ଫାଇନାନ୍ସ କାର୍ଯ୍ୟାଳୟ ପରିସରରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଘଡ଼ୁଆଳ ପଞ୍ଚାୟତ ଦୁର୍ଗାପ୍ରସାଦଠାରେ ଥିବା ଏକ ଫାଇନାନ୍ସ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ନୟାଗଡ଼ ସଦରଥାନା ଅନ୍ତର୍ଗତ କଇଥଗାଡ଼ିଆ ଗ୍ରାମର ରଘୁନାଥ ନାୟକଙ୍କ ପୁଅ ବିଜୟ କୁମାର ନାୟକ ଓରଫ ଅଲେଖ । ପୁଲିସ ସୂଚନାନୁସାରେ, ବିଜୟ ଆଦିତ୍ୟ ଆସୋସିଏଟସ୍ ନାମକ ସଂସ୍ଥାରେ କାମ କରୁଥିଲେ । ଗତକାଲି ଅପରାହ୍ନରେ ସେ ଘରକୁ ଫେରିଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଫୋନ କରି ଅଫିସ ଆସିବାକୁ ସଂନ୍ଧ୍ୟାରେ ଡାକିଥିବା ପରିବାର ଲୋକେ କହିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜୟ ଘରକୁ ନଫେରିବାରୁ ପରିବାର ପକ୍ଷରୁ ତାଙ୍କୁ ବାରମ୍ବାର ଫୋନ କରାଯାଇଥିଲା । ମାତ୍ର ସେ ଯାଉଛି, ଯାଉଛି କହି ଘରକୁ ଫେରିନଥିଲେ । ପରେ ଫୋନ ସୁଇଚ ଅଫ ହୋଇଯାଇଥିଲା । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରି କାର୍ଯ୍ୟାଳୟକୁ ଆସିବା ପରେ ବନ୍ଦ ଘର ଭିତରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉକ୍ତ କାର୍ଯ୍ୟାଳୟ ଗୃହର ବାହାର ଗେଟ ଏବଂ ଘର ଭିତରୁ ଗ୍ରୀଲରେ ତାଲା ପଡ଼ିଥିବା ବେଳେ ଶବଟି ଚଟାଣରେ ପଡ଼ିଥିଲା । ବିଜୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗ୍ରାମବାସୀ ଏବଂ ପରିବାର ଲୋକେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ । ଟାୟାର ଜାଳି ରାସ୍ତା ଅବରୋଧ ହୋଇଥିବା ବେଳେ ଘଟଣାର ରହସ୍ୟ ଖୋଲିବାକୁ ଦାବି କରାଯାଇଥିଲା ।

ଖବରପାଇ ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନା, ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ଯଥାଶୀଘ୍ର ପହଞ୍ଚିଥିଲେ । ଡେପୁଟି କଲେକ୍ଟର ଯୁଗଳ କିଶୋର ମିଶ୍ରଙ୍କ ଉପସ୍ଥିତିରେ ବନ୍ଦ କୋଠରୀ ଫାଟକଙ୍କୁ ଭଙ୍ଗା ଯାଇ ଶବ ପଞ୍ଚନାମା କରାଯାଇଥିଲା । ପରେ ଉପସ୍ଥିତ ପୁଲିସ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ରାସ୍ତାରୋକ ହଟାଇଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାକୁ ନେଇ ମୃତ ବିଜୟଙ୍କ ପତ୍ନୀ ସୁଲୋଚନ କିଛି ଫାଇନାନ୍ସ କର୍ମଚାରୀ ତାଙ୍କ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଟାଉନଥାନାରେ ୧୦୯/୨୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ, ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି କହିଛନ୍ତି । ମୃତଦେହ ପଡ଼ିଥିବା ସ୍ଥାନରୁ ଏକ ଚିଠି ଏବଂ ଡାଏରୀ ଉଦ୍ଧାର କରାଯାଇଛି । ଉକ୍ତ ଚିଠି ଏବଂ ଡାଏରୀ ମୃତ୍ୟୁ ରହସ୍ୟ ଖୋଲିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Leave a comment