ଆସନ୍ତା ୨୭ରେ ଆସିବ ବିଏମସିର ପୂର୍ଣ୍ଣାଙ୍ଗ ବଜେଟ, ବିଭିନ୍ନ ପ୍ରକଳ୍ପର ହେବ ରୂପାନ୍ତରଣ

ଭୁବନେଶ୍ବର: ବିଏମସି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭୬କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଥିବା ବେଳେ ୬୧୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସବୁ ବାଧାବିଘ୍ନ ସତ୍ତ୍ବେ ରାଜସ୍ବ ଆଦାୟ ଲକ୍ଷ୍ୟ ହାସଲ କରିବାକୁ ଆଶା ରଖିଛି ବିଏମସି। ତେବେ ଏ ନେଇ ୨୭ରେ ଆସିବ ବିଏମସିର ପୂର୍ଣ୍ଣାଙ୍ଗ ବଜେଟ। ପ୍ରସ୍ତୁତ ହୋଇଛି ୬୭୬କୋଟିର ଚିଠା ବଜେଟ। ଓ୍ବାର୍ଡ ଅଫିସରଙ୍କ ଅଭାବ ରାଜସ୍ବ ଆଦାୟରେ ବାଧକ ସାଜିଛି। ତେବେ ବ୍ୟବସ୍ଥିତ ହେବ ପାର୍କିଂ ଓ ହୋର୍ଡିଂ ବ୍ୟବସ୍ଥା।

ଆସନ୍ତା ୨୭ତାରିଖରେ ବିଏମସିର କର୍ପୋରେସନ ବୈଠକ ପୂର୍ବରୁ ଶେଷ ହୋଇଛି ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ । ବୈଠକରେ ପ୍ରସ୍ତୁତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭୬.୫୭କୋଟି ଟଙ୍କାର ଚିଠା ବଜେଟ । ଯାହାକୁ ନେଇ ୨୭ତାରିଖରେ ବିସ୍ତୃତ ଆଲୋଚନା କରାଯିବ ଏବଂ ସରକାରୀ ଅନୁମୋଦନ ପାଇଁ ପଠାଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୬୭୬.୫୭ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୬୧୬.୨୯କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଚଳିତ ଥର ରାଜସ୍ବ ଆଦାୟ ପାଇଁ ଥିବା ଲକ୍ଷ୍ୟ ଧାର୍ଯ୍ୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମେୟର ସୁଲୋଚନା ଦାସ ଓ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ।

ଚଳିତ ବଜେଟରେ ଓ୍ବାର୍ଡ ଅଫିସ ପ୍ରତିଷ୍ଠା, ଶ୍ମଶାନର ନିର୍ମାଣ, ରାସ୍ତାଘାଟ, ପରିମଳ, ପୋଖରୀ ପୁନଃରୁଦ୍ଧାର, କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ପ୍ରକଳ୍ପକୁ ସ୍ଥାନ ଦିଆଯାଇଛି । ବଡ ବଡ ଟିକସ ଖିଲାପିଙ୍କୁ ଚିହ୍ନଟ କରାଯିବା ସହ ଟିକସ ପଇଠ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସ୍ବତନ୍ତ୍ର ସଚେତନତା ରଥ ପରିକ୍ରମା କରୁଛି । ଆଦାୟ ଉପରେ ଗୁରୁତ୍ତ୍ବ ଦିଆଯିବ ବୋଲି କହିଛନ୍ତି ମେୟର । ୨୦୨୨-୨୩ ଆର୍ଥିକ ବର୍ଷରେ ବିଏମସିର ଆୟ ୬୪୩କୋଟି ଓ ବ୍ୟୟ ୬୦୧କୋଟି ଥିଲା । ଚଳିତ ୨୦୨୩-୨୪ ଆର୍ଥିକ ବଜେଟରେ ଆୟ ୬୭୬ କୋଟି ଓ ବ୍ୟୟ ୬୫୯କୁ ବୃଦ୍ଧି ପାଇଛି।

Leave a comment