କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦକୁ ନେଇ ସଂସଦରେ ପ୍ରଶ୍ନକଲେ ମାନସ ମଙ୍ଗରାଜ, କେନ୍ଦ୍ରମନ୍ତ୍ରୀ କହିଲେ …..

ଭୁବନେଶ୍ବର : ଅନୁନ୍ନତ ପଛୁଆ  ଅଞ୍ଚଳ ଭାବେ ପରିଚିତ ଆଦିବାସୀ ବହୁଳ କଳାହାଣ୍ଡି-ବଲାଙ୍ଗିର-କୋରାପୁଟ(କେବିକେ) ଜିଲ୍ଲାରେ ଶିକ୍ଷାର ବିକାଶ ଓ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ କମ ଖର୍ଚ୍ଚରେ ଉଚ୍ଚଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୦୯ ମସିହାରେ ତତ୍କାଳୀନ ୟୁପିଏ ସରକାର କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନା କରିଥିଲେ। କୋରାପୁଟ ଭଳି ଏକ ଉପାନ୍ତ ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ସରକାର ଘୋଷଣା କରିବା ମାତ୍ରେ ସ୍ଥାନୀୟ ଅଞ୍ଚଳ ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଖୁସିର ଲହର ଦେଖିବାକୁ ମିଳିଥିଲା। ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା କେବିକେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନୂଆ ଆଶା ସଞ୍ଚାର କରିଥିଲା। ହେଲେ ବିଡ଼ମ୍ବନାର ବିଷୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ୧୪ ବର୍ଷ ପରେ ମଧ୍ୟ ନାନା ସମସ୍ୟା ଭିତରେ ବୁଡ଼ି ରହିଛି। ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି କିନ୍ତୁ ଆଶାନୁଯାୟୀ ଫଳ ପାଇ ନ ପାରି ନିରାଶ ହେଉଛନ୍ତି। ଯାହାକୁ ନେଇ ଆଜି ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ।

କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୦ଟି ବୈଷୟିକ କର୍ମଚାରୀ(ଟେକ୍ନିକାଲ୍‌ ଷ୍ଟାଫ୍‌) ପଦ ଖାଲି ପଡ଼ିଛି । ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨ହଜାରରୁ ଅଧିକ ପଦ ଖାଲି ଥିବାବେଳେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୦ଟି ପଦ ଖାଲି ପଡ଼ିଛି । ୨୦୨୨-୨୩ରେ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଟେକ୍ନିକାଲ ଷ୍ଟାଫ ପ୍ରସଙ୍ଗରେ ସଂସଦରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାଷ ସରକାର ଏହି ଉତ୍ତର ରଖିଛନ୍ତି ।
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ବୈଷୟିକ କର୍ମଚାରୀ ବିଶେଷ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲିଥିବା ପଦଗୁଡିକୁ ପୂରଣ ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ ସାଂସଦ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ ।

ରାଜ୍ୟସଭାରେ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାଷ ସରକାର କହିଛନ୍ତି ଖାଲିଥିବା ପଦର ପୂରଣ ଲାଗି ଦ୍ରଷ୍ଟବ୍ୟରେ ଦର୍ଶାଯାଇଛି । ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୮୭ଟି ଶିକ୍ଷକ ପଦ ଓ ୯୫ଟି ଅଣଶିକ୍ଷକ କର୍ମଚାରୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୯୧ଟି ଟେକନିକାଲ୍‌ ପଦ ଖାଲି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଅବଗତ କରାଇଛନ୍ତି ।

ତେବେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ଯୁବ ବର୍ଗ ପ୍ରିନିଧିତ୍ୱ କରିବା ଉଦ୍ଦେଶ୍ୟରେ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହୋଇଥିଲେ ହେଁ ଆଜି ଯାଏଁ ଏହାକୁ ମୌଳିକ ସୁବିଧା ସୁଯୋଗ ମିଳି ପାରିନି। ଶିକ୍ଷାନୁଷ୍ଠାନ ପାଇଁ ପ୍ରମୁଖ ଆବଶ୍ୟକତା ଥିବା ଶିକ୍ଷକମାନଙ୍କୁ ଆଜି ଯାଏଁ ନିଯୁକ୍ତ କରାଯାଇନି । ଉଚ୍ଚଶିକ୍ଷା କ୍ଷେତ୍ରରେ କମୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ପାଇଁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଏହାର ପ୍ରତିଷ୍ଠା କରାଯାଇଥିଲା । ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକତା ଅନୁଯାୟୀ ବିଭାଗ ମଧ୍ୟ ଖୋଲିନି ।

ଓଡିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଭଳି ଭାଷା ସହିତ ନୃତତ୍ୱ, ସମାଜ ବିଜ୍ଞାନ, ଅର୍ଥନୀତି, ସାମ୍ୱାଦିକତା ଓ ଗଣ ଯୋଗାଯୋଗ, ଶିକ୍ଷା, ଗଣିତ, କମ୍ପ୍ୟୁଟର୍‌ ବିଜ୍ଞାନ, ପରିସଂଖାନ, ବ୍ୟବସାୟ ପ୍ରବନ୍ଧନ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଆଦିକୁ ମିଶାଇ ମୋଟ୍‌ ୧୪ଟି ବିଷୟରେ ସ୍ନାତକୋତ୍ତର ପାଠପଢା ବ୍ୟବସ୍ଥା ଅଛି । ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ପିଏଚ୍‌ଡି ମଧ୍ୟ ଖୋଲିଛି । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୯ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ହେଁ ଅଧିକାଂଶ ବିଭାଗରେ ନିୟମିତ ପ୍ରଫେସର ଓ ସହଯୋଗୀ ପ୍ରଫେସର ନାହାନ୍ତି । ହେଲେ ୧୪ ବିଭାଗ ପାଇଁ ଅନୁମୋଦିତ ପଦର ମାତ୍ର ୧୨ ପ୍ରତିଶତ ଶିକ୍ଷକ ନିୟୋଜିତ ଅଛନ୍ତି । ଅତିଥି ଶିକ୍ଷକଙ୍କ ଭରସାରେ ପରିଚାଳିତ ହେଉଛି ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ବ୍ୟବସ୍ଥା । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ସାଂସଦ ଶ୍ରୀ ମଙ୍ଗରାଜ ସଂସଦରେ ଉତଥାପନ କରିଥିବାବେଳେ ବିଶ୍ୱବିଦ୍ୟାଳୟର ୮୭ଟି ଶିକ୍ଷକ ପଦ ଓ ୯୫ଟି ଅଣଶିକ୍ଷକ ପଦରେ ଚୟନ ପାଇଁ ପ୍ରକ୍ରିୟା ଜାରିଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ।

Leave a comment