ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ବଣ ପରେ ତାତିବ ରାଜନୀତି: ଆରମ୍ଭ ହୋଇଛି ବିଜେଡିର ‘ଜନସମ୍ପର୍କ’, କଂଗ୍ରେସର ‘ପରିବର୍ତ୍ତନ’ ଯାତ୍ରା ଓ ବିଜେପିର ୱାର୍ଡକୁ ‘ଶକ୍ତିକେନ୍ଦ୍ର’ ରୂପେ ଗଢ଼ିବାକୁ ଯୋଜନା….

ନଭେମ୍ବରରେ ଧାମନଗର, ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର: ଶୀତ ନ ଆସୁଣୁ ପାର୍ବଣ ଆଣିଛି ରାଜ୍ୟ ରାଜନୀତିରେ ଆକସ୍ମିକ ଉଷ୍ଣତା । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଦଶହରା ସରୁସରୁ ଚଳିତ ମାସ ୭ ତାରିଖରୁ ନିର୍ବାଚନପ୍ରକ୍ରିୟା ଆରମ୍ଭ ହେବ ଓ ନଭେମ୍ବର ୩ ତାରିଖରେ ଭୋଟ । ଅନୁରୂପ ଭାବରେ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଆକସ୍ମିକ ପରଲୋକ ମଧ୍ୟ ଉପନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଛି । ସୂଚନା ଅନୁସାରେ ଡ଼ିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପନିର୍ବାଚନ ହୋଇପାରେ । ଗାନ୍ଧୀଜୟନ୍ତୀରୁ ରାଜ୍ୟର ୩ ରାଜନୈତିକ ଦଳ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଉପନିର୍ବାଚନ ଘୋଷଣା ଏହାକୁ ଅଧିକ ତୀବ୍ର କରିବା ସମ୍ଭାବନା ସୃଷ୍ଟି କରିଛି ।

୨୦୧୦ ପରେ ରାଜ୍ୟରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜେୟ ରହିଛି । ଦଳର ସଭାପତିଙ୍କ ଲକ୍ଷ୍ୟଭେଦୀ ରଣକୌଶଳ ନିକଟରେ ବିରୋଧୀ ନତମସ୍ତକ ହୋଇଛନ୍ତି । ପ୍ରତ୍ୟେକ ଉପନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ୱାର୍ଡସ୍ତର ପ୍ରସ୍ତୁତିଠାରୁ ଭୋଟ ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବରେ ପରିଚାଳନା କରିବା କ୍ଷେତ୍ରରେ ପ୍ରତିପକ୍ଷ ରାଜନୈତିକ ଦଳଗୁଡ଼ିକ ବିଜେଡିର ସମକକ୍ଷ ହୋଇପାରି ନାହାନ୍ତି । ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପାଟକୁରା ନିର୍ବାଚନ ଓ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି । ଏପରିକି ୨୦୧୯ରେ ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଥିବା ବିଜେପି ଉପନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା । ତିର୍ତ୍ତୋଲ, ପିପିଲି ଓ ବିଜେପୁରରେ ଉପନିର୍ବାଚନ ଭୋଟ ସଂଖ୍ୟା ପୂର୍ବଠାରୁ ଢେ଼ର ଅଧିକ ବୃଦ୍ଧି ପାଇଥିଲା । ବିଜେପୁର ଭିନ୍ନ ଅନ୍ୟ ଉପନିର୍ବାଚନଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସ୍ଥାନକୁ ପ୍ରଚାର କରିବାକୁ ଯାଇ ନ ଥିଲେ; କିନ୍ତୁ ତାଙ୍କର ରଣନୀତି ଦଳକୁ ବିଶାଳ ବିଜୟ ଦେଇଥିଲା ।

ଏହି ପରିପ୍ରେକ୍ଷୀରେ ବିଜେଡି ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଦଳ ଢେ଼ର ଆଗରୁ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ଛାମୁଆ ସଙ୍ଗଠନଗୁଡ଼ିକୁ ପୁନର୍ଗଠନ କରାଯାଇ ସାରିଛି । ଗାନ୍ଧୀଜୟନ୍ତୀଠାରୁ ଦଳ ପକ୍ଷରୁ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ଏବଂ ଏହି ସମୟରେ ଦଳୀୟ କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରତ୍ୟେକ ପରିବାରରେ ପହଞ୍ଚାଇବାକୁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଗାନ୍ଧୀଙ୍କ ଆଦର୍ଶକୁ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଆସନରେ ବିଜୟ ଲାଭ କରିବା ଲକ୍ଷ୍ୟରେ ଅଛି ବିଜୁ ଜନତା ଦଳ । ଯୁବ, ଛାତ୍ର ଓ ମହିଳା ସଂଗଠନର ପୁର୍ନଗଠନ କରାଯିବା ପରେ ନିର୍ବାଚନ ରଣନୀତିକୁ ଜୋରଦାର୍‌ କରିଛନ୍ତି ଦଳୀୟ ନେତା । ପଞ୍ଚାୟତ ଓ ପୌର ନିର୍ବାଚନରେ ୧.୨ କୋଟିରେ ପହଞ୍ଚିଥିବା ଭୋଟକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ମଧ୍ୟ ଯୋଜନା କରାଯାଇଛି । ଗତ ବିଧାନସଭା, ଲୋକସଭା ଭୋଟ ହାର ଓ ସଂଖ୍ୟା ସହ ପଞ୍ଚାୟତ ଓ ପୌର ଭୋଟ ସଂଖ୍ୟାକୁ ନେଇ ଅତି ସତର୍କତାର ସହ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ନିକଟରେ ବିଭିନ୍ନ ଛାମୁଆ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ବିିଭିନ୍ନ ଜୋନର ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କ ଦାୟିତ୍ୱ ଅଦଳବଦଳ କରାଯାଇଛି । ଆଗକୁ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ଷେତ୍ରରେ ଅଦଳ ବଦଳ କରାଯିବା ସମ୍ଭାବନା ଅଛି । ନବୀନଙ୍କୁ ୬ଷ୍ଠ ଥର ଶାସନ ଗାଦିରେ ବସାଇବା ପାଇଁ ଅଙ୍କକଷା ଆରମ୍ଭ ହୋଇଛି । ଧାମନଗର ବିଧାନସଭା ଉପନିର୍ବାଚନରୁ ଏହାର ପ୍ରକ୍ରିୟା ଆରମ୍ଭ କରିବାକୁ ଦଳ ନକ୍ସା ପ୍ରସ୍ତୁତ କରିଛି । ଏହି ସ୍ଥିତିରେ ଚଳିତ ବର୍ଷ ଶେଷ ଦୁଇମାସରେ ଯେଉଁ ରାଜନୈତିକ ଘୂର୍ଣ୍ଣି ସୃଷ୍ଟି ହେବାକୁ ଯାଉଛି ତାହା ହିଁ ପ୍ରସ୍ତୁତ କରିବ ଆଗାମୀ ନିର୍ବାଚନର ଭିତ୍ତି ।

Leave A Reply

Your email address will not be published.