ବ୍ରଜରାଜନଗର ଉପନିର୍ବାଚନ : ନବୀନଙ୍କ ଭାବମୂର୍ତ୍ତି, ଅଳକାଙ୍କ ପ୍ରତି ଅନୁକମ୍ପା ସହଜ କରିବ ବିଜେଡିର ବିଜୟ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ତିନିଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋର୍‍ଦାର କରାଯାଇଛି। ତେବେ ଅନ୍ୟ ଉପନିର୍ବାଚନ ପରି ବ୍ରଜରାଜନଗରକୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିଣିବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି। ବ୍ରଜରାଜନଗରର ନିର୍ବାଚନୀ ପାଣିପାଗ ଏବଂ ଗଣିତ ବିଜେଡି ସପକ୍ଷରେ ଥିବାବେଳେ ବିରୋଧୀଙ୍କ ନିଷ୍କ୍ରିୟତା ଏବଂ ଗୋଷ୍ଠୀବିବାଦ ଏହି ଆକଳନକୁ ଅଧିକ ବଳ ଦେଉଛି। ଯଦି ବିଜେଡି ନିଜ ରଣନୀତିରେ ସଫଳ ହୁଏ ତାହେଲେ ଦଳର ପ୍ରାର୍ଥୀ ଅଳକା ମହାନ୍ତି ବ୍ରଜରାଜନଗର ନିର୍ବାଚନୀ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିପାରନ୍ତି ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ଗତ ଦୁଇଦଶନ୍ଧି ଧରି ସବୁ ଉପନିର୍ବାଚନରେ ବିଜେଡି ଅପରାଜେୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ଲକ୍ଷ୍ୟଭେଦୀ ନିର୍ବାଚନ ରଣନୀତି, ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ତେବେ ବ୍ରଜରାଜନଗର ଉପନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ଅଳକା ସ୍ୱାଭାବିକ ଭାବରେ ଏହି କାରଣ ପାଇଁ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ତେବେ ଏହା ସହିତ ବିଜେଡି ପକ୍ଷରେ ଆଉ ଦୁଇଟି କାରଣ ଲାଭଦାୟୀ ହୋଇଛି। ନିକଟରେ ଅନୁଷ୍ଠିତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଦଳର ମନୋବଳକୁ ବହୁଗୁଣା କରିପାରିଛି। ବିଜୟର ହ୍ୟାଙ୍ଗଓଭର ଦଳ ଉପରୁ ଏବେ ବି କମିନାହିଁ। ସେହିପରି କିଶୋର ମହାନ୍ତିଙ୍କ ଅବର୍ତ୍ତମାନରେ ପତ୍ନୀ ଅଳକାଙ୍କ ପ୍ରତି ସ୍ୱାଭାବିକ ଅନୁକମ୍ପା ରହିଛି। ଯାହା ବିଜେଡିର ବିଜୟକୁ ଏକତରଫା କରିପାରେ ବୋଲି କୁହାଯାଉଛି। ଏହା ସହିତ ପ୍ରାର୍ଥୀତ୍ୱକୁ ନେଇ ବିରୋଧୀ ବିଜେପିରେ ଅସନ୍ତୋଷ ଏବଂ କଂଗ୍ରେସର ଦୁର୍ବଳ ସାଂଗଠନିକ ସ୍ଥିତି ବିଜେଡି ପାଇଁ ଆହୁରି ଅନୁକୂଳ ପରିବେଶ ସୃଷ୍ଟି କରିଛି। ଅପରପକ୍ଷେ ଚଳିତ ଉପନିର୍ବାଚନରେ ପୂର୍ବପରି ବିଜେଡି ମାଇକ୍ରୋ ଲେବଲ ବୁଥ୍‍ ମ୍ୟାନେଜମେଣ୍ଟ ଉପରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ବେଳେ ଦଳର ବହୁ ବିଧାୟକ ଓ ନେତା ଏହାର ନେତୃତ୍ୱ ନେଉଛନ୍ତି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବିଜେଡି ଏହି ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିବ ବୋଲି ଦଳର କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଗତ ୨୦୧୯ ମସିହାରେ ପ୍ରଥମଥର ଭାବେ ବିଜେଡିକୁ ବ୍ରଜରାଜନଗରରେ ବିଜୟ ସ୍ୱାଦ ଚଖାଇଥିଲେ କିଶୋର ମହାନ୍ତି। ତାଙ୍କ ପରଲୋକ ପରେ ତାଙ୍କ ପତ୍ନୀ ହିଁ ନିର୍ବାଚନମଣ୍ଡଳୀକୁ ସଠିକ୍‍ ନେତୃତ୍ୱ ଦେଇପାରିବେ ବୋଲି ସାଧାରଣ ଲୋକେ ଆଚୋଚନା କରୁଛନ୍ତି। ଅପରପକ୍ଷେ ୨୦୧୪ରୁ ୨୦୧୯ ଯାଏଁ ବିଜେପିର ବର୍ତ୍ତମାନର ପ୍ରାର୍ଥୀ ଥିବା ରାଧାରାଣୀ ପଣ୍ଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ତାଙ୍କ ପ୍ରାର୍ଥର୍ିତ୍ୱକୁ ନେଇ ଦଳ ମଧ୍ୟରେ ବିରୋଧାଭାଷ ସୃଷ୍ଟି ହୋଇଛି। ଜିଲ୍ଲା ସଭାପତି ନିଜ ପଦରୁ ଏଥିପାଇଁ ଇସ୍ତଫା ଦେଇଛନ୍ତି ଓ କିଛି ଦଳୀୟ ଲୋକ ସ୍ୱାଧୀନ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏ ସବୁକୁ ଦେଖିଲେ ବିଜେପିର ବ୍ରଜରାଜନଗର ଦଖଲ ଦିଗରେ ରାଧାରାଣୀଙ୍କ ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁନଶ୍ଚ ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହା ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ କଂଗ୍ରେସର ପ୍ରାର୍ଥୀ କିଶୋର ପଟେଲ ୨୦୧୪ ନିର୍ବାଚନରେ ୩୮ ହଜାରରୁ ଅଧିକ ଭୋଟ ପାଇଥିଲେ ହେଁ ୨୦୧୯ରେ ଚୁପ୍‍ ଚାପ୍‍ ବସି ରହିବା କଂଗ୍ରେସ କର୍ମୀଙ୍କ ପାଇଁ ଖୁବ୍‍ ନୈରାଶ୍ୟ ଆଣି ଦେଇଥିଲା ଓ କର୍ମୀ ବାଧ୍ୟ ହୋଇ ଦଳରୁ ମୁହଁ ଫେରାଇ ନେଇଥିଲେ। ଏପରିସ୍ଥଳେ କଂଗ୍ରେସ ଚଳିତ ନିର୍ବାଚନରେ ଯେ ନିଜ ହୃତଗୌରବ ଫେରି ପାଇବ ଏ ନେଇ ବିଭିନ୍ନସ୍ତରରେ ସନ୍ଦେହ ରହିଛି।

Leave a comment