ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରଜରାଜନଗର ଫାଇଟ୍‌ : ବିଜୟ ବ୍ୟବଧାନ ଦୁଇଗୁଣ ବୃଦ୍ଧି ଲାଗି ବିଜେଡିର ରଣନୀତି

ଭୁବନେଶ୍ୱର :  ବ୍ରଜରାଜନଗର ମହାସମର ପାଇଁ ପ୍ରସ୍ତୁତ ହୋଇଛି କ୍ଷେତ୍ର। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ବଢ଼଼ିଛି ରାଜନୈତିକ ଉଷ୍ଣତା। ପରଲୋକଗତ ବିଧାୟକ କିଶୋର ମହାନ୍ତିଙ୍କ ଅବର୍ତ୍ତମାନରେ ତାଙ୍କ ପତ୍ନୀ ଅଳକାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଓ କିଶୋର ମହାନ୍ତି କଂଗ୍ରେସର ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଉପନିର୍ବାଚନ ଅତ୍ୟନ୍ତ ରୋଚକ ହେବା ସମ୍ଭାବନା ସୃଷ୍ଟି ହୋଇଛି। ରାଧାରାଣୀଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପିରେ କନ୍ଦଳ ସୃଷ୍ଟି ହୋଇଛି ଏବଂ ଦିନକ ତଳେ ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନୁରୂପ ଭାବରେ ଦୀର୍ଘଦିନ ଧରି ସ୍ଥାନୀୟ ରାଜନୀତିର ଅନ୍ତର୍ଧାନ କିଶୋର ପଟେଲଙ୍କ ପୁନଃ ଆବିର୍ଭାବ ସ୍ଥାନୀୟ କଂଗ୍ରେସ ସଙ୍ଗଠନକୁ ପୁନର୍ଜୀବିତ କରିବାର ସମ୍ଭାବନା ଆରମ୍ଭରୁ ବିଜେଡିକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଛି। ଯେଉଁଥିପାଇଁ ଗତ ନିର୍ବାଚନରେ କିଶୋର ପାଇଥିବା ୮୦ ହଜାର ଭୋଟକୁ ଚଳିତ ଉପନିର୍ବାଚନରେ ଅନ୍ୟୂନ ଲକ୍ଷେରେ ପହଞ୍ଚାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ବର୍ତ୍ତମାନର ରାଜନୈତିକ ସମୀକରଣ, ଦଳୀୟ ସ୍ଥିତି ସର୍ବୋପରି ଭୋଟରଙ୍କ ମାନସିକତାକୁ ଦେଖିଲେ ପରଖିଲେ ଶାସକ ଦଳର ପ୍ରାର୍ଥୀ ଅଳକା ମହାନ୍ତି ନିଜର ପ୍ରତିଦ୍ୱନ୍ଦୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ନିକଟରେ ଅନୁଷ୍ଠିତ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପୁଳ ବିଜୟ ବିଜେଡି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପରଲୋକଗତ ବିଧାୟକ କିଶୋର ମହାନ୍ତିଙ୍କ ଲୋକପ୍ରିୟତା ଏବଂ ତାଙ୍କ ଅବର୍ତ୍ତମାନରେ ପତ୍ନୀ ଅଳକାଙ୍କ ପ୍ରତି ସୃଷ୍ଟି ହୋଇଥିବା ଅନୁକମ୍ପା ଦଳ ପାଇଁ ଉପଯୋଗୀ ହେବା କୁହାଯାଉଛି। ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ୍‍ ମାରୁଥିବା ବେଳେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଦଳକୁ ସହଜ ଏବଂ ବିପୁଳ ବିଜୟ ଆଣିଦେବ ବୋଲି ଦଳୀୟ କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରିଆସିଛନ୍ତି।

ବ୍ରଜରାଜନଗରର ନିର୍ବାଚନୀ ଇତିହାସ ଦେଖିଲେ ଗତ ୨୦୧୯ ପର୍ଯ୍ୟନ୍ତ ବିଜେଡି ସେଠାରେ କେବେବି ବିଜୟର ସ୍ୱାଦ ଚାଖିନଥିଲା। ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ରାଧାରାଣୀ ପଣ୍ଡା ବିଧାୟିକା ଭାବେ ବିଧାନସଭାକୁ ଆସିଥିଲେ। ତେବେ ୨୦୧୯ ମସିହା ପରଠାରୁ ବ୍ରଜରାଜନଗରରେ ବଦଳିଥିବା ରାଜନୈତିକ ସମୀକରଣ ବିଜେଡି ପାଇଁ ଖୁବ୍‍ ଅନୁକୂଳ ସାବ୍ୟସ୍ତ ହୋଇଛି। ୨୦୧୪ ମସିହାରେ ବିଜେପିର ରାଧାରାଣୀ ପଣ୍ଡା ଏହି ଆସନରେ ବିଜେଡି ପ୍ରାର୍ଥୀ ଅନୁପ ସାଏଙ୍କୁ ସାଢ଼େ ୬ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ରାଧାରାଣୀ ୫୦୭୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନୁପଙ୍କୁ ୪୩୯୪୮ ଖଣ୍ଡ ଭୋଟ ମିଳିଥିଲା। ସେହିପରି କଂଗ୍ରେସର କିଶୋର ପଟେଲ ୩୮୧୭୫ ଖଣ୍ଡ ଭୋଟ ପାଇଥିଲା। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡିର କିଶୋର ମହାନ୍ତି ୮୦୧୫୨ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପିର ରାଧାରଣୀ ପଣ୍ଡା ୬୮୧୫୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। କଂଗ୍ରେସ ସମର୍ଥନ ସତ୍ତ୍ବେ ଏହି ନିର୍ବାଚନରେ ସିପିଆଇକୁ ମାତ୍ର ୯୩୫୦ ଖଣ୍ଡ ଭୋଟ ମିଳିଥିଲା। ଅର୍ଥାତ୍‍ ୨୦୧୪ ନିର୍ବାଚନରେ ଉଭୟ ଦଳକୁ ମିଳିଥିବା ଭୋଟ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୩୫ ହଜାର କମ୍‍ ଭୋଟ ମିଳିଥିଲା। ଯେଉଁ ଭୋଟ ଉଭୟ ବିଜେଡି ଓ ବିଜେପି ଖାତାକୁ ଯାଇଛି।

ତେବେ ୨୦୧୯ ପରଠାରୁ ବ୍ରଜରାଜନଗରରେ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ବିପୁଳ ଲୋକପ୍ରିୟତା ବିଜେପି ତୁଳନାରେ ବିଜେଡିର ଭୋଟହାରକୁ ବୃଦ୍ଧି କରିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଯାହାର ଝଲକ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମିଳିଛି। ଉଭୟ ନିର୍ବାଚନରେ ବିଜେଡିର ପ୍ରାଧାନ୍ୟ ଦେଖିବାକୁ ମିଳିଥିବା ବେଳେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏଠାରେ ମାଟି କାମୁଡ଼ିଛନ୍ତି। ପୁନଶ୍ଚ ରାଧାରାଣୀଙ୍କୁ ଦଳୀୟ ଟିକଟ ମିଳିବା ପରେ ଏଥିରେ ଅସନ୍ତୁଷ୍ଟ ହୋଇ ଦଳର ଜିଲ୍ଲା ସଭାପତି ଦଳରୁ ଇସ୍ତଫା ଦେଇଥିବା ବେଳେ ଦଳର ବହୁ ଜିଲ୍ଲ୍‍ାସ୍ତରୀୟ ନେତା ମଧ୍ୟ ସମାନ ପନ୍ଥା ଆପଣେଇବାକୁ ବିଚାର କରୁଥିବା ଜାଣିବାକୁ ମିଳିଛି। ଏପରି ହେଲେ ବିଜେପି ଚଳିତ ଉପ ନିର୍ବାଚନରେ ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିପାରେ ବୋଲି ରାଜନୈତିକ ବିଶାରଦମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଏକଦା ଝାରସୁଗୁଡ଼ା ଜିଲ୍ଲାରେ ଅପରାଜେୟ ସାବ୍ୟସ୍ତ ହେଉଥିବା କଂଗ୍ରେସର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବେ ପରଲୋକରେ। ସ୍ଥାନୀୟ ରାଜନୀତିରୁ ଏକ ପ୍ରକାର ଅନ୍ତର୍ଧାନ ହୋଇଥିବା କିଶୋର ପଟେଲ ଆଗାମୀ ନିର୍ବାଚନରେ ଦଳକୁ କେତେ ପରିମାଣରେ ପୁନରୁଦ୍ଧାର କରିବାକୁ ସକ୍ଷମ ହେବେ ତାହାକୁ ନେଇ ଦ୍ୱିଧା ତୁଟିନାହିଁ। ଏହା ସତ୍ତ୍ବେ କିଶୋର କଂଗ୍ରେସ ଭୋଟକୁ କିଛି ପରିମାଣରେ ଧୃବୀକରଣ କରିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି; ଯାହା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଅପରପକ୍ଷେ କିନ୍ତୁ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ଏବଂ ଅଳକା ମହାନ୍ତିଙ୍କ ପ୍ରତି ଅନୁକମ୍ପା ବିଜେଡିର ବଳକୁ ଚାରିଗୁଣା କରିଛି। ଯାହାଫଳରେ ବିଜେଡି ଉପନିର୍ବାଚନରେ ବେଶ୍‍ ସୁବିଧାଜନକ ସ୍ଥିତିରେ ରହିଛି ବୋଲି ରାଜନୈତିକ ବିଶାରଦମାନେ ମତପୋଷଣ କରିଛନ୍ତି। ଆଗାମୀ ୩୧ ତାରିଖରେ ଉପନିର୍ବାଚନ ପାଇଁ ବ୍ରଜରାଜନଗରବାସୀ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଭୋଟ ଗଣତି ୩ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ବ୍ରଜରାଜନଗରବାସୀ କାହା ଉପରେ ଭରଷିଛନ୍ତି ସେନେଇ ସ୍ପଷ୍ଟ ହେବ।

Leave A Reply

Your email address will not be published.