ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁଆଡେ ଗଲେ ଶର୍ମିଷ୍ଠା? : ଜାତୀୟ ଦଳ ସହ ଗୁୁରୁମା’ଙ୍କ ଲିଙ୍କ୍‍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର/ ଭଦ୍ରକ/ଧର୍ମଶାଳା : ଦିନ ଗଡ଼଼ିବା ସହ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ଘଟଣା ରହସ୍ୟମୟ ହେବାକୁ ଲାଗିଛି। ପ୍ରତିଦିନ ଏହି କାହାଣୀରେ ଜଣଙ୍କ ପରେ ଜଣଙ୍କ ନାମ ଯୋଡ଼ି ହୋଇ ଯାଉଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ‘ସମ୍ପୂର୍ଣ୍ଣା’ ୱେବ୍‍ ଚ୍ୟାନେଲର ମୁଖ୍ୟ ଶର୍ମିଷ୍ଠା ରାଉତ, ତାଙ୍କର ଜଣେ ମହିଳା ସହଯୋଗୀଙ୍କ ପରେ ଏବେ ଜଣେ ଗୁରୁମା’ ଭାବରେ ପରିଚିତ ସମାଜସେବୀଙ୍କ ନାଁ ପଦାକୁ ଆସିଛି। ଶର୍ମିଷ୍ଠାଙ୍କ ପାଇଁ ଏହି ଗୁରୁମା ସୁରକ୍ଷା କବଚ ସାଜିଥିଲେ। ସବୁ କ୍ଷେତ୍ରରେ ସେ ଶର୍ମିଷ୍ଠାଙ୍କୁ ସୁରକ୍ଷା ଦେଉଥିଲେ। ତାଙ୍କର ଏକ ଜାତୀୟ ରାଜନୈତିକ ଦଳର କିଛି ନେତାଙ୍କ ସହ ବେଶ୍‍ ଭଲ ସମ୍ପର୍କ ରହିଥିଲା ଓ ରାଜଧାନୀରେ ପ୍ରାଧାନ୍ୟ ରହିଥିଲା। ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ବିତର୍କରେ ଗୁରୁ ମା’ଙ୍କୁ ଦେଖିବାକୁ ମିିଳୁଥିଲା। ବେଶ୍‍ ପ୍ରଭାବଶାଳୀ କୁହାଯାଉଥିବା ଏହି ଗୁରୁ ମା’ଙ୍କ ଛତ୍ରଛାୟା ତଳେ ଶର୍ମିଷ୍ଠା ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି।

ଘଟଣା ପରେ ଶର୍ମିଷ୍ଠା ରାଜଧାନୀ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବାରୁ ତାଙ୍କୁ ଗିରଫ ପାଇଁ ୩ଟି ଟିମ୍‍ ଗଠନ କରାଯାଇଛି। ଦୁଇଟି ଟିମ୍‍ ରାଜଧାନୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ବେଳେ ଅନ୍ୟ ଏକ ଟିମ୍‍ ରାଜ୍ୟ ବାହାରେ ଚଢଉ କରୁଛନ୍ତି। ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଚାନ୍ଦବାଲି ପୁଲିସ କହିଛି। ହେଲେ ଏବେ ପୁଲିସ ଶର୍ମିଷ୍ଠା ଏବଂ ମହିଳା ସମାଜସେବୀଙ୍କ ଲିଙ୍କ୍‍ ଖୋଜୁଛି। ପୁଲିସ ଅଭିଯୁକ୍ତା ଶର୍ମିଷ୍ଠାଙ୍କୁ ଫୋନ୍‍ ନମ୍ବର ଆଧାରରେ ଯାଞ୍ଚ କରୁଛି। ହତ୍ୟା ପୂର୍ବରୁ ଏବଂ ହତ୍ୟା ପରଠୁ ସେମାନେ କେତେ ଥର କଥା ହୋଇଛନ୍ତି। ଏବଂ ଶର୍ମିଷ୍ଠା କାହା କାହା ସହ କଥା ହୋଇଛନ୍ତି ତାହା ପୁଲିସ ଯାଞ୍ଚ କରୁଛି।

ଅନ୍ୟପକ୍ଷରେ ମୃତ ମାନସର ମୋବାଇଲ୍‍ ପୁଲିସ ହାତରେ ଲାଗିଛି। ଯାଞ୍ଚ ପରେ ମାନସ ମୋବାଇଲ୍‍ ଟ୍ରାକ୍‍ କରି ପୁଲିସ ଚଣ୍ଡିଖୋଲରେ ପହଞ୍ଚିଥିଲା। ୧୬ ନମ୍ୱର ଜାତୀୟ ରାଜପଥର ଚଣ୍ଡିଖୋଲ ଜାରକା ଶଙ୍ଖାରିଡିହ ଠାରେ ରାସ୍ତା କଡ଼ରୁ ମୋବାଇଲଟି ପଡ଼ି ରହିଥିଲା। ସେହି ଅଞ୍ଚଳରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିବା ଜାରକା ଅଞ୍ଚଳର ସୁରେଶ ନାୟକ ଏହି ମୋବାଇଲ ପାଇଥିଲେ। ମୋବାଇଲ ପାଇଥିବା ସୁରେଶ ମୋବାଇଲକୁ ଅପରେଟ କରି ନ ପାରିବାରୁ ଏକ ଦୋକାନୀକୁ ଦେଖାଇଥିଲେ। ମୋବାଇଲକୁ ବାରମ୍ୱାର କଲ୍‍ ଆସୁଥିବାରୁ ଦୋକାନୀ ଜଣକ ଉଠାଇଥିଲେ। ଏହି ସମୟରେ ମୋବାଇଲ କେଉଁଠାରେ ଅଛି ପଚରାଯିବାରୁ ଦୋକାନୀ ଜଣକ ଠିକଣା ବତାଇଥିଲେ। ଯାହା ଫଳରେ ଚାନ୍ଦବାଲି ପୋଲିସ ଧର୍ମଶାଳା ପୋଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ପାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ମୋବାଇଲକୁ ଜବତ କରିଥିଲା। ତେବେ ମୋବାଇଲ ବିଷୟରେ କିଛି ଜାଣିନ ଥିବା କହିଛନ୍ତି ସୁରେଶ। ମାନସଙ୍କୁ ଅପହରଣ କରି ନେବା ସମୟରେ ବାଟରେ ତାଙ୍କୁ ମାଡ଼ ମାରି ମୋବାଇଲ୍‍ ଫିଙ୍ଗି ଦେଇଥିବା ମନେ କରାଯାଉଛି। ପୁଲିସ ଏହି ମୋବାଇଲ୍‍ ଖୋଲି ଯାଞ୍ଚ କରୁଛି। ହତ୍ୟା ସମ୍ପର୍କରେ ମୋବାଇଲରେ  କିଛି ପ୍ରମାଣ ଅଛି କି ନାହିଁ ଯାଞ୍ଚ କରାଯାଉଛି।

ଅନ୍ୟପଟରେ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ୱେବ୍‍ ପୋର୍ଟାଲ ନାଁରେ ବ୍ଲାକ୍‍ମେଲିଂ କରୁଥିବା ମଧ୍ୟ ଇତିମଧ୍ୟରେ ନୂଆ ଅଭିଯୋଗ ପୁଲିସ ନିକଟରେ ପହଞ୍ଚିଛି। ରାଜଧାନୀରୁ ଜଣେ ପ୍ରତିଷ୍ଠିତ ଡାକ୍ତର ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଛନ୍ତି। ଡାକ୍ତର ବିପତ୍ନୀକ ଓ ତାଙ୍କର ପିଲାମାନେ ବିଦେଶରେ ରହନ୍ତି। ତାଙ୍କୁ ଫାଶରେ ପକାଇବାକୁ ଶର୍ମିଷ୍ଠା ଯୋଜନା କରିଥିଲେ ଓ ଏହି ତଥାକଥିତ ଗୁରୁମା’ ତାଙ୍କୁ ସହଯୋଗ କରିଥିଲେ। ରାଜଧାନୀରେ ଏକ ଜମିକୁ ହାତେଇବା ପାଇଁ ଏହି ଡାକ୍ତରଙ୍କୁ ଟାର୍ଗେଟ କରିଥିଲା ଶର୍ମିଷ୍ଠା। ଡାକ୍ତରଙ୍କୁ ଫସାଇବା ପାଇଁ ଜଣେ ମହିଳାଙ୍କୁ ଗଳା କର୍କଟ ରୋଗୀ ଭାବରେ ତାଙ୍କ ନିକଟକୁ ପଠାଯାଇଥିଲା। ଏହାପରେ ଡ଼ାକ୍ତରଜଣକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରି ବ୍ଲାକ୍‍ମେଲିଂ କରିବା ଆରମ୍ଭ କରିଥିଲେ ଶର୍ମିଷ୍ଠା। ୫ ଲକ୍ଷ ଟଙ୍କା ନ ଦେଲେ ଡାକ୍ତରଙ୍କୁ ବଦନାମ କରିଦେବାକୁ ଧମକ ଦେଇଥିଲେ। ଏପରିକି ରାଜଧାନୀରେ ଏକ ଜମି ହାତେଇବାକୁ ଡାକ୍ତରଙ୍କୁ ଶିକାର ବନାଇଥିଲେ ଶର୍ମିଷ୍ଠା। ଥାନାକୁ ଅଭିଯୋଗ କରିବାକୁ ଡାକ୍ତର ଯିବାକୁ ଉଦ୍ୟମ କରିବାରୁ ତାଙ୍କୁ ଗାଳିଗୁଲଜ ସହ ତାଙ୍କର ସମ୍ମାନହାନୀ କରିବାର ଧମକ ଶର୍ମିଷ୍ଠାଙ୍କ ତଥାକଥିତ ଗୁରୁ ମା’। ଏବେ ଶର୍ମିଷ୍ଠାଙ୍କ କାରବାର ପଦାକୁ ଆସିବା ପରେ ଡାକ୍ତର ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଏପଟେ ମାନସ ହତ୍ୟା ଘଟଣାରେ ଶର୍ମିଷ୍ଠାଙ୍କ ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗରେ ତାଙ୍କର ମା’ ମୁହଁ ଖୋଲିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନରେନ୍ଦ୍ରପୁରରେ ରହୁଥିବା ଶର୍ମିଷ୍ଠାଙ୍କ ମା’ ବାସନ୍ତୀ ରାଉତଙ୍କ ଝିଅ ହେଉଛନ୍ତି ଶର୍ମିଷ୍ଠା। ସେ କହିଛନ୍ତି ଯେ ଟିଭିରୁ ଏ ସମ୍ପର୍କରେ ସବୁ ଶୁଣିଛନ୍ତି। ଯଦି ତାଙ୍କ ଝିଅ ଏହି ଘଟଣାରେ ଦୋଷୀ ହୋଇଥିବ ତେବେ ତାକୁ ନିଶ୍ଚିତ ଦଣ୍ଡମିଳିବା ଉଚିତ୍‍ ବୋଲି ବାସନ୍ତୀ କହିଛନ୍ତି।

Leave A Reply

Your email address will not be published.