ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରକୁ ବିଜେଡିର ଚେତାବନୀ: ଦର ହ୍ରାସ ପାଇଁ ୩୦ ତାରିଖ ସୁଦ୍ଧା ନିଅ ପଦକ୍ଷେପ

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ । ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା । ୭ ବର୍ଷ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦୁଇ ଗୁଣ ବଢ଼ି ୯୩୦ ଟଙ୍କା ଉପରେ ରହିଛି । ମହାମାରୀ କରୋନା ସଂକଟ ସମୟରେ ମଧ୍ୟ ପ୍ରତି ମାସରେ ଦର ୨୫ରୁ ୭୫ ଟଙ୍କା ବଢ଼ିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରେସମିଟରେ ବର୍ଷିଛି ବିଜେଡି।

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି କରି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି କେନ୍ଦ୍ର ସରକାର । ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରତିବାଦରେ ବିଜୁ ଜନତା ଦଳ ଦେଇଥିବା ଡାକରାରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

ଓଲଟି ବିଜେପିର ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଲାଗି ମିଛ ସାହାରା ନେଇ ଭିନ୍ନ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଓ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଦେଶରେ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବ କଥା ହେଲା, ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ ଦର ୬ ଡଲାର ଥିଲା । ଏବେ ତାହା ୫.୮ ଡଲାରକୁ ଖସି ଆସିଛି । ଠିକ୍ ସେହିଭଳି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିବାବେଳେ ଏବେ ୭୮ ଡଲାର ରହିଛି । ଉଭୟ ନାଚୁରାଲ୍ ଗ୍ୟାସ୍ ଓ ଅଶୋଧିତ ତୈଳଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ ପ୍ରତିଶତ ବଢ଼ିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ସେହିଭଳି କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନେଇ ଲୋକଙ୍କୁ ମଛ ସଫଳତାର କାହାଣୀ ଶୁଣାଉଥିବା କହିଛି ବିଜେଡି । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲି ମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର କହିଥିଲା । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଅଧିକାଂଶ ଉଜ୍ଜ୍ୱଳା ହିତାଧିକାରୀ ସିଲିଣ୍ଡର ରିଫିଲିଂ କର ନପାରି ପୁଣି ଚୁଲି ମୁଣ୍ଡକୁ ଫେରି ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ଲୋକେ ବୁଝି ସାରିଲେଣି । ତେଣୁ, ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ।

ବିଜେଡି ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରି ଆସୁଛି । ୨୨, ୨୩ ଓ ୨୪ ତିନିଦିନ ଧରି ଦଳ ପକ୍ଷରୁ ଦିଆ ଯାଇଥିବା ଆନ୍ଦୋଳନ ଡାକରାରେ ରାଜ୍ୟବ୍ୟାପୀ ବିପୁଳ ସମର୍ଥନ ମିଳିଛି । ମହିଳାଙ୍କ ଠାରୁ ନେଇ ଯୁବକ, ଛାତ୍ର ଓ ଜନସାଧାରଣ ଆନ୍ଦୋଳନକୁ ସଫଳ କରାଇଛନ୍ତି । ଏଥିସହ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର କମାଇବା ଲାଗି ପଦକ୍ଷେପ ନନେଲେ ବିଜେଡି ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି।

Leave A Reply

Your email address will not be published.