ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ ଗୋଲାପୀ ସ୍ୱପ୍ନ ଦେଖାଉଥିବା ରେଳମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି, ୫ ବର୍ଷ ହେଲାଣି ଓଡ଼ିଶାକୁ କାହିଁକି ମିଳିନି ନୂଆ ରେଳ ଲାଇନ୍‌?……

ଭୁବନେଶ୍ୱର : ଓଡ଼ିଶାକୁ ସର୍ବଦା ଅବହେଳା କରିଆସିଛି କେନ୍ଦ୍ରର ବିଜେପି ସରକାର। ରେଳବାଇରେ କେନ୍ଦ୍ରର ଏନଡିଏ ସରକାର ଓଡିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛି । ଓଡ଼ିଶାରୁ ରାଜସ୍ୱ ହିସାବରେ ହଜାର ହଜାର କୋଟି ଟଙ୍କା ପାଉଥିବା ସତ୍ତ୍ବେ ଓଡ଼ିଶାରେ ରେଳର ବିକାଶ କ୍ଷେତ୍ରରେ ସେମିତିି କିଛି କାମ ହେଉନାହିଁ। ଯାହାକୁ ନେଇ ଆଜି ପ୍ରେସ୍‌ମିଟ୍‌ କରି କେନ୍ଦ୍ର ସରକାର ଓ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉପରେ ବର୍ଷିଛି ବିଜୁ ଜନତା ଦଳ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଲୋକଙ୍କୁ ଗୋଳାପି ଚିତ୍ର ଦେଖାଇବାରେ କେନ୍ଦ୍ର ସରକାର ବେଶ୍‌ ଧୂରନ୍ଧର । ଆମେ ଦେଉଛୁ ଆମେ ଦେଉଛୁ କହି ରାଜନୀତି କରିବା ବେଶ୍‌ ଜଣା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁବେଳେ ୟୁପିଏ ସରକାରରେ ଓଡ଼ିଶାକୁ ଅଧିକ ଟଙ୍କା ମିଳୁ ନଥିଲା, କାମ ହେଉନଥିଲା ବୋଲି କହୁଛନ୍ତି । କିନ୍ତୁ ଗତ ୯ ବର୍ଷରେ ବିଜେପି ସରକାର କ’ଣ କରିଛି ତାହାର ଜବାବ୍‌ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଗତ ୯ ବର୍ଷ ଭିତରେ ରେଳବାଇ ଓଡିଶାରୁ ହାରାହାରି ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଥିବାବେଳେ ସେହି ଅନୁପାତରେ ଓଡିଶାକୁ ଯେତିକି ଅର୍ଥ ଦିଆଯାଇଛି ତାହା ପର୍ଯ୍ୟାପ୍ତ କି? ଏହି ସମୟରେ କୌଣସି ନୂଆ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଛି କି? ଏପରିକି ଆଦିବାସୀ ଅଞ୍ଚଳ ଲୋକେ ନୂତନ ରେଳ ସଂଯୋଗ ପାଇ ନାହାନ୍ତି କି ଗତ ୫ବର୍ଷ ମଧ୍ୟରେ ଗୋଟିଏ ହେଲେ ନୂତନ ରେଳ ଲାଇନ୍‍ ମଞ୍ଜୁର ହୋଇନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ଶ୍ରୀମୟୀ ମିଶ୍ର କହିଛନ୍ତି, ରେଳବାଇକୁ ରାଜସ୍ୱ ହିସାବରେ ଓଡିଶା ହାରାହାରି ୨୦୦୦୦ ରୁ ୨୨୦୦୦ କୋଟି ଟଙ୍କା ପ୍ରଦାନ କରିଥାଏ । ତେଣୁ ଗତ ନଅ ବର୍ଷ ମଧ୍ୟରେ ହାରାହାରି ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରେଳବାଇ ଓଡିଶାରୁ ଆୟ କରିଛି । ତେବେ ଗତ ୫ ବର୍ଷ ମଧ୍ୟରେ ଓଡିଶା ପାଇଁ କୌଣସି ନୂତନ ରେଳଲାଇନ୍‍ ମଞ୍ଜୁର ହୋଇନାହିଁ । ଯାତ୍ରୀବାହୀ ଟ୍ରେନ୍‌ ସହିତ କୌଣସି ନୂତନ ଜିଲ୍ଲା ସଂଯୋଗ ବି ହୋଇନାହିଁ । କେବଳ ଗୋଟିଏ ଜିଲ୍ଲା ଯାହାକି ନୟାଗଡ଼ ଏବଂ ପ୍ରାୟ ୨୦୦ ଲୋକ ଖୋରଧା ଯିବା ପାଇଁ ଏହି ଟ୍ରେନ୍‌ ବ୍ୟବହାର କରନ୍ତି । କେନ୍ଦ୍ରାପଡାକୁ ରେଳ ଚଳାଚଳ ଆରମ୍ଭ କରିବାର ଦୁଇ ବର୍ଷ ପରେ ମଧ୍ୟ ଓଡିଶାରୁ କୌଣସି ଯାତ୍ରୀ ଏଠାକୁ ଯାତ୍ରୀବାହୀ ଟ୍ରେନ୍‌ ସେବା ପାଇପାରି ନାହାନ୍ତି, କାରଣ ରେଳବାଇ ଭାବୁଛି ଯେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଆଦୌ ଲାଭଦାୟକ ନୁହେଁ । ଓଡ଼ିଶାକୁ ଗୋଟିଏ ହେଲେ ରେଳ କାରଖାନା ଆସିନଥିବାବେଳେ ଗଞ୍ଜାମରେ ମଞ୍ଜୁରୀପ୍ରାପ୍ତ ଶୀତଳାପଲ୍ଲୀ ୱାଗନ୍‌ କାରଖାନା କେଉଁଠାରେ ଅଛି ବୋଲି ଶ୍ରୀମତି ମିଶ୍ର ପ୍ରଶ୍ନ କରିଛନ୍ତି । ଏହି କାରଖାନାରେ କେତେ ଲୋକ ଚାକିରି ପାଇଛନ୍ତି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି । ସେହିପରି ପୁରୀ- କୋଣାର୍କ ରେଳ ଲାଇନ ପ୍ରକଳ୍ପ କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପଦ୍ମପୁର ଦେଇ ବରଗଡ- ନୁଆପଡା ରେଳ ଲାଇନ କେଉଁଠାରେ ଅଛି? ଗୁଣୁପୁର- ଥେରୁବାଲି ଲାଇନ୍‍ କେଉଁଠାରେ ଅଛି? ତାଲଚେର-ବିମଲାଗଡ ଲାଇନ କେଉଁଠାରେ ଅଛି? ଗତ ନଅ ବର୍ଷ ମଧ୍ୟରେ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନାହିଁ? ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ ଦେଶର ସବୁଠାରୁ ମନ୍ଥର ଗତିରେ କାର୍ଯ୍ୟକ୍ଷମ ରେଳଲାଇନ୍‍ ଭାବରେ ଏକ ରେକର୍ଡ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ରେଳମନ୍ତ୍ରୀ କହିଛନ୍ତି ଓଡିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ୫୦୦୦, ୬୦୦୦, ୧୦୦୦୦ କୋଟି ଟଙ୍କା ମଞ୍ଜୁର କରୁଛନ୍ତି । କିନ୍ତୁ ଏହି ପାଣ୍ଠି କୁଆଡେ ଯାଉଛି?

ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ କହିଛନ୍ତି ଏହା ଓଡିଶାବାସୀଙ୍କ ପ୍ରତି ଚରମ ଅନ୍ୟାୟ । ଏହି ଐତିହାସିକ ଅବହେଳା ହେତୁ ଆମର ମୁଖ୍ୟମନ୍ତ୍ରୀ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇ ଦେଉଛନ୍ତି । ନିର୍ମାଣ ଖର୍ଚ୍ଚର ୫୦% ବହନ କରୁଛନ୍ତି । ଆବଶ୍ୟକ ହେଲେ ପୂରା ପାଣ୍ଠି ଦେବାକୁ ପ୍ରସ୍ତୁତ ଅଛନ୍ତି । କୌଣସି ରାଜ୍ୟ ଏହା କରନ୍ତି ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ଆଦିବାସୀ ଜିଲ୍ଲା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଓଡ଼ିଶାରୟ ରେଳ ସଂଯୋଗରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଉଦ୍ୟମ କରୁଛନ୍ତି । କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ ଏହି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଜାରି ରହିଛି । ଆମେ ଆଶା କରୁଛୁ ହଜାର ହଜାର କୋଟି ନକଲି ପୁଞ୍ଜି ବିନିଯୋଗ ନେଇ ବିଜେପି ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ । ଯଦି ଆପଣଙ୍କର ସତସାହସ ଅଛି, ତେବେ ଦୁଇ ଲକ୍ଷ କୋଟି ନେବା ପରେ ଗତ ନଅ ବର୍ଷ ମଧ୍ୟରେ ଆମକୁ କୁହନ୍ତୁ ଆପଣ କେତେ ନୂତନ ଷ୍ଟେସନ୍‌ କାର୍ଯ୍ୟକ୍ଷମ କରିଛନ୍ତି? ଆପଣ କେତେ ନୂତନ ଲାଇନ କାର୍ଯ୍ୟକ୍ଷମ କରିଛନ୍ତି ଏବଂ ଓଡିଶାର କେଉଁ ଅଂଶ ଏହାର ଲାଭ ପାଇଛି?

ବିଜେଡିର ଅନ୍ୟତମ ମୁଖପାତ୍ର ଡକ୍ଟର ଲେନିନ୍‌ ମହାନ୍ତି କହିଛନ୍ତି, ସତ କଥା ସବୁ ବେଳେ କଟୁ । ରେଳମନ୍ତ୍ରୀ ମିଥ୍ୟା କହି, ଭୂଆଁ ବୁଲାଇ ଏହା ଉପରେ କେତେ ମିଠା ବୋଳିବା ଉଦ୍ୟମ କଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ । ଓଡିଶାର ଲୋକମାନେ ସତ୍ୟ କଣ ଜାଣନ୍ତି । ଆମେ ରାଜ୍ୟ ବିଜେପି ସାଂସଦମାନଙ୍କୁ ଆନ୍ତରିକତାର ସହ ଅନୁରୋଧ କରୁଛୁ ଯେ ସେମାନେ ଓଡିଶାର ଲୋକଙ୍କ ଅଧିକାର ପାଇଁ ଲଢନ୍ତୁ ଏବଂ ରାଜ୍ୟରୁ ଦୁଇ ଲକ୍ଷ କୋଟି ଟଙ୍କା ନେବା ପରେ ଚୁପ ରୁହନ୍ତୁ ନାହିଁ । ଓଡ଼ିଶାକୁ ତାର ହକ୍‌ ଦେବା ଆବଶ୍ୟକ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

 

Leave A Reply

Your email address will not be published.