ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭାର ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ଜଗିବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ବଜେଟ ଅଧିବେଶନ। ଚଳିତ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଏସବୁ ଭିତରେ ବଜେଟ ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନିଜେ ଯାଞ୍ଚ କରିଛନ୍ତି ପୁଲିସ ଡିଜି ।

ବିଧାନସଭାର ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନେଷ୍ଟବଳ ମୁତୟନ ହେବେ । ତେବେ ବିକ୍ଷୋଭ ଓ ଧାରଣାସ୍ଥଳ ଉପରେ ପୋଲିସର କଡା ନଜର ରହିବ ବୋଲି କହିଛନ୍ତି ପୁଲିସ ଡିଜି ।

ଅନ୍ୟପଟେ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍‌‌ କଟକଣା ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଅନୁଯାୟୀ ଏହି କଟକଣା ଲାଗୁ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି କଟକଣା ଲଗାଯିବ। ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏବଂ ୧୦ ମାର୍ଚ୍ଚରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ହାଉସିଂ ବୋର୍ଡ ଛକରୁ ଆସୁଥିବା ଗାଡି ଗୁଡିକ କେଶରୀ ଟକିଜ୍‌‌ ପାଖରେ ବାମ ପାର୍ଶ୍ବରେ ମୋଡ ନେବେ। ସେହିପରି ଏଜି ଛକରୁ ପିଏମ୍‌‌ଜି ଆଡକୁ ଆସୁଥିବା ଗାଡି ଗୁଡିକ ଜୟଦେବ ଭବନ ନିକଟରେ ଡାହାଣ ପାର୍ଶ୍ବକୁ ମୋଡ ନେଇ ଇନ୍ଦିରାଗାନ୍ଧି ପାର୍କ ଆଡକୁ ଯିବେ। ଲୋୟର ପିଏମ୍‌‌ଜିରୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ସିଧା ଛଡ଼ା ନଯାଇ ଏହାର ଆଖପାଖ ରାସ୍ତା ଦେଇ ଯିବେ। ୧୨୦ ବାଟାଲିୟନ୍‌‌ରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍‌‌ ଛକକୁ ଡାଇଭର୍ଟ କରାଯାଇଛି। ଯେଉଁ ସବୁ ଗାଡି ରାଜଭବନ ଛକରୁ ଏମ୍‌‌ଏଲ୍‌‌ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଛନ୍ତି ସେମାନଙ୍କୁ ଶାସ୍ତ୍ରୀ ନଗର ହୋଇ ଯିବାକୁ ପଡ଼ିବ। ତେବେ ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟ ନିକଟବର୍ତ୍ତୀ ସରକାରୀ ଦପ୍ତରକୁ ପ୍ରବେଶ ପାଇଁ ଅନୁମତି ଥିବା ଯାନ ଗୁଡ଼ିକ ଉପରେ ଲାଗୁ ହେବ ନାହିଁ।

Leave A Reply

Your email address will not be published.