ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୪ ବେଳକୁ ଓଡ଼ିଶା ହେବ ଡାକ୍ତର ବଳକା ରାଜ୍ୟ

ଭୁବନେଶ୍ୱର : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ସହ ଡାକ୍ତର ପଦ ପୂରଣ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। କୋଭିଡ ମହାମାରୀର ମୁକାବିଲା କ୍ଷେତ୍ରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ବେଶ୍‍ ଗୁରୁତ୍ୱ ବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏହିକ୍ରମରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‍ସି)ଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା କରାଯାଇ ୭୮୬ ଜଣ ଡାକ୍ତରଙ୍କୁ ନିଯୁକ୍କତି ପାଇଁ ମନୋନୀତ କରାଯାଇଛି। ଏହି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଲେ ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ଅନେକାଂଶରେ ଦୂର ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦ ସଂଖ୍ୟା ୮୭୧୯ ଥିବାବେଳେ ୬୩୮୯ଟି ପଦବୀରେ ନିୟମିତ ଡାକ୍ତର ଅଛନ୍ତି। ବାକି ୨୩୩୦ଟି ପଦ ଖାଲି ପଡ଼ିଥିବା ନେଇ ଗତ ବଜେଟ ଅଧିବେଶନରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ବିବୃତି ରଖିଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟ ସରକାର ୨୪୫୨ ଜଣ ଡାକ୍ତରଙ୍କୁ ମନୋନୟନ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରିଥିବା ନେଇ ସେ ଗୃହକୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ସୁପାରିଶକ୍ରମେ ଉପରୋକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉଲ୍ଲେଖନୀୟ କଥା ଏହିକି ଯେ ବିଗତ କିଛି ବର୍ଷ ଧରି ରାଜ୍ୟରେ ଡାକ୍ତର ଅଭାବ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ୨୦୨୪ ମସିହା ବେଳକୁ ଏହି ସମସ୍ୟା ରହିବ ନାହିଁ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଉଛି। ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା, ଡାକ୍ତରୀ ସିଟ ଏବଂ ବର୍ଷକୁ ବାହାରିବାକୁ ଥିବା ଡାକ୍ତର ସଂଖ୍ୟାର ପରିସଂଖ୍ୟାନ ହିସାବକୁ ନେଲେ ଓଡ଼ିଶା ଯେ ଆଗାମୀ ୩ ବର୍ଷ ମଧ୍ୟରେ ଡାକ୍ତରୀ ବଳକା ରାଜ୍ୟ ବାବେ ପରିଗଣିତ ହେବ ତାହା ସ୍ପଷ୍ଟ ଜଣାପଡୁଛି।

ରାଜ୍ୟରେ ମୋଟ ୯ଟି ସରକାରୀ ଏବଂ ତିନିଟି ବେସରକାରୀ ମେଡିକାଲ କଲେଜ ରହିଛି। ଏଥିମଧ୍ୟରୁ କଟକସ୍ଥିତ ଏସ୍‍ସିବି ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ ୨୫୦ଟି ଲେଖାଏଁ ଏମବିବିଏସ ସିଟ୍‍ ଥିବାବେଳେ ବୁର୍ଲାସ୍ଥିତ ଭିମ୍‍ସାରରେ ୨୦୦ଟି ସିଟ୍‍ ରହିଛି। ସେହିପରି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୧୨୫ଟି ଲେଖାଏଁ ଏମବିବିଏସ ସିଟ ଥିବାବେଳେ ଭୁବନେଶ୍ୱର ଏମ୍ସ, ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଏବଂ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଯଥାକ୍ରମେ ୧୦୦ଟି ଲେଖାଏଁ ସିଟ୍‍ ରହିଛି।

ଅନ୍ୟପକ୍ଷରେ ଘରୋଇ ଭାବରେ କିମ୍‍ସ ଏବଂ ସମ୍‍ ମେଡିକାଲ କଲେଜରେ ୨୫୦ ଲେଖାଏଁ ସିଟ୍‍ ରହିଥିବା ବେଳେ ରାଉରକେଲା ଓ ଭୁବନେଶ୍ୱରସ୍ଥିତ ହାଇଟେକ୍‍ ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍‍ ରହିଛି। ଏ ସମସ୍ତକୁ ମିଶାଇଲେ ରାଜ୍ୟରେ ମେଡିକାଲ କଲେଜରେ ମୋଟ ୧୯୫୦ ଏମବିବିଏସ ସିଟ୍‍ ରହିଥିବା ବେଳେ ୩୬୩ଟି ବିଡିଏସ ସିଟ୍‍ ମଧ୍ୟ ରହିଛି। ଉପରୋକ୍ତ ମେଡିକାଲ କଲେଜଗୁଡ଼ିକୁ ବିଚାରକୁ ନେଲେ ଶେଷଥର ପାଇଁ ବାଲେଶ୍ୱର ଏବଂ ବଲାଙ୍ଗୀରରେ ୨୦୧୮ ମସିହାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସହ ପାଠପଢ଼଼଼଼ା ଆରମ୍ଭ ହୋଇଥିଲା। ତାହା ପୂର୍ବରୁ ଅନ୍ୟ ମେଡିକାଲ କଲେଜରେ ପାଠ ପଢ଼଼଼଼ା ଆରମ୍ଭ ହୋଇସାରିଥିବା ବେଳେ ବହୁ ସଂଖ୍ୟାରେ ଡାକ୍ତର ପ୍ରତିବର୍ଷ ବାହାରୁଛନ୍ତି। ଅତଏବ ଏହି ଦୁଇଟି ମେଡିକାଲ କଲେଜର ଏମବିବିଏସ ପାଠ୍ୟକ୍ରମକୁ ବିଚାରକୁ ନେଲେ ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟରେ ପ୍ରତିବର୍ଷ ୧୯୫୦ ଏମବିବିଏସ ଏବଂ ୩୬୩ ବିଡିଏସ ଡାକ୍ତର ବାହାରିବା ନିଶ୍ଚିତ।

ଅନ୍ୟପକ୍ଷରେ ପୁରୀ, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିକଟ ଭବିଷ୍ୟତଚରେ ମଧ୍ୟ ସେଠାରୁ ଏମବିବିଏସ ଡାକ୍ତରମାନେ ବାହାରିବେ। ତେଣୁ ବିଗତ ବହୁ ବର୍ଷ ଧରି ଡାକ୍ତର ଅଭାବ ସମସ୍ୟାରେ ସନ୍ତୁଳି ହେଉଥିବା ଓଡ଼ିଶା ଆଗାମୀ ଦିନରେ ଡାକ୍ତର ବଳକା ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି। ଯାହା ରାଜ୍ୟପାଇଁ ବେଶ୍‍ ଶୁଭଙ୍କର ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ପାଇଁ ବିଭାଗ ପ୍ରୟାସ କରୁଛି।

ଚଳିତ ବର୍ଷ ଜାନୁଆରୀ ମାସରେ ୨୪୫୨ ଡାକ୍ତର ପଦ ପୂରଣ ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଆବଶ୍ୟକ ପ୍ରକ୍ରିୟା ପରେ ଆଜି ୭୮୬ ଡାକ୍ତରଙ୍କ ନିଯୁକ୍ତି ପାଇଁ ଓପିଏସ୍‍ସି ପକ୍ଷରୁ ସୁପାରିସ କରାଯାଇଛି। ସେମାନଙ୍କ ନିଯୁକ୍ତି ସରିଲେ ତୁରନ୍ତ ଆଉ ନୂଆ ଡାକ୍ତରଙ୍କ ନିଯୁକ୍ତି ପାଇଁ ଓପିସ୍‍ସିକୁ କୁହାଯିବ। କୋଭିଡ୍‍ ପରିଚାଳନା ହେଉ କିମ୍ବା ସାଧାରଣ ରୋଗୀ ସେବା ସମୟରେ ଅଧିକ ଡାକ୍ତରଙ୍କ ଆବଶ୍ୟତା ରହିଛି। ଅଧିକ ଡାକ୍ତର ଆସିଲେ କଠିନ ସମୟରେ ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳିପାରିବ। ପ୍ରତ୍ୟେକ ନାଗରିକଙ୍କୁ ଶ୍ରେଷ୍ଠ ଚିକିତ୍ସା ସୁବିଧା ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି।
୨୦୨୪ ବେଳକୁ…

Leave A Reply

Your email address will not be published.