ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ବିବାଦୀୟ ଧାର୍ମିକ ନେତା ରାମ ରହିମଙ୍କ ସତସଙ୍ଗରେ ଯୋଗଦେଲେ ବହୁ ବିଜେପି ନେତା

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ଏକ ଭର୍ଚୁଆଲ ‘ସତସଙ୍ଗ’ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର ଶାସକ ଦଳ ତଥା ବିଜେପିର ଅନେକ ବଡ଼ନେତା ରାମ ରହିମଙ୍କ ଏହି ସତସଙ୍ଗ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ନିକଟରେ ଏହି ବିବାଦୀୟ ଧାର୍ମିକ ନେତା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପାରୋଲରେ ଜେଲରୁ ବାହାରିଛନ୍ତି । ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ପାଇଥିବା ରାମ ରହିମ ସମ୍ପ୍ରତି ୪୦ ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଛନ୍ତି । ସେ ବୁଧବାର ଉତ୍ତର ପ୍ରଦେଶର ବାଗପତରୁ ଏକ ଅନଲାଇନ୍ ସତସଙ୍ଗର ଆୟୋଜନ କରିଥିଲେ। ଏଥିରେ ହରିୟଣାର ବହୁ ବିଜେପି ନେତାଙ୍କ ସମାଗମ ହୋଇଥିଲା ।

ସତସଙ୍ଗ ସମୟରେ ହରିୟାଣାର କର୍ଣ୍ଣାଲ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ୨୦୨୨ରେ ଠିଆ ହୋଇଥିବା ପ୍ରାର୍ଥୀମାନେ ମଧ୍ୟ ଆଶୀର୍ବାଦ ନେଇଥିଲେ । ଏଥିସହିତ କିଛି ବିଜେପି ନେତା ମଧ୍ୟ ସତସଙ୍ଗରେ ଯୋଗ ଦେଇଥିଲେ । ଏଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ରେଣୁ ବାଲା ଗୁପ୍ତା, ଜିଲ୍ଲା ସଭାପତି ଯୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଏବଂ ବରିଷ୍ଠ ଡେପୁଟି ମେୟର ରାଜେଶ ସାମିଲ ଅଛନ୍ତି । ସମସ୍ତେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ ପିତା ବୋଲି ସମ୍ବୋଧନ କରିବା ସହ ଆଶୀର୍ବାଦ ନେଇଥିଲେ ।

ରାମ ରହୀମଙ୍କ କାର୍ଯ୍ୟକ୍ରମରେ ଏହାର ବହୁ ନେତା ଅଂଶଗ୍ରହଣ କରିବା ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ । ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ନେତାଙ୍କୁ ଆସନ୍ତା ମାସରେ ହରିୟାଣାରେ ହେବାକୁ ଥିବା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାରୋଲ ଦିଆଯାଇଛି।

Leave A Reply

Your email address will not be published.