‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରୁ ବିଜେପି, ମୋଦୀ ଜୀ କେବେ ପିଓକେ ଭାରତକୁ ଫେରାଇ ଆଣିବେ କୁହନ୍ତୁ

ମୁମ୍ବଇ : କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ବିସ୍ଥାପନ ଉପରେ ନିର୍ମିତ ଫିଲ୍ମ ‘କାଶ୍ମୀର ଫାଇଲ’ କ୍ରମାଗତ ଭାବରେ ସାରା ଦେଶରେ ଲୋକଙ୍କ ଆତ୍ମାକୁ ଥରାଇ ଦେଉଛି। ଫିଲ୍ମ ଦେଖିବା ପରେ ଲୋକମାନେ ସୋସିଆଲ ମିଡିଆରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସାରା ଦେଶରେ ଚଳଚ୍ଚିତ୍ର ଦ୍ୱାରା ସୃଷ୍ଟି ହୋଇଥିବା ପରିବେଶକୁ ଦେଖିବା ପରେ ବିଭିନ୍ନ ଦଳ ତାଙ୍କର ପ୍ରତିକ୍ରିୟା ଦେଉଛନ୍ତି। ଗତକାଲି  କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜୱାଲା ‘କାଶ୍ମୀର ଫାଇଲ’କୁ ନେଇ ତାଙ୍କର ମତ ପ୍ରକାଶ କରିବା ସହ ବିଜେପି ଚଳଚିତ୍ରକୁ ନେଇ ରଜନୀତି ନକରି ମୋଦୀ ଜୀ କେବେ ସୁଦ୍ଧା କାଶ୍ମୀରୀ ପଣ୍ଡିତମାନଙ୍କୁ ଫେରାଇ ଆଣିବା ସହ କେବେ ପୁଃନ ଥଇଥାନ କରିବେ ତାହା କୁହନ୍ତୁ କହିଥିବା ବେଳେ ଆଜି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଉପରେ ରାଜନୀତି କରିବା ପରିବର୍ତ୍ତେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତ ସହ ମିଶାଇବା ଉପରେ ବିଜେପି ଆଲୋଚନା କରିବା ଉଚିତ।

ସେ କହିଛନ୍ତି ଯେ ଶିବସେନା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲ ଠାକରେଙ୍କ ଜୀବନୀ ଉପରେ ଫିଲ୍ମକୁ ଟିକସମୁକ୍ତ କରିବା ପାଇଁ କେବେ ଦାବି କରିନଥିଲା । କିନ୍ତୁ ବିଜେପି ‘କାଶ୍ମୀର ଫାଇଲ୍ସ’ ଉପରେ ଟିକସଛାଡ଼ ପାଇଁ ସବୁ ରାଜ୍ୟକୁ ବାଧ୍ୟ କରୁଛି ।ଶିବସେନାର ରାଜ୍ୟସଭା ସଦସ୍ୟ ରାଉତ କହିଛନ୍ତି ଯେ ଆମେ (୨୦୧୯ରେ) ବାଲାସାହେବ ଠାକରେଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲୁ। ଏହା ଏକ ଭଲ ଚଳଚ୍ଚିତ୍ର ଥିଲା । ଏହି ଫିଲ୍ମ ଉପରେ ମନୋରଞ୍ଜନ ଟ୍ୟାକ୍ସ ଛାଡ଼ କରିବାକୁ ଆମେ କେବେ ଦାବି କରିନାହୁଁ। ସେ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି କରିବା ଠିକ୍ ନୁହେଁ।

ରାଉତ କହିଛନ୍ତି ଯେ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ଶିବସେନାର ଭାବନା ସମଗ୍ର ଦେଶ ଜାଣିଛି। ସେ କହିଛନ୍ତି, ୧୯୮୯ ମସିହାରେ ଜାମ୍ମୁ କାଶ୍ମୀରରେ ହିଂସାକାଣ୍ଡ ପରେ ସ୍ୱର୍ଗତ ବାଲ ଠାକରେ କାଶ୍ମୀର ପଣ୍ଡିତମାନଙ୍କୁ ନିଜ ସୁରକ୍ଷା ପାଇଁ ଅସ୍ତ୍ର ପ୍ରଦାନ କରିବାକୁ କେନ୍ଦ୍ର ନିକଟରେ ଦାବି କରିଥିଲେ। ଶିବସେନା ନେତା କହିଛନ୍ତି ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପିଓକେ ଭାରତକୁ ଫେରାଇ ଅଣାଯିବ। ଏହାକୁ ଫେରାଇ ଅଣାଯିବା ଉଚିତ୍ । ଯଦି ଆପଣ (ବିଜେପି) ଏନେଇ କିଛି କରିପାରିବେ, ତେବେ କିଛି କରନ୍ତୁ। କାଶ୍ମୀର ପଣ୍ଡିତମାନେ କାଶ୍ମୀରକୁ ଫେରିବା ନିଶ୍ଚିତ କରିବାକୁ ଆପଣ କରିଥିବା ସଂକଳ୍ପ ନେଇ ମଧ୍ୟ ଆଲୋଚନା କରନ୍ତୁ ।

Leave a comment