ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି

ଭୁବନେଶ୍ୱର : ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଛି। ଦଳର ଏହି ବିପୁଳ ବିଜୟର ଶ୍ରେୟ ବାସ୍ତବରେ ସାଢ଼େ ଚାରିକୋଟି ଓଡ଼ିଆଙ୍କର। ଏହାମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଏବଂ ବିକାଶମୂଳକ କାର୍ଯ୍ୟର ସ୍ୱୀକୃତି। ତିରିଶିରୁ ତିରିଶି ଜିଲ୍ଲା ପରିଷଦ। ବିଜେଡିର ଏହି ଐତିହାସିକ ସଫଳତା ଦଳୀୟ ନେତା, କର୍ମୀ, କର୍ମକର୍ତ୍ତାଙ୍କୁ ଯେତିକି ବିହ୍ୱଳିତ କରିଛି; ଅନୁରୂପ ଭାବରେ ବିରୋଧୀଙ୍କୁ ସେତିକି ହତୋତ୍ସାହିତ କରିଛି। ଶିକ୍ଷିତ ଯୁବଗୋଷ୍ଠୀ ଓ ମହିଳାଙ୍କୁ ଅଧିକରୁ ଅଧିକ ପ୍ରତିନିଧିତ୍ୱର ସୁଯୋଗ ଦେଇ ରାଜ୍ୟରେ ଏକ ସମାବେଶୀ ବିକାଶ ନିମନ୍ତେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି, ତାହା କେବଳ ଶାସନରେ ସନ୍ତୁଳନ ରକ୍ଷା କରିବ ନାହିଁ, ପକ୍ଷାନ୍ତରେ ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବ। ଅନୁରୂପ ଭାବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ରାଜ୍ୟ ଓ ଜିଲ୍ଲାସ୍ତରରେ ସାମଗ୍ରିକ ଜୀବନଧାରାକୁ ଅଧିକ ପରିପୁଷ୍ଟ କରିବ।

ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ଦଳ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଶି ପ୍ରତିଶତରୁ ଅଧିକ ଆସନ ଜିତିବା ଏକ ଅନନ୍ୟ ଉପଲବ୍ଧି। ମହିଳା ନେତୃତ୍ୱ ଏବଂ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରତିପାଦିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଅନେକ ନେତା ରାଜନୀତିରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ସମ୍ପର୍କରେ କେବଳ ମନ୍ତବ୍ୟ ଦେଉଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି। ବିଜୁ ଜନତା ଦଳ ସଭାପତି ଶ୍ରୀ ପଟ୍ଟନାୟକ ୭୦% ଜିଲ୍ଲା ପରିଷଦ ସଭାପତି ଆସନରେ ମହିଳାଙ୍କୁ ବସାଇଛନ୍ତି।


ବୃହତ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼଼଼, ବଲାଙ୍ଗିର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା (ନବରଙ୍ଗପୁର ବ୍ୟତୀତ) ମହିଳା ଜିଲ୍ଲା ପରିଷଦ ସଭାପତିଙ୍କ ହାତକୁ ଯାଇଛି। ଅନୁରୂପ ଭାବରେ ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କୁ ଅନ୍ତର୍ଭୁକ୍ତ କରି) ୧୨ଜଣ ଓବିସି ପ୍ରାର୍ଥୀ (୬୭%)ଙ୍କୁ ଜିଲ୍ଲା ପରିଷଦ ସଭାପତି କରାଯାଇଛି। ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି। ଗଞ୍ଜାମରେ ପଛୁଆ ବର୍ଗର ମହିଳା ପ୍ରାର୍ଥୀ ଅଞ୍ଜଳି ସ୍ୱାଇଁଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ମନୋନୀତ କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟର ଏହା ହେଉଛି ବଳିଷ୍ଠ ଉଦାହରଣ। ଓଡ଼ିଶାରେ ବ୍ୟାପକ ତଥା ପରିବର୍ତ୍ତନଶୀଳ ମହିଳା ସଶକ୍ତିକରଣକୁ ଏହା ଦର୍ଶାଉଛି। ଜିଲ୍ଲା ପରିଷଦ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାରେ ଯୁବ ତଥା ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି। ୩୦ ଜିଲ୍ଲା ମଧ୍ୟରୁ ୧୫ ଜଣ ନୂତନ ଜିଲ୍ଲା ପରିଷଦ ସଭାପତି ପାଇଛନ୍ତି, ଯେଉଁମାନେ ୪୦ ବର୍ଷରୁ କମ୍‍ ବୟସର। ସେହିଭଳି ୩୦ଟି ଜିଲ୍ଲା ମଧ୍ୟରୁ ୨୩ ଟି (୭୬%) ରେ ୫୦ ବର୍ଷରୁ କମ୍‍ ବୟସର ଜିଲ୍ଲା ପରିଷଦ ସଭାପତି ଅଛନ୍ତି। ଯୁବ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। ଆଗାମୀ ପିଢ଼ିର ପ୍ରତିଭାବାନ ଯୁବ ନେତୃତ୍ୱ ସୃଷ୍ଟି କରିବା ଏହାର ଆଭିମୁଖ୍ୟ।

ଏହିି ନିର୍ବାଚନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମନୋନୀତ ପ୍ରାର୍ଥୀଙ୍କ ଉଚ୍ଚଶିକ୍ଷା ଯୋଗ୍ୟତା। ୧୮ଟି ଜିଲ୍ଲା ପରିଷଦ ସଭାପତିଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଛି। ୩୦ ଜଣ ଜିଲ୍ଲା ପରିଷଦ ସଭାପତିଙ୍କ ମଧ୍ୟରୁ ୨୬ ଜଣ ଅତି କମରେ ଯୁକ୍ତ ୨ ଶିକ୍ଷା ସମାପ୍ତ କରିଛନ୍ତି। ଉତ୍ତମ ଲୋକସମ୍ପର୍କ, ନେତୃତ୍ୱ ତଥା ଉତ୍ତମ ଶାସନ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷିତ ପ୍ରାର୍ଥୀଙ୍କୁ ବାଛି ଯେଉଁ ନୂଆ ଦିଶା ପ୍ରତି ଦୃଷ୍ଟିନିବଦ୍ଧ କରିଛନ୍ତି, ତାହା କେବଳ ବର୍ତ୍ତମାନ ନୁହେଁ; ଭବିଷ୍ୟତ ପାଇଁ ନୂଆ ଦିଗନ୍ତର ଦିଶା ଦେଖାଉଛି ବୋଲି କହିଛନ୍ତି ଦଳର ମୁଖପାତ୍ର ସୁଲତା ଦେଓ, ଲୋରା ମହାପାତ୍ର ଓ ସୋଫିଆ ଆଲାମ୍‍। ପଞ୍ଚାୟତ ନିର୍ବାଚନର ଅଭୂତପୂର୍ବ ସଫଳତା ଏବଂ ଯୁବ ଓ ମହିଳାଙ୍କ ହାତରେ ଶାସନ ଦାୟିତ୍ୱ ଅର୍ପଣ କରିଥିବା ଯୋଗୁଁ ଆଜି ଦଳର ମହିଳା ମୁଖପାତ୍ରମାନେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ରାଜନୀତିରେ ମହିଳାଙ୍କ ଭାଗିଦାରୀ ବୃଦ୍ଧିକୁ ଭୁରିଭୁରି ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଶାରେ ମହିଳା ସଶକ୍ତୀକରଣ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଐତିହାସିକ ବୋଲି ଶ୍ରୀମତୀ ଦେଓ, ଲୋରା ମହାପାତ୍ର ଓ ସୋଫିଆ ଆଲାମ କହିଛନ୍ତି।

Leave A Reply

Your email address will not be published.