ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅତିସକ୍ରିୟ ମୂତ୍ରାଶୟ ରୋଗ କଣ? କ‘ଣ ଏହାର ଲକ୍ଷଣ, କିପରି କରିବେ ଚିକିତ୍ସା ….

ଅତିସକ୍ରିୟ ମୂତ୍ରାଶୟ ହେଉଛି ମୂତ୍ରାଶୟ ସଂଲଗ୍ନ ଏକ ରୋଗ। ଏଥିରେ ପୀଡ଼ିତ ବ୍ୟକ୍ତି ପରିସ୍ରା ନିର୍ଗତ ହେବା କ୍ଷେତ୍ରରେ ନିୟନ୍ତ୍ରଣ ରଖିପାରି ନ ଥାଏ। ବାରମ୍ବାର ପରିସ୍ରା ଲାଗେ ଏବଂ ଶୌଚାଳୟରେ ପହଞ୍ଚିବା ପୂର୍ବରୁ ମଧ୍ୟ ପରିସ୍ରା ହୋଇଯାଏ। ଇଂରାଜୀରେ ଏହାକୁ ଓଭର୍‌ଆକ୍ଟିଭ୍‌ ବ୍ଲାଡର୍‌ ସିଣ୍ଡ୍ରୋମ୍‌ ବା ‘ଓଏବି’ ବୋଲି କୁହାଯାଏ।

ବ୍ଲାଡର୍‌ର ମାଂସପେଶୀଗୁଡ଼ିକ ସଙ୍କୋଚନ ବା ଚାପଗ୍ରସ୍ତ ହେଲେ ଅତିସକ୍ରିୟ ମୂତ୍ରାଶୟ ରୋଗ ସୃଷ୍ଟି ହୋଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ କିଛି ମାନସିକ ରୋଗ ବା ମସ୍ତିଷ୍କରେ ହର୍‌ମୋନ୍‌ ଅସନ୍ତୁଳନ ଯୋଗୁଁ ଏହି ରୋଗ ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ। ଡାଇବେଟିସ୍‌, ମୂତ୍ର ସଂକ୍ରମଣ, ବ୍ଲାଡର୍‌ରେ ଷ୍ଟୋନ୍‌ କିମ୍ବା ଟ୍ୟୁମର୍‌, କିଛି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଏହି ରୋଗର ଅନ୍ୟ କାରଣ ହୋଇପାରେ। ଯକୃତ ସମ୍ପର୍କିତ ଅନ୍ୟ ରୋଗ ବା ମାଦକଦ୍ରବ୍ୟର ଅତ୍ୟଧିକ ସେବନ ଅତିସକ୍ରିୟ ମୂତ୍ରାଶୟର ପ୍ରମୁଖ କାରଣ ହୋଇପାରେ। ଅତିସକ୍ରିୟ ମୂତ୍ରାଶୟ ରୋଗରେ ପୀଡ଼ିତ ବ୍ୟକ୍ତି ଦିନରେ ୮ରୁ ଅଧିକ ଥର ପରିସ୍ରା ଯାଇଥାନ୍ତି। ଅନେକ ସମୟରେ ନିଦରେ ମଧ୍ୟ ପରିସ୍ରା ହୋଇଯାଏ, ଯାହାକି ରୋଗୀ ଜାଣିପାରେନାହିଁ। ଦିନରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଏ।

ଅତିସକ୍ରିୟ ମୂତ୍ରାଶୟ କାରଣରୁ ବ୍ୟକ୍ତି ସାମାଜିକ ଓ ମାନସିକ ସ୍ତରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଏଥିରେ ପୀଡ଼ିତ ବ୍ୟକ୍ତିଙ୍କ ମନରେ ଅଚାନକ ପରିସ୍ରା ନିର୍ଗତର ଭୟ ସବୁବେଳେ ଥାଏ। ଏହି ରୋଗ ସମାଜରେ ଅତି ସାଧାରଣ ହୋଇଥିବା ଯୋଗୁଁ ଏହାର ଚିକିତ୍ସାରେ ବ୍ୟାପକ ଅବହେଳା ଓ କୁଣ୍ଠାବୋଧ ପରିଲକ୍ଷିତ ହୋଇଥାଏ। ଏହି ରୋଗର ବହୁତ କାରଣ ଥିଲେ ମଧ୍ୟ ଏହାକୁ କେବଳ ବାର୍ଦ୍ଧକ୍ୟଜନିତ ସମସ୍ୟା ଭାବରେ ଗ୍ରହଣ କରି ନେଇ, ଅନେକାଂଶରେ ଏହାର ଚିକିତ୍ସା କରାଯାଇ ନଥାଏ। ଏହି ରୋଗର ଅନେକ ଚିକିତ୍ସା ପଦ୍ଧତି ଅଛି। କିନ୍ତୁ ଶଲ୍ୟ ହିଁ ଏକମାତ୍ର ଚିକିତ୍ସା ବୋଲି ଭାବିନେଇ ଏବଂ ଭୟ କରି ଅନେକ ରୋଗୀ ଏ ସମ୍ପର୍କରେ ଡାକ୍ତରଙ୍କ ସହିତ ପରାମର୍ଶ କରି ନଥାନ୍ତି।

ଲକ୍ଷଣ

ପରିସ୍ରା ଯିବା ପାଇଁ ଅତିଶୟ ବ୍ୟସ୍ତବିବ୍ରତ ହୋଇପଡ଼ିବା, ବାରମ୍ବାର ପରିସ୍ରା ଲାଗିବା, ରାତି ଶୋଇବା ସମୟରେ ପରିସ୍ରା ଲାଗିବା ଭଳି ଅନୁଭୂତ ହେବା, ପରିସ୍ରା କରିବାକୁ ଯିବା ପାଇଁ ବାରମ୍ବାର ନିଦ୍ରାଭଙ୍ଗ ଆଦି ଏହି ରୋଗର ମୁଖ୍ୟ ଲକ୍ଷଣ ଭାବେ ଦେଖାଯାଏ।

ଚିକିତ୍ସା

ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା, ବ୍ୟବହାରିକ ଚିକିତ୍ସା, ଭେଷଜ ଚିକିତ୍ସା ଏବଂ ଶଲ୍ୟ ଚିକିତ୍ସା ମାଧ୍ୟମରେ ଏହାର ଚିକିତ୍ସା କରାଯାଏ। ସାଧାରଣ ଜୀବନ ଶୈଳୀରେ କିଛି ସାମାନ୍ୟ ପରିବର୍ତ୍ତନ ମଧ୍ୟ ଏହାର ଚିକିତ୍ସା କ୍ଷେତ୍ରରେ ଉପାଦେୟ ହୋଇଥାଏ। ଧୂମପାନ ବର୍ଜନ, କଫି ଓ ଚା’ ଆଦି ପାନୀୟର ମାତ୍ରା ନିୟନ୍ତ୍ରଣ, ଓଜନ ହ୍ରାସ ଏବଂ ଦୈନନ୍ଦିନ ତରଳ ପଦାର୍ଥ ଗ୍ରହଣରେ ନିୟନ୍ତ୍ରଣ ଇତ୍ୟାଦି ଦ୍ବାରା ରୋଗକୁ ପ୍ରତିରୋଧ କରିହେବ।

ଅତିସକ୍ରିୟ ମୂତ୍ରାଶୟ ପାଇଁ ତଳିପେଟ ବ୍ୟାୟାମ

ସାଧାରଣତଃ ତଳିପେଟରେ ଥିବା ମାଂସପେଶୀ ବିଭିନ୍ନ ଅବୟବ ଯଥା ଅନ୍ତଃନାଳୀ, ମୂତ୍ରାଶୟ ଓ ଗର୍ଭାଶୟକୁ ସନ୍ତୁଳିତ ରଖିଥାଏ। ଏହି ମାଂସପେଶୀ ଦୁର୍ବଳ ହେଲେ ସନ୍ତୁଳନ ପ୍ରତିହତ ହୋଇଥାଏ ଏବଂ ମୂତ୍ରାଶୟ ଉପରେ ଅସାଧାରଣ ଚାପ ପଡ଼ିଥାଏ। ଫଳସ୍ବରୂପ ପରିସ୍ରା ସ୍ବତଃ ନିର୍ଗତ ସମ୍ଭବ ହୋଇଥାଏ। ତଳିପେଟ ବ୍ୟାୟାମ ଦ୍ବାରା ତଳିପେଟର ମାଂସପେଶୀ ଶକ୍ତ ହୁଏ। ତେଣୁ ତଳିପେଟର ବ୍ୟାୟାମ ପ୍ରତ୍ୟକ୍ଷରେ ଅତିସକ୍ରିୟ ମୂତ୍ରାଶୟ ପାଇଁ ଉପାଦେୟ ହୋଇଥାଏ।

ଦୈନନ୍ଦିନ ଜୀବନ ଉପରେ ପ୍ରଭାବ

ଅତିସକ୍ରିୟ ମୂତ୍ରାଶୟ ରୋଗୀ ସାଧାରଣତଃ ବ୍ୟସ୍ତ ପ୍ରବୃତ୍ତିର ହୋଇଯାଆନ୍ତି। ସବୁ ସମୟରେ ପରିସ୍ରାଗାର ଅନୁସନ୍ଧିତ୍ସୁ ହୋଇପଡ଼ନ୍ତି। ପରିସ୍ରା ନିର୍ଗତରେ ଅନିୟନ୍ତ୍ରିତତା ଯୋଗୁଁ ଏଭଳି ରୋଗୀଙ୍କ ପାଇଁ ଦୈନନ୍ଦିନ ଜୀବନ, ସାମାଜିକ ମିଳାମିଶା ଓ ଯାତାୟାତ ସମୟରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଏ। ଅନେକ ସ୍ଥାନରେ ସେ ଲଜ୍ଜାବୋଧ କରିଥାନ୍ତି। ଯୌନ ସମ୍ବନ୍ଧ ମଧ୍ୟ ପ୍ରତିହତ ହୁଏ। ରାତ୍ରିକାଳୀନ ପରିସ୍ରାରେ ଅନିୟମିତତା ଯୋଗୁଁ ଅନିଦ୍ରା ସୃଷ୍ଟି ହୋଇଥାଏ। ଏହି ଅନିଦ୍ରା ଯୋଗୁଁ ଅତିସକ୍ରିୟ ମୂତ୍ରାଶୟ ରୋଗ ପରୋକ୍ଷ ଭାବେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ତେଣୁ ପ୍ରଥମ ପର୍ଯ୍ୟାୟରେ ରୋଗୀକୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

Leave A Reply

Your email address will not be published.