ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡ଼ିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ବିଜେପି ଓଡ଼ିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଛି ବୋଲି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି କହିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କ୍ରମାଗତ ଭାବରେ ନିଜର ଅହଂକାର ଯୋଗୁଁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଓଡ଼ିଶାବାସୀଙ୍କ ଦ୍ୱାରା ପରାସ୍ତ ପରେ ମଧ୍ୟ କଛି ଶିଖିପାରିଲା ନାହିଁ। ୨୦୧୯ରୁ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ଓଡ଼ିଶାବାସୀ ବିଜେଡିକୁ ବିଜୟ ତିଳକ ପିନ୍ଧାଇଛନ୍ତି। ଏପରିକି ୨୦୧୯ ନିର୍ବାଚନରେ ବିଜେପି ଜିଣିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ତାକୁ ପରାଜୟର ରାସ୍ତା ଦେଖାଇଛନ୍ତି।

ଆମେ ଆଶା କରୁଛୁ ଯେ ରାଜ୍ୟ ବିଜେପି ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଜାତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ସମ୍ମାନ ଦେବା ଶିଖୁ। ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜର ମତ ରଖିପାରିବେ। ତାହା ନକରି ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ଅସମ୍ମାନ କରିବା ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍‍ ନୁହେଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି। ସେ ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। କାରଣ ଆମେ ନିର୍ବାଚନ ପାଇଁ ନୁହେଁ, ଲୋକଙ୍କ ପାଇଁ କାମ କରୁ। ଏଥିପାଇଁ ଓଡ଼ିଶାବାସୀ ଆମ ଭଲ କାମ ପାଇଁ ଆମକୁ ପ୍ରତ୍ୟେକଟି ନିର୍ବାଚନରେ ଆର୍ଶୀବାଦ କରି ଜୟଯୁକ୍ତ କରାଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a comment