ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶୃଙ୍ଖଳିତ ବିଜେପି କର୍ମୀ :ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ, ଯାହା ପାଇଲେ ବାଡେଇ ଭାଙ୍ଗିଲେ

ଭଦ୍ରକ : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଆରମ୍ଭ କରିଦେଇଛି ଗୁଣ୍ଡାଗିରି। ଆଜି ଭଦ୍ରକ ଜିଲ୍ଲାପାଳ ଅଫିସରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି । ଶୋଭାଯାତ୍ରାରେ ଆସି ବିଜେପି କର୍ମୀ ପ୍ରଥମେ ପୁଲିସ ମୁହାଁମୁହିଁ ହୋଇଥିଲେ । କିଛି ସମୟ ଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ ଫାଟକରେ ପୁଲିସ ସହ ଧସ୍ତା ଧସ୍ତି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ବିଜେପି କର୍ମୀ।

ଜିଲ୍ଲାପାଳଙ୍କ ଗାଡ଼ିକୁ ଭାଙ୍ଗିବା ସହ କାର୍ଯ୍ୟାଳୟ ଭିତରେ ପଶି ଚେୟାର ଭଙ୍ଗାରୁଜା କରିଛନ୍ତି ବିଜେପିର ଉଭ୍ରାନ୍ତ କର୍ମୀ । ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ନେଇ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ଗୁଣ୍ଡାଗିରିକୁ ସାଧାରଣରେ ନାପସନ୍ଦ କରାଯାଇଛି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସହ ବରିଷ୍ଠ ନେତା ମନମୋହନ ସାମଲଙ୍କ ଉପସ୍ଥିତରେ କର୍ମୀ ଏଭଳି କାଣ୍ଡ ଘଟାଇଛନ୍ତି । ଏପରିକି ଜିଲ୍ଲାପାଳଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଟାଣି ଭାଙ୍ଗି ଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ବହୁ ସରକାରୀ ପୋଷ୍ଟର ଫାଡ଼ି ଦେଇଛନ୍ତି। ହେଲେ ସେପରି କିଛି ହୋଇ ନ ଥିବା କହି ଘଟଣାକୁ ଘଣ୍ଟ ଘୋଡ଼ାଇଛନ୍ତି ବିଜେପିର ଉପସଭାପତି ବିଷ୍ଣୁ ସେଠୀ।

ସୂଚନାଯୋଗ୍ୟ ଓବିସି ମାନଙ୍କ ପାଇଁ ସଂରକ୍ଷଣ କରିବା ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବ୍ୟାପକ ଭାବେ ବେଆଇନ କାର୍ଯ୍ୟ କରାଯାଇଥିବା ଦର୍ଶାଇ ଭଦ୍ରକ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଏହି ଉପଲକ୍ଷେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ୱ ରେ ଗାନ୍ଧୀ ପଡିଆ ଠାରୁ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ ।

ଠିକ ଏହି ସମୟରେ ଦିନ ୧ଟା ୪୫ ସମୟରେ ବିଜେପି କର୍ମୀ ମାନେ ଜିଲ୍ଲାପାଳଙ୍କ ଗେଟ ସମ୍ମୁଖରେ ତୀବ୍ର ଭାବେ ବିକ୍ଷୋଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ଏପରିକି ପୁଲିସ ପ୍ରବଳ ପ୍ରତିରୋଧ ସତ୍ୱେ ଉତ୍ସୃଙ୍ଖଳିତ ବିଜେପି କର୍ମୀ ମାନେ ଜିଲ୍ଲାପାଳଙ୍କ ଗାଡିର ନେମ ପ୍ଲେଟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚେୟାର ଗୁଡିକ ବାଡେଇ ଭାଙ୍ଗି ଦେଇଥିଲେ । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବ୍ୟାନର ଗୁଡିକ ଚିରି ଫୋପାଡ଼ି ଦେଇଥିଲେ ।

ତେବେ ଗାଡି ଗୁଡିକ ଭଙ୍ଗାରୁଜା କରିବାବେଳେ ପୁଲିସ ପ୍ରତିରୋଧ କରିଥିଲେ । ତଥାପି ଜିଲ୍ଲାପାଳଙ୍କ ଗାଡିର ସାଇନ ବୋର୍ଡ ଓ ଅଭିଯୋଗ ବାକ୍ସକୁ ଭାଙ୍ଗି ଦେଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ ମୁତୟନ ଅଛନ୍ତି । ଘଟଣା ସ୍ଥଳରେ ଭଦ୍ରକ ଏସପି ଚରଣ ସିଂ ମୀନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଓ ଏସପି ଚରଣ ସିଂ ମୀନା ଏହି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ସରକାରୀ କାର୍ଯ୍ୟାଳୟ ରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏଭଳି ଦଙ୍ଗାଗୋଳ ଘଟଣା ବିଜେପିର ଗୁଣ୍ଡଗିରି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କହିବା ସହ ଘଟଣାକୁ କଡା ନିନ୍ଦା କରିଛନ୍ତି ।

Leave A Reply

Your email address will not be published.