ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୪ ଲକ୍ଷ ପରିବାରକୁ ବାସଗୃହରୁ ବଞ୍ଚିତ କରା ନ ଯାଉ

ଭୁବନେଶ୍ୱର,୨୨ା୩(ସମିସ): ଗ୍ରାମାଞ୍ଚଳର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ) କାର୍ଯ୍ୟକାରୀ ହୋଇଛି। ବିଡ଼ମ୍ବନା ହେଉଛି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ହିତାଧିକାରୀଙ୍କୁ ପିଏମ୍‍ଏୱାଇରେ ବାସଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେଉଥିବା ବେଳେ କୌଣସି କାରଣ ନ ଥାଇ ଓଡ଼ିଶାକୁ ଅବହେଳା କରୁଛନ୍ତି। ପରିଣାମ ସ୍ୱରୂପ ଆଜି ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ ପିଏମ୍‍ଏୱାଇ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଗତବର୍ଷ ମେ’ ୨୮ ତାରିଖରେ ମୁଖ୍ୟ ସଚିବ ଏବଂ ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବାସଗୃହ ମଞ୍ଜୁର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ଏବଂ ୨୦୨୦ ଡିସେମ୍ବର ୧୫ ତାରିଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଏ ନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଏହା ସତ୍ୱେ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। କେନ୍ଦ୍ର ସରକାରଙ୍କର ଏପରି ପାତରଅନ୍ତର ନୀତି ବିରୋଧରେ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଜ୍ୟ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶାର ଲୋକେ କିପରି ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
ବିଜୁ ଜନତା ସଂସଦୀୟ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି ଯେ ପିଏମ୍‍ଏୱାଇ-ଗ୍ରାମୀଣ ଯୋଜନାରେ ଓଡ଼ିଶାର ୧୩ ଲକ୍ଷ ୯୫ ହଜାର ପରିବାର ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ଯୋଜନାର ସ୍ଥାୟୀ ହିତାଧିକାରୀ ତାଲିକାରେ ସେମାନଙ୍କ ନାମ ସ୍ଥାନୀତ ହୋଇପାରି ନାହିଁ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ନିୟମ ଅନୁଯାୟୀ ‘ଆୱାସ୍‍ ପ୍ଲସ’୍‍ରେ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡ/ଜବ୍‍ କାର୍ଡ ଆଦିର ତଥ୍ୟ ଅପଲୋଡ୍‍ କରାଯିବା ସହ ଜିଓ ଟ୍ୟାଗିଂ କରାଯିବା ଆବଶ୍ୟକ। ୨୦୧୯ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ପାଇଁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ତେବେ ସେତେବେଳେ ରାଜ୍ୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବ୍ଲକ୍‍ସ୍ତରୀୟ ଅଧିକାରୀମାନେ ନିୟୋଜିତ ହୋଇଥିବାରୁ ଏହି ସମୟସୀମା ମଧ୍ୟରେ ୩୫ ହଜାର ବାସଗୃହକୁ ଆୱାସ ପ୍ଲସ୍‍ ଜରିଆରେ ଚିହ୍ନଟ କରାଯାଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ମନ୍ତ୍ରାଳୟ ପକ୍ଷରୁ ୧୪ଟି ଫନି ପ୍ରଭାବିତ ଜିଲ୍ଲା ପାଇଁ ଏକ ମାସ ପର୍ଯ୍ୟନ୍ତ ଆୱାସ ପ୍ଲସ୍‍ ୱିଣ୍ଡୋ ଖୋଲା ଯାଇଥିଲା। ଫଳରେ ଏହି ଜିଲ୍ଲା ଗୁଡ଼ିକରେ ୭ ଲକ୍ଷ ୮୭ ହଜାର ଏବଂ ଅଣପ୍ରଭାବିତ ଜିଲ୍ଲାରେ ଆଉ ୩୫ ହଜାର ବାସଗୃହ ଚିହ୍ନଟ କରାଯାଇଥିଲା। ଏହା ସତ୍ତ୍ବେ ୮ ଲକ୍ଷ ୨୨ ହଜାର ଯୋଗ୍ୟ ପରିବାର ପିଏମ୍‍ଏୱାଇରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଛନ୍ତି।
ଯେତେବେଳେ କି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ସିକ୍କିମ୍‍, ଲଦାଖ, ଦାଦ୍ରା ଓ ନଗର ହାବେଳି ଆଦି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀଙ୍କୁ ପିଏମ୍‍ଏୱାଇ ଘର ମିଳିଥିବା ବେଳେ ଓଡ଼ିଶାବାସୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ବର୍ତ୍ତମାନ ପିଏମ୍‍ଏୱାଇର ସ୍ଥାୟୀ ପ୍ରତିକ୍ଷା ତାଲିକାରେ ହିତାଧିକାରୀଙ୍କ ସଂଖ୍ୟା ପୂରଣ ହୋଇ ସାରିଥିବାରୁ ଓଡ଼ିଶାର ୫ ଲକ୍ଷ ୩୫ ହଜାର ହିତାଧିକାରୀ ଏଥିରେ ସ୍ଥାନ ପାଇପାରି ନାହାନ୍ତି। ଏପରିସ୍ଥଳେ ଯଦି ଚିହ୍ନଟ ହୋଇଥିବା ୮ ଲକ୍ଷ ୨୨ ହଜାର ପରିବାର ପିଏମ୍‍ଏୱାଇ ପ୍ରତୀକ୍ଷା ତାଲିକାରେ ସ୍ଥାନ ପାଉଛନ୍ତି ତା ହେଲେ ୫ ଲକ୍ଷ ୩୫ ହଜାର ବାସଗୃହକୁ ମଞ୍ଜୁରୀ ମିଳିପାରିବ। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ବାରମ୍ବାର ଅନୁରୋଧ ପରେ ବି ଫଣିରେ ପ୍ରଭାବିତ ହୋଇନଥିବା ୧୬ ଜିଲ୍ଲା ପାଇଁ ଆଜି ପର୍ଯ୍ୟନ୍ତ ଆୱାସ ପ୍ଲସ୍‍ ୱିଣ୍ଡୋ ଖୋଲାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ୱିଣ୍ଡୋ ଖୋଲୁନଥିବାରୁ ଏହି ଜିଲାମାନଙ୍କରେ ଜିଓ ଟ୍ୟାଗିଂ ଏବଂ ଆଧାର ସଂଯୋଗ ହୋଇଥିବା ୫.୭୨ ଲକ୍ଷ ଯୋଗ୍ୟ ବାସଗୃହକୁ ରାଜ୍ୟ ପ୍ରସ୍ତୁତ କରିଥିବା ଗ୍ରାମାଞ୍ଚଳ ବାସଗୃହ ପୋର୍ଟାଲ ଦ୍ୱାରା ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ଚାହିଁଲେ ଏହି ତଥ୍ୟକୁ ନେଇ ଆୱାସ ପ୍ଲସ୍‍ରେ ସଂଯୋଗ କରିପାରିବେ। ତେଣୁ ଓଡ଼ିଶାର ୧୩.୯୫ ଲକ୍ଷ ଯୋଗ୍ୟ ପରିବାରର ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ପିଏମ୍‍ଏୱାଇର ସ୍ଥାୟୀ ହିତାଧିକାରୀ ତାଲିକାରେ ସାମିଲ କରିବା ପାଇଁ ଦାବି କରାଯାଇଛି। ବିଜୁ ଜନତା ସଂସଦୀୟ ଦଳର ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ଅମର ପଟ୍ଟନାୟକ, ସୁଜିତ କୁମାର, ଡ଼ ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀ, ସୁବାସ ସିଂହ, ମୁନ୍ନା ଖାନ୍‍ ଏବଂ ଏନ୍‍ ଭାସ୍କର ରାଓ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

Leave A Reply

Your email address will not be published.