ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର: ପିଆରଏମରେ ଖୋଲିବ କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର

ବାରିପଦା: ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସପିଟାଲ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚାକିତ୍ସା କେନ୍ଦ୍ର। ଏଣିକି ମୟୁରଭଞ୍ଜ ଜିଲ୍ଲାର କର୍କଟ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନି। ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଟାଟା ମେମୋରିଆଲ ହସପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଏମଓୟୁ ହୋଇସାରିବା ପରେ ଗୁରୁବାର ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ କର୍କଟ ରୋଗ ବିଶେଷଜ୍ଞ ଡକ୍ଟର ସୁଭର୍ଣ୍ଣା କର ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କନସୋଲଟାଣ୍ଡ ଲଳିତ ମୋହନ ସାହୁ ଉଭୟ ବାରିପଦା ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସମେତ ମୟୁରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞ ଦଳ ହସ୍ପିଟାଲରେ ଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ବୁଲି ଦେଖିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଖୁବ୍ ଶୀଘ୍ର ଏହି ଚିକିତ୍ସା ସୁବିଧା ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ଯକାରୀ ହେବ ଏବଂ ପ୍ରଥମ ପର୍ଯ୍ଯାୟରେ ୧୦ ଟି ବେଡ଼ର ବ୍ୟବସ୍ଥା ରଖାଯିବ ବୋଲି ଜଣାପଡିଛି ।

Leave a comment