ବିଜେପି ଶାସିତ କୌଣସି ରାଜ୍ୟରେ ଡ୍ରାଇଭରଙ୍କ ପାଇଁ କିଛି ନୀତି ଅଛି କି ? ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ ପ୍ରଶ୍ନ…..

ଓଡ଼ିଶାରେ ଡ୍ରାଇଭରଙ୍କ କଲ୍ୟାଣ ରାଜ୍ୟ ସରକାର ହିଁ କରିବେ, ବିଜେପି କେବଳ ରାଜନୀତି କରିବ

ଭୁବନେଶ୍ୱର: ଦଶ ଦଫା ଦାବି ନେଇ ଗତକାଲିଠାରୁ ଡ୍ରାଇଭରମାନେ ଆନ୍ଦୋଳନ କରୁଛନ୍ତି। ପରିବହନ ବିଭାଗ ଏନେଇ ଏକ କମିଟି ଗଠନ କରି ଆଲୋଚନା କରୁଥିବା ବେଳେ ରାଜ୍ୟ ସରକାର ଏହି ଘଟଣାକୁ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ରାଜ୍ୟରେ ମାଟ୍ରିକ ପରୀକ୍ଷା ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପିଲାମାନଙ୍କର ପରୀକ୍ଷା ଚାଲିଥିବାରୁ ରାଜ୍ୟ ସରକାର ଘଟଣାକୁ ନେଇ ତତ୍ପରତା ଦେଖାଉଥିବା ବେଳେ ବିରୋଧୀ ବିଜେପି କିନ୍ତୁ ରାଜନୀତି କରିବା ଆରମ୍ଭ କରିଦେଇଛି। ପିଲାମାନଙ୍କ ପରୀକ୍ଷା ସମୟରେ ଡ୍ରାଇଭର ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଏହାକୁ ନେଇ ତୁଛା ରାଜନୀତି କରିବା ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।


ଆଉ ବିଜେପିର ଏହି ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଧର୍ମେନ୍ଦ୍ର ଟ୍ବିଟ କରି ଏହି ବିଷୟରେ କହିବା ପରେ ତାଙ୍କ କଡା ଜବାବ୍‌ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର କହିଛନ୍ତି ଓଡ଼ିଶାରେ ଡ୍ରାଇଭରଙ୍କ କଲ୍ୟାଣ ରାଜ୍ୟ ସରକାର ହିଁ କରିବେ। ବିଜେପି କିଛି କରିବ ନାହିଁ କେବଳ ରାଜନୀତି କରିବ। ଏଥି ସହିତ ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି କି ବିଜେପି ଶାସିତ କୌଣସି ରାଜ୍ୟରେ ଡ୍ରାଇଭର ନୀତି ଅଛି କି ? ଓଡ଼ିଶା ନୀତି ଆଣିଲେ, ବିଜେପି ଶାସିତ ରାଜ୍ୟ ଆଣିବେ କି ? କେନ୍ଦ୍ରବି ଡ୍ରାଇଭରଙ୍କ ପାଇଁ ଭଲ ପଦକ୍ଷେପ ନେବା ଉଚିତ ବୋଲି ମଧ୍ୟ ଧର୍ମେନ୍ଦ୍ରକୁ ସସ୍ମିତ କହିଛନ୍ତି।

ଅନ୍ୟପଟେ ଆଜି ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା।

ସେ ଆହୁରି କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି ଆନ୍ଦୋଳନ କରିବା ଫଳରେ ଛାତ୍ରଛାତ୍ରୀଙ୍କଠୁ ନେଇ ଅଭିଭାବକମାନେ ହଇରାଣ ହେଉଛନ୍ତି। ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଏହି ସମୟରେ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ବିରତ ରହିବା ପାଇଁ ଆହ୍ୱାନ କରିବା କଥା। ଏହାକୁ ନେଇ ରାଜନୀତି କରିବା ସେମାନଙ୍କୁ ଶୋଭା ପାଉ ନାହିଁ।

ରାଜ୍ୟ ସରକାର ଡ୍ରାଇଭର ଓ ମୋଟର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଲାଗି ବିଚାର ଆଲୋଚନା କରୁଛନ୍ତି। ଅଥଚ ବିଜେପି ସେମାନଙ୍କୁ ମିଛ ସମର୍ଥନ ଓ ସମବେଦନା ଜଣାଇ ରାଜନୀତି କରିବାକୁ ଚେଷ୍ଟା କରୁଛି। ତେଣୁ ଡ୍ରାଇଭର ଭାଇମାନଙ୍କୁ ଆମର ଅନୁରୋଧ, ସେମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଓଡ଼ିଶାରେ ଡ୍ରାଇଭର ଓ ମୋଟର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଯାହା ଆବଶ୍ୟକ, ତାହା କେବଳ ରାଜ୍ୟ ସରକାର ହିଁ କରିବେ।ବିଜେପି ଏଠାରେ ଆନ୍ଦୋଳନୀକାରୀ ମୋଟର କର୍ମଚାରୀଙ୍କୁ ସମର୍ଥନ ଜଣାଇବା ପୂର୍ବରୁ ପ୍ରଥମେ ନିଜଶାସିତ ରାଜ୍ୟମାନଙ୍କରେ ଏହା କରି ଦେଖାଉ। ମୋଟର କର୍ମଚାରୀଙ୍କୁ ଭୁଆଁ ବୁଲାଇ ଓଡ଼ିଶା ବିଜେପି ଡ୍ରାଇଭର ସଂଘ ଆନ୍ଦୋଳନରୁ ରାଜନୈତିକ ଫାଇଦା ହାସଲ କରିବା ଚେଷ୍ଟାରୁ ବିରତ ରହୁ ବୋଲି ଡ. ମହାନ୍ତି କହିଛନ୍ତି।

Leave a comment