ଓଡ଼ିଶାରେ ‘ବ୍ଲାକ୍ ଫଙ୍ଗସ୍’ ରୋଗୀ

ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନଟ ହୋଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆନନ୍ଦ କୁମାର ଦାଶ (୭୧) ନାମକ ଜଣେ ବ୍ୟକ୍ତିଙ୍କ ଠାରେ ଏହି ମାରାତ୍ମକ ରୋଗ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ରକ୍ତ ଶର୍କରା ଅନିୟନ୍ତ୍ରିତ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାଜ୍ୟ ଡିଏମ୍ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛିି ଯେ ଯାଜପୁର ଜିଲ୍ଲାବାସିନ୍ଦା ଆନନ୍ଦଙ୍କ ପରିବାର ସଦସ୍ୟ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଏପ୍ରିଲ୍ ୮ ତାରିଖରେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଥିଲା। ୨୦ ତାରିଖରେ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଆନନ୍ଦ ହୋମ୍ ଆଇସୋଲେସନ୍ରେ ଥିଲେ।
ତେବେ ଗତ ୮ ତାରିଖରେ ଶ୍ରୀ ଦାଶ ଆଖି ପୋଡ଼ାଜଳା ହେବା ସହ ଫୁଲିବା, ନାକରୁ ପାଣି ବୋହିବା ଅଭିଯୋଗ କରିଥିଲେ। ଏହାପରେ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲରେ ତାଙ୍କ ନାକର ଏଣ୍ଡୋସ୍କୋପି କରାଯିବା ପରେ ସେ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ବହୁ ଦିନ ହେଲା ପାଣି ବଦଳା ଯାଇ ନ ଥିବା ଏୟାର କୁଲର୍ ବ୍ୟବହାର କରିବା ପରେ ଶ୍ରୀ ଦାଶଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଦେଖାଦେଇଥିଲା। ଆଜି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇ ଥିବା ବେଳେ ତାଙ୍କୁ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଔଷଧ ଦିଆଯାଉଛି। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଡିଏମ୍ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
କରୋନା ସଂକ୍ରମଣ ପରେ ରୋଗୀଙ୍କ ଶରୀରରେ ଭିନ୍ନଭିନ୍ନ ଜଟିଳତା ଦେଖା ଯାଉଥିବା ଗବେଷକମାନେ କହୁଛନ୍ତି। ଏହି ସ୍ଥିତିରେ ‘ବ୍ଲାକ୍ ଫଙ୍ଗସ୍’ ସୁସ୍ଥ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ପ୍ରାଣଘାତୀ ହେବାର ଆଶଙ୍କା ସୃଷ୍ଟି କରିଛି। କରୋନା ପ୍ରଥମ ଲହର କାଳରେ ଦିଲ୍ଲୀ ଓ ମହାରାଷ୍ଟ୍ର ଆଦି ସହରରେ ବ୍ଲାକ୍ ଫଙ୍ଗସ୍ ପୀଡ଼ିତ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆସିଥିଲେ।
ଦିଲ୍ଲୀର ଗଙ୍ଗରାମ ହସପିଟାଲରେ ଗତ ଅଗଷ୍ଟ-ସେପ୍ଟେମ୍ବର ମାସରେ ଏହି ଧରଣରୁ ବହୁ ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ମାତ୍ର ଏବେ ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍ ଫଙ୍ଗସ ମାମଲା ଚିହ୍ନଟ ହୋଇଛନ୍ତି। କେବଳ ମୁମ୍ବାଇରୁ ଏହି ଧରଣର ୩୦୦ ରୋଗୀ ଗତ କିଛିଦିନ ମଧ୍ୟରେ ଠାବ ହୋଇଛନ୍ତି।
କରୋନାରୁ ସୁସ୍ଥ ହେଲା ପରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବାରୁ ଆସିଏମ୍ଆର ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ତେବେ ବ୍ଲାକ୍ ଫଙ୍ଗସ ରୋଗୀ ଆଗୁଆ ଚିକିତ୍ସା ପଦ୍ଧତି ଗ୍ରହଣ କଲେ ସୁସ୍ଥ ହୋଇପାରିବେ ବୋଲି ଆଶ୍ୱାସନା ବାଣୀ ଶୁଣାଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ।
ବ୍ଲାକ୍ ଫଙ୍ଗସ୍ରେ ସଂକ୍ରମିତଙ୍କ କ୍ଷେତ୍ରରେ ଜୀବନ ଯିବାର ଭୟ ସହ ଦୃଷ୍ଟି ଶକ୍ତି ହରାଇବା, ମସ୍ତିଷ୍କ ଆଘାତ ଆଶଙ୍କା ରହିଛି। ଆଖି ଓ ନାକରୁ ପାଣି ଗଡିବା, ଜ୍ୱର, ମୁଣ୍ଡ ବିନ୍ଧା, କାଶ, ନିଶ୍ୱାସ ନେବାରେ କଷ୍ଟ ହେବା, ରକ୍ତବାନ୍ତି, ମାନସିକ ସନ୍ତୁଳନ ବିଗିଡିବା ଆଦି ଏହାର ଲକ୍ଷଣ। ଷ୍ଟିରୋଏଡ୍ ଓଭରଡୋଜ୍, ଆଣ୍ଟିବଡ଼ି ବୃଦ୍ଧି ପାଇଁ ଅଯଥା ଔଷଧ ସେବନ , ସଫା ହୋଇନଥିବା ଅକ୍ସିଜେନ୍ ମାସ୍କ ବ୍ୟବହାର ଦ୍ୱାରା ବ୍ଲାକ୍ ଫଙ୍ଗସ ସୃଷ୍ଟି ହେବା ଆଶଙ୍କା ଅଧିକ। ସର୍ବୋପରି ଅନିୟନ୍ତ୍ରିତ ରକ୍ତ ସର୍କରା ଥିବା ଏବଂ କୋଭିଡ୍ ଆକ୍ରାନ୍ତ ହୋଇ ଅଧିକ ସମୟ ଆଇସିୟୁରେ ଚିକିତ୍ସିତ ହୋଇଥିବା ଲୋକଙ୍କ ପ୍ରତି ଅଧିକ ବିପଦ ରହିଛି। ସେହିପରି ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ବିପଦ ରହିଛି। ଠିକ୍ ସମୟରେ ଚିକିତ୍ସା ନ କଲେ ଜୀବନ ଯିବାର ଆଶଙ୍କା ଅଛି। ରକ୍ତ ସର୍କରା ହେତୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମ୍ ରହୁଥିବାରୁ ବ୍ଲାକ୍ ଫଙ୍ଗସ୍ ଆକ୍ରମଣ କରିବା ସମ୍ଭାବନା ବଢି ଯାଇଥାଏ।
ସମ୍ ଅଲ୍ଟିମେଟ୍ ମେଡିକେୟାର ଇଏନ୍ଟି ତଥା ସ୍କଲ୍ବେସ୍ ସର୍ଜନ ଡାକ୍ତର ରାଧାମାଧବ ସାହୁ କହିଛନ୍ତି, ମଧୁମେହ ରୋଗୀଙ୍କ ପ୍ରତି ବ୍ଲାକ୍ ଫଙ୍ଗସ୍ ଭୟ ଅଧିକ ରହୁଛି। ଚିକିତ୍ସା ପଦ୍ଧତି ଭୁଲ ହେଲେ ଏହି ରୋଗ ହେବାର ସମ୍ଭାବନା ବଢିଥାଏ। ରୋଗୀଙ୍କୁ ଅମ୍ଳଜାନ ଦେବା ସମୟରେ ଅସାବଧାନ ହେଲେ ସଂକ୍ରମଣ ସମ୍ଭାବନା ଅଛି। ଅକ୍ସିଜେନ୍ ମାସ୍କ ସବୁବେଳେ ସାନିଟାଇଜ୍ ହେବା କଥା। ଏହି ବାଟ ଦେଇ ଶରୀରକୁ ସଂକ୍ରମଣ ବ୍ୟାପୁଥିବା ପ୍ରମାଣ ହେଲାଣି। ତେଣୁ ମଧୁମେହ ରୋଗୀ ଥିରେ କୋଭିଡ୍ ସଂକ୍ରମିତ ହେଲେ କଡ଼ାକଡି ଭାବେ ତାଙ୍କ ଶରୀରରେ ରକ୍ତ ସର୍କରା ଅନୁଧ୍ୟାନ କରିବା ଜରୁରୀ। ରକ୍ତ ସର୍କରା ନିୟନ୍ତ୍ରଣରେ ରହିଲେ ବ୍ଲାକ୍ ଫଙ୍ଗସ୍ ହେବାର ଭୟ ଦୂରେଇ ଦେଇ ହେବ। ଏହା ବ୍ୟତୀତ ଅନେକ କରୋନା ରୋଗୀଙ୍କୁ ଚିକିତ୍ସା ସମୟରେ ଷ୍ଟିରୋଏଡ୍ ଦେଉଛୁ। ଏହାର ପ୍ରତିକୂଳ ପ୍ରଭାବ ରହିଛି। ତେଣୁ ଏପରି ଚିକିତ୍ସା ଭାବି ଚିନ୍ତି କରିବା ଆବଶ୍ୟକ। ଯଦି ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ପ୍ରକାଶ ପାଏ ତା ହେଲେ ଆମେ ରୋଗୀଙ୍କ ନାକର ଏଣ୍ଡୋସ୍କୋପି କରିଥାଉ। ଏହାଦ୍ୱାରା ବ୍ଲାକ୍ ଫଙ୍ଗସ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ଡା. ସାହୁ ମତବ୍ୟକ୍ତ କରିଛନ୍ତି।
ବରିଷ୍ଠ ଭେଷଜ ଡା. ନିରୋଜ ମିଶ୍ର କହିଛନ୍ତି, ମାଟିରୁ ବ୍ଲାକ୍ ଫଙ୍ଗସ୍ ବ୍ୟାପୁଛି। ମଧୁମେହ ଆକ୍ରାନ୍ତଙ୍କ ରୋଗୀଙ୍କ ପ୍ରତି ଅଧିକ ବିପଦ ରହିଛି। ସେହିପରି କରୋନା ସଂକ୍ରମିତ ହୋଇ ଅଧିକ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିବା କିମ୍ବା ଷ୍ଟେରଏଡ୍ ଇଞ୍ଜେକ୍ସନ୍ ନେଇଥିବା ରୋଗୀଙ୍କ ଠାରେ ଏହି ଭୂତାଣୁ ଦେଖାଯାଉଛି। କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାଟିରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। ନାକରୁ ସିଙ୍ଘାଣି ବାହାରିବା ବ୍ଲାକ୍ ଫଙ୍ଗସ୍ର ପ୍ରମୁଖ ଲକ୍ଷଣ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ୍ ପରାମର୍ଶଦାତା ଡା. ଜୟନ୍ତ ପଣ୍ଡା କହିଛନ୍ତି ଯେ ଗୁଜରାଟ, ମହାରାଷ୍ଟ୍ର ଓ ଦିଲ୍ଲୀରେ କୋଭିଡ୍ ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି।
ଓଡ଼ିଶାରେ ‘ବ୍ଲାକ୍ ଫଙ୍ଗ୍ସ’…