। ପୁଲିସ ମନୋଜଙ୍କ ଲୋଚାପଡ଼ାସ୍ଥିତ ଘର ନିକଟକୁ ଯାଇ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନୋଜ ପଣ୍ଡାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଟିମ୍‍ ପ୍ରସ୍ତୁତ ହୋଇଛନ୍ତି।

Leave a comment