ଭାଇକୁ ଗଛରେ ବାନ୍ଧି ହତ୍ୟାକଲା ଭାଇ

କପ୍ତିପଦା: କପ୍ତିପଦା ବ୍ଲକ ଶରତ ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ବାଟିଘୁଟୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ କକା ପୁଅ ଭାଇ ତାର ବଡବାପା ପୁଅ ଭାଇକୁ ଗଛରେ ପଛପଟୁ ହାତ ବାନ୍ଧି ଏକ କାଠ ଫାଳିଆରେ ନିସ୍ତୁକ ମାଡ ମାରିବା ଫଳରେ ତାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ଲାଣ୍ଡୁ ମୁଣ୍ଡା(୩୦)। ଲାଣ୍ଡୁ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ। ସେ ଛୋଟଛୋଟ ପିଲାକୁ ଦେଖିଲେ ଗୋଡାଇଥାଏ। ଏଭଳି କୌଣସି କାରଣକୁ ନେଇ ଅଭିଯୁକ୍ତ ଭାଇ ସିଂଘରାୟ ଦେଓଗାମ ଲାଣ୍ଡୁ ଉପରେ ଭୀଷଣ ରାଗି ଥିଲା। ତେଣୁ ସେ ତାର ସହଯୋଗୀ ଚମ୍ପାଇ ମୁଣ୍ଡା ସହିତ ମିଶି ଲାଣ୍ଡୁର ହାତଗୋଡ ବାନ୍ଧି ଏକ ଗଛରେ ଝୁଲାଇ ଦେଇଥିଲା। ଏହାପରେ ତାକୁ ଅତି ନିର୍ଦ୍ଦୟ ଭାବେ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଥିଲା। ଖବରପାଇ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସିଂଘରାୟ ଓ ଚମ୍ପାଇକୁ ପୁଲିସ ଗିରଫ କରି ପଚରାଉଚୁରା କରିଛି। କାଠ ଫାଳିଆକୁ ପୁଲିସ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।