ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ପାଇଁ ସରକାରଙ୍କ ପ୍ରତିବଦ୍ଧତା : ୨୦୨୬ ସୁଦ୍ଧା ଗ୍ରାମାଞ୍ଚଳର ସବୁ ଘରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ

ଭୁବନେଶ୍ୱର : ଆସନ୍ତା ୨୦୨୬ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ପାଇପ୍‍ ଯୋଗ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବ। ପାନୀୟ ଜଳ ଯୋଗାଣ ସହ ଗୁଣାତ୍ମକ ମାନ ବଜାୟ ରଖିବା ନିୟମିତ ପରୀକ୍ଷା ଉପରେ ଧ୍ୟାନ ଦିଆଯାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ୨୦୨୪ ମସିହା ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ପୂରଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ବିଭାଗ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ୪୬.୬୫% ଲକ୍ଷ୍ୟ ଏଯାବତ୍‍ ହାସଲ ହୋଇ ସାରିଲାଣି। ସାଧାରଣ ନାଗରିକଙ୍କ ଭାଗିଦାରିତା ବୃଦ୍ଧି କରିବା ନେଇ ଗ୍ରାମାଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ମାନଙ୍କ ସହାୟତା ମଧ୍ୟ ନିଆଯିବ ବୋଲି ଜଣାପଡ଼ିଛି।

ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ସଂକଳ୍ପ ହାସଲ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ। ଏହି ଲକ୍ଷ୍ୟ ହାସଲରେ ଏସଏଚଜି ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପାନୀୟ ଜଳ ମାନ ପରୀକ୍ଷଣ ପାଇଁ ସମସ୍ତ ଜିଲ୍ଲା ଓ ସବଡିଭିଜନରେ ୭୦ ପରୀକ୍ଷା କେନ୍ଦ୍ର ରହିଛି। ଆଗକୁ ଏହାକୁ ଆହୁରି ପ୍ରଭାବୀ କରିବା ପାଇଁ ପ୍ରତି ଗ୍ରାମାଞ୍ଚଳରେ ୨ ଜଣ ଏସଏଚଜି ସଦସ୍ୟା ଫିଲ୍ଡ ଟେଷ୍ଟିଂ କିଡ୍‍ ସହାୟତାରେ ଜଳ ନମୂନା ସଂଗ୍ରହ କରିବେ। ପ୍ରାଥମିକ ଭାବେ ଏହି କିଟ୍‍ ଜଳର ଗୁଣାତ୍ମକ ମାନ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଏହି ତଥ୍ୟକୁ ୱାଟର କ୍ୱାଲିଟି ଏମଆଇଏସ୍‍ ଆପ୍‍ରେ ଅପଲୋଡ୍‍ କରାଯିବ। ଦରକାର ପଡ଼ିଲେ ସେହି ନମୁନାକୁ ପୁନଃ ପରୀକ୍ଷଣ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଯିବ। ପାଣିର ବିଶୁଦ୍ଧକରଣ ନେଇ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କିମ୍ବା ଉତ୍ସର ପରିବର୍ତ୍ତନ ଇତ୍ୟାଦି ପଦକ୍ଷେପ ଗ୍ରହଣ କରାଯିବ। ଏହି ଯୋଜନା ଦ୍ୱାରା ସାରା ରାଜ୍ୟରେ ପ୍ରାୟ ୧୨,୦୦୦ରୁ ଊର୍ଦ୍ଧ୍ବ ଏସଏଚଜି ସଦସ୍ୟା ନିୟୋଜିତ ହେବେ।

ବର୍ତ୍ତମାନ ୧୯୧୬ ନମ୍ବରକୁ କଲ୍‍ କରି ପାନୀୟ ଜଳ ଯୋଗାଣ ସମ୍ପର୍କିତ ଅଭିଯୋଗ କରାଯାଇଛି। ଏହା ବ୍ୟତୀତ ବିଭାଗୀୟ ଫେସବୁକ୍‍, ଟ୍ୱିଟର ଏବଂ ଇମେଲ ଜରିଆରେ ଆସୁଥିବା ଅଭିଯୋଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବସୁଧା ହେଲ୍ପ ଲାଇନକୁ ଆସୁଥିବା ଅଭିଯୋଗ ଉପରେ ପ୍ରଥମେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ସମାଧାନ କରୁଛନ୍ତି। ଯଦି କନିଷ୍ଠ ଯନ୍ତ୍ରୀଙ୍କ ସ୍ତରରେ କୌଣସି ସମାଧାନ ନ ହୁଏ, ତେବେ ନିର୍ବାହୀ ଯନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସ୍ଥିରୀକୃତ ହୋଇଛି। ଏହି ଯୋଜନାର ସୁଫଳ ପାଇଁ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି ସହଯୋଗ ନିଆଯିବ। ପ୍ରସ୍ତାବିତ ବସୁଧା ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ପରବର୍ତ୍ତୀ ସମୟରେ ଜଳ ଜୀବନ ମିଶନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

କେନ୍ଦ୍ର ସରକାରଙ୍କ ୱେବସାଇଟ୍‍ରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ନୂଆପଡ଼ା, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ପ୍ରକଳ୍ପର ଅଗ୍ରଗତି ଆଖିଦୃଶିଆ ହୋଇଛି। ସାମଗ୍ରିକ ରାଜ୍ୟର ୨୦୨୬ ସୁଦ୍ଧା ଲକ୍ଷ୍ୟ ହାସଲ ହେବାକୁ ରହିଛି। ମାତ୍ର ଉପରୋକ୍ତ ଜିଲ୍ଲା ଗୁଡ଼ିକରେ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ସରିବ ବୋଲି ଆଶା କରାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାର ଗ୍ରାମାଞ୍ଚଳର ୮୯.୪୩% ଘର, ଭଦ୍ରକ ଜିଲ୍ଲାର ୭୪.୭୭%, କେନ୍ଦୁଝର ଜିଲ୍ଲାରେ ୭୫.୨୨%, ପୁରୀ ଜିଲ୍ଲାର ୫୨.୬୫%, ଖୋର୍ଦ୍ଧା ଜିଲ୍ଲାର ୫୩.୪୬%, ଅନୁଗୋଳ ଜିଲ୍ଲାର ୫୫%, ଦେବଗଡ଼ ଜିଲ୍ଲାର ୬୧%, ସୁବର୍ଣ୍ଣପୁରର ୫୪.୮୯%, ବୌଦ୍ଧର ୬୬.୭୨% ଏବଂ କେନ୍ଦ୍ରାପଡ଼ା ୫୨.୪୭%ରେ ଲକ୍ଷ୍ୟ ହାସଲ ହୋଇପାରିଛି। କେବଳ ଗ୍ରାମାଞ୍ଚଳର ଘରକୁ ନୁହେଁ। ଗ୍ରାମାଞ୍ଚଳରେ ଥିବା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ମଧ୍ୟ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଦିଗରେ ରାଜ୍ୟରେ ପ୍ରାୟ ୬୮% ଲକ୍ଷ୍ୟ ହାସଲ ହୋଇସାରିଛି।

Leave A Reply

Your email address will not be published.