ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିଶୁ ବିକ୍ରି ଅଭିଯୋଗ: ଉନ୍ନତ ଚିକିତ୍ସା ଯୋଗାଇ ଦେବ କହି ମାସକର ଶିଶୁକୁ ୨ହଜାର ଟଙ୍କାରେ ବିକିଦେଲା ଦଲାଲ

ବାରିପଦା: ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ। ମାତ୍ର ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୟୁରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଜଣେ ଓ୍ବେବ ମିଡ଼ିଆ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଶିଶୁ ବିକିଥିବା ସାମ୍ବାଦିକ ଓ କିଣିଥିବା ଦମ୍ପତ୍ତିଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ୩ଜଣଙ୍କୁ ଗିରଫ କରିଛି ଝାରପୋଖରିଆ ପୁଲିସ । ରାଇରଙ୍ଗପୁର ଅଞ୍ଚଳରୁ ଦମ୍ପତ୍ତି ଗିରଫ ହୋଇଥିବା ବେଳେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏହି ଘଟଣା ନେଇ ଝାରପୋଖରିଆ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସରଳାତାର ସୁଯୋଗ ନେଇ ତାଙ୍କ ଶିଶୁପୁତ୍ରକୁ ଜୋରଜବରଦସ୍ତ ସାମ୍ବାଦିକ ଜଣଙ୍କ ବିକ୍ରି କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଶଙ୍ଖାଭଙ୍ଗା ଗାଁର ମହିଳା ଜଣକ ତାଙ୍କର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଦୁଇ ଦିନ ତଳେ ଶିର୍ଷା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ଶିଶୁପୁତ୍ରକୁ ଦେଖାଇ ଫେରୁଥିଲେ ମହିଳା । ଏହି ସମୟରେ ସାମ୍ବାଦିକ ଜଣଙ୍କ ତାଙ୍କୁ ଶିଶୁପୁତ୍ରକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନାଁରେ ଅନ୍ୟ ଏକ ମେଡିକାଲକୁ ନେବା ପାଇଁ କହି କୌଶଳକ୍ରମେ ନେଇଯାଇଥିଲେ । ହେଲେ ମହିଳା ଜଣଙ୍କ ପରେ ଯେତେବେଳେ ତାଙ୍କ ପିଲାଟିକୁ ପାଇ ନ ଥିଲେ, ଏନେଇ ଗାଁ ଲୋକଙ୍କୁ କହିଥିଲେ । ଶେଷରେ ସାରସକଣା ଅଞ୍ଚଳରୁ ଅଭିଯୁକ୍ତ ସାମ୍ବାଦିକଙ୍କୁ ଦେଖିବା ପରେ ଗାଁ ଲୋକେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ପଚରାଉଚରା କରିବା ପରେ ଦମ୍ପତ୍ତିଙ୍କୁ ୨ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡିଥିଲା । ପୁଲିସ ଅଭିଯୁକ୍ତ ୩ଜଣଙ୍କ ନାଁରେ ଅପହରଣ, ଶିଶୁ ଚାଲାଣ, ହତ୍ୟା ଧମକ ଆଦି ସଙ୍ଗିନ ମାମଲା ରୁଜୁ କରିଛି ।

Leave A Reply

Your email address will not be published.