୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଏମ୍ସିର ୬୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ : ରାସ୍ତା, ପରିମଳ, ଡ୍ରେନ ଓ ଆଲୋକୀକରଣ ବ୍ୟବସ୍ଥାକୁ ପ୍ରାଥମିକତା

ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଏମ୍ସିର ୬୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି। ବଜେଟ୍ରେ ରାସ୍ତା, ପରିମଳ, ଡ୍ରେନ ସହିତ ଆଲୋକୀକରଣ ଆଦି ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ନୂଆ ଯୋଜନା ପାଇଁ ବ୍ୟୟ ବରାଦକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ବିଏମ୍ସି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନକୁ ନଜରରେ ରଖି ବିଭାଗ ପାଖାପାଖି ୨୫୦ କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖିଛି। ସେହିପରି ଭୁଆଶୁଣୀ ଡମ୍ପିଂୟାର୍ଡଠାରେ ନିର୍ମର୍ାଣ ହେବାକୁ ଥିବା ବାୟୋମାଇନିଂ ପାଇଁ ୧୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଚଳିତ ବଜେଟ୍ରେ ବିଏମ୍ସିର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଡ୍ରେନ୍ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଘରୋଇ ଜମି ଅଧିଗ୍ରହଣ କରିବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି। ଘରୋଇ ଜମି ଅଧିଗ୍ରହଣ ବାବଦକୁ ବିଭାଗ ୧୯୦ କୋଟି ଟଙ୍କା ବ୍ୟୟବରାଦ କରିଛି। ରାଜଧାନୀରେ ଥିବା ୧୩ଟି ପ୍ରାକୃତିକ ନାଳ ମଧ୍ୟରୁ ସର୍ବାଧିକ ଗୁରୁତ୍ୱ ଥିବା ସ୍ଥାନରେ ଏହି ଜମି ଅଧିଗ୍ରହଣ କରାଯିବାକୁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଘରୋଇ ଜମି ଅଧିଗ୍ରହଣ କରିବାକୁ ବିଏମ୍ସି ଲକ୍ଷ୍ୟ ରଖିଥିବା ବେଳେ ଏହା ଦ୍ୱାରା ସଙ୍କୁଚିତ ହୋଇଯାଇଥିବା ଡ୍ରେନ୍ଗୁଡ଼ିକ ପ୍ରଶସ୍ତ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୮୩ଟି ପ୍ଲଟ୍ରୁ ଜମି ଅଧିଗ୍ରହଣ କରିବା ପାଇଁ ବିଏମ୍ସି ଲକ୍ଷ୍ୟ ରଖିଛି।
ଲୋକଙ୍କ ଜମିର ବେଞ୍ଚମାର୍କ ମୂଲ୍ୟକୁ ଆଧାର କରି ସରକାରୀ ନିୟମ ଅନୁଯାୟୀ ଏହି ଜମି ଅଧିଗ୍ରହଣ କରି ଲୋକଙ୍କ ଆଥିକ କ୍ଷତି ପୂରଣ ଦିଆଯିବ। ଏହି ଜମି ଅଧିଗ୍ରହଣ ପରେ ୫, ୮ ଓ ୧୦ ନମ୍ବର ନାଳକୁ ଆବଶ୍ୟକସ୍ଥଳରେ ପ୍ରଶସ୍ତ କରାଯାଇପାରିବ। ଏହା ଦ୍ୱାରା ଜାଗମରା, ଝାରପଡ଼ା, ଗାଡ଼କଣ, ଡୁମୁଡୁମା, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ପୋଖରୀପୁଟ, ବଡ଼ଗଡ଼଼ ଓ ଲକ୍ଷ୍ମୀସାଗର ଆଦି ଅଞ୍ଚଳର ସମସ୍ୟା ସମାଧାନ ହୋଇପାରିବ ବୋଲି ଜଣାପଡ଼ିଛି। କେବଳ ଜମି ଅଧିଗ୍ରହଣରେ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବା ସହିତ ଆଭ୍ୟନ୍ତରୀଣ ଡ୍ରେନ୍ ଓ କିଛି ମୁଖ୍ୟ ଡ୍ରେନ୍ ନିର୍ମାଣ ବାବଦକୁ ମୋଟ୍ ୨୫୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି। ଡ୍ରେନ୍ ବ୍ୟତୀତ ବିଭିନ୍ନ ମାର୍କେଟ ପାଇଁ ମଧ୍ୟ ବ୍ୟୟ ବରାଦ କରାଯାଇଛି। ୧ ନମ୍ବର ମାର୍କେଟ୍ ସହିତ ୪ ନମ୍ବର ମାର୍କେଟ୍ ଓ ଆଦିର ନବୀକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ମାର୍କେଟ୍ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚା କରିବାକୁ ଯୋଜନା ହୋଇଥିବା ବେଳେ ରାଜଧାନୀର ଅନ୍ୟ ମାର୍କେଟ୍ଗୁଡ଼ିକ ପ୍ରତି ମଧ୍ୟ ବଜେଟରେ ବ୍ୟୟ ବରାଦ କରାଯାଇଛି।
ଅନ୍ୟପଟେ ଚଳିତ ବର୍ଷ ରାଜସ୍ୱ ଆଦାୟ ୧୬୦ କୋଟି ଟପିଥିବା ବେଳେ ୨୦୨୨-୨୩ ରେ ଏହାକୁ ଆହୁରି ବଢ଼଼ାଇବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ବିଏମସି ବିଭିନ୍ନ ରାଜସ୍ୱ ବାବଦକୁ ପ୍ରାୟ ୨୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ରାଜ୍ୟ ସରକାରଙ୍କଠାରୁ ବିଭିନ୍ନ କ୍ଷେତ୍ରରେ ଅର୍ଥ ଆସିବ। ଏହାକୁ ମିଶାଇ ବିଭାଗ ସହର ପାଇଁ ମୋଟ୍ ୬୦୦ କୋଟି ଟଙ୍କା ଖର୍ଚ୍ଚର ଗୋଲାପୀ ନକ୍ସା ଆଙ୍କିଥିବା ଜଣାପଡ଼ିଛି। ବିଏମ୍ସି ଅଧୀନସ୍ଥ ରାସ୍ତାଘାଟକୁ ମଧ୍ୟ ଗୁରୁତ୍ୱ ଦେଇ ଉକ୍ତ ସମସ୍ତ କାର୍ଯ୍ୟକୁ ଓଡ଼ିଶା ମ୍ୟୁନିସିପାଲ୍ ନିୟମ ୨୮ ଏବଂ ୨୯କୁ ଭତ୍ତିକରି ବଜେଟ୍ରେ ସ୍ଥାନିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ମ୍ୟୁନିସିପାଲ୍ ଆକ୍ଟ-୧୩୮ ଆଧାରରେ ବଜେଟ ପ୍ରସ୍ତୁତ କରାଯାଇଛି।