ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ବଡ଼ ଚେହେରା ସନ୍ଧାନ କରୁଛି ବିଆର୍‌‌ଏସ୍‌‌, ଯୋଗାଯୋଗରେ ବହୁ ବରିଷ୍ଠ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର : ରାଜ୍ୟରେ ବିଆର୍‌‌ଏସ୍‌‌ର ସମ୍ଭାବ୍ୟ ଉପସ୍ଥିତିକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସୁଛି। ଓଡ଼ିଶାରେ ଏକ ଅଣ କଂଗ୍ରେସ ଓ ଅଣ ବିଜେପି ରାଜନୈତିକ ବିକଳ୍ପ ଭାବରେ ନିଜକୁ ପ୍ରତିଷ୍ଠା କରିବା ନିମନ୍ତେ ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ନକ୍ସା ପ୍ରସ୍ତୁତ କରିଛନ୍ତି। ପ୍ରାରମ୍ଭିକ ଭାବେ ଦକ୍ଷିଣ ଓଡ଼ିଶାରେ ନିଜ ଶକ୍ତି ବୃଦ୍ଧି କରିବାକୁ ବିଆର୍‌‌ଏସ୍‌‌ ଅଣ୍ଟା ଭିଡ଼ୁଥିବା ବେଳେ ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ଉପରେ ନଜର ରଖିଛି। ତେବେ ବିଆରଏସକୁ ଅଧିକ ବଳ ଦେବା ପାଇଁ କେସିଆର ଏକ ବଡ଼ ଚେହେରା ସନ୍ଧାନରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ବିଜେପିର ଗମାଙ୍ଗୋ ବାପା-ପୁଅ, ଜୟରାମ ପାଙ୍ଗୀ ପ୍ରମୁଖ କେସିଆରଙ୍କ ଦେଖା କରି ସାରିଥିବା ବେଳେ ଆଉ କେତେଜଣ ବିଜେପି ନେତା ମଧ୍ୟ ବିଆରଏସ ସମ୍ପର୍କରେ ରହିଛନ୍ତି। ତେବେ କଂଗ୍ରେସର ପ୍ରାୟ ୮ରୁ ୧୦ ଜଣ ପୂର୍ବତନ ବିଧାୟକ, ସାଂସଦ ମଧ୍ୟ ବିଆରଏସ ସହ ଯୋଗାଯୋଗ କରିଛନ୍ତି। କିଛି ନେତା କେସିଆର୍‌‌ଙ୍କ ପୁଅ ତଥା ତେଲଙ୍ଗାନା ମନ୍ତ୍ରୀ କେଟିଆର୍‌‌ ଓ କିଛି ନେତା ତାଙ୍କ ଝିଅ କେ. କବିତାଙ୍କ ସହ ଯୋଗାଯୋଗ କରିଛନ୍ତି। ସବୁ ଯଦି ଯୋଜନା ଅନୁଯାୟୀ ଚାଲେ, ତାହେଲେ ଦକ୍ଷିଣ ଓଡ଼ିଶାରେ ଆଗାମୀ ନିର୍ବାଚନ ପୂର୍ବରୁ ବିଆର୍‌‌ଏସ୍‌‌ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସରେ ଭୂକମ୍ପନ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ଆସନ୍ତା ଫେବୃଆରୀ ମାସରେ କେସିଆର ଓଡ଼ିଶା ଗସ୍ତରେ ଆସିପାରନ୍ତି ବୋଲି ଆପାତତଃ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ପୂର୍ବରୁ କେସିଆର୍‌‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିବା ସହ ସବୁଜସଙ୍କେତ ଅପେକ୍ଷାରେ ଅଛନ୍ତି। ତେବେ ବିଜେପିର କଠୋର ସମାଲୋଚକ ଭାବରେ ପରିଚିତ କେସିଆର୍‌‌ ଓଡ଼ିଶାରେ ବିଜେପି ବିରୋଧରେ ଏକ ମୋର୍ଚ୍ଚା ସୃଷ୍ଟି ନିମନ୍ତେ ଏକ କୋର କମିଟି ଗଠନ କରିଛନ୍ତି। ଏଥିରେ ତାଙ୍କ ସହିତ ଦଳର ୩ଜଣ ପ୍ରମୁଖ ରଣନୀତିକାର ଓ କେଟିଆର୍‌‌ ମଧ୍ୟ ସଦସ୍ୟ ଅଛନ୍ତି। ଓଡ଼ିଶାବାସୀଙ୍କୁ କଂଗ୍ରେସ ଓ ବିଜେପିର ଏକ ଭଲ ବିକଳ୍ପ ଦେବା ବିଆର୍‌‌ଏସ ଲକ୍ଷ୍ୟ ରଖିଛି। ନୂଆ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇଥିବା ବିଆର୍‌‌ଏସ୍‌‌ ଓଡ଼ିଶାରୁ ଭଲ ଭୋଟ ସଂଗ୍ରହ କରିପାରିଲେ ତାହା ଦଳ ପାଇଁ ଲାଭଦାୟକ ହେବ ଏବଂ ଏଥିପାଇଁ କେସିଆର ଓଡ଼ିଶାକୁ ବାଛିଛନ୍ତି ବୋଲି ଜଣାପଡ଼ିଛି।

କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଏବଂ ବ୍ରହ୍ମପୁରରେ ତେଲୁଗୁ ଭାଷାଭାଷୀ ଆଦିବାସୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ବିଆରଏସ ଏହି ତିନୋଟି ଲୋକସଭା କ୍ଷେତ୍ରକୁ ଅଧିକ ଫୋକସ କରୁଛି। ତଥାପି ଦଳକୁ ଏଠାରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଓବିସି ତଥା ଅନ୍ୟ ବର୍ଗଙ୍କର ସମର୍ଥନର ଆବଶ୍ୟକତା ରହିଛି। ତେଣୁ କେସିଆର ଏହି ଦିଗକୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟତା ଏବଂ ଲୋକପ୍ରିୟତା ଥିବା ନେତାଙ୍କ ସନ୍ଧାନରେ ଅଛନ୍ତି। ତେଣୁ ଯୋଜନାକୁ କିପରି ଓଡ଼ିଶାରେ ସଠିକ୍‌‌ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ ସେଥିପାଇଁ କେସିଆର ଆସନ୍ତା ଫେବୃଆରୀରେ ଓଡ଼ିଶା ଆସୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଯଦି କେସିଆରଙ୍କ ଯୋଜନା ବାସ୍ତବ ରୂପ ନିଏ, ତାହେଲେ ଆଗାମୀ ସାଧାରଣ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ଚତୁର୍ମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଦ୍ୱାରା ଉଭୟ କଂଗ୍ରେସ ଓ ବିଜେପିର ଭୋଟ ବ୍ୟାଙ୍କ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ସହ ଏହାର ସିଧାସଳଖ ଲାଭ ବିଜେଡି ପଟକୁ ଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଦକ୍ଷିଣ ଓଡ଼ିଶାରେ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ଏବେ ଅସନ୍ତୁଷ୍ଟଙ୍କୁ ସାଥିରେ ରଖିବା ଆଗାମୀ ଦିନରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବା ନେଇ ଆକଳନ କରାଯାଉଛି।

Leave A Reply

Your email address will not be published.