ନାରୀ ସଶକ୍ତିକରଣ ଓ ଯୁବ ନେତୃତ୍ୱରେ ବିଜେଡି ରଚିଲା ଇତିହାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ୭୦% ମହିଳା

ଭୁବନେଶ୍ୱର : ଅଖ୍ୟାତ ଅଞ୍ଚଳ କାଶୀପୁରର ସରସ୍ୱତୀ ମାଝି ଏବେ ରାୟଗଡ଼଼଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ। ସ୍ୱାଭିମାନ ଅଞ୍ଚଳର ଯୁବତୀ ସମାରୀ ଡାଙ୍ଗୁଲୁ ହୋଇଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲାରେ ବିକାଶର ବାର୍ତ୍ତାବହ। ସମ୍ବଲପୁର ବାମରା ଅଞ୍ଚଳର କୁମୁଦିନୀ ନାଏକ, କୋରାପୁଟର ସସ୍ମିତା ମେଲେକା, କନ୍ଧମାଳର ନନ୍ଦିନୀ ମଲ୍ଲିକ ଓ ସୁନ୍ଦରଗଡ଼଼଼ ଜିଲ୍ଲା ଟାଙ୍ଗରପାଲି ଅଞ୍ଚଳର କୁନ୍ତୀ ପ୍ରଧାନ ଲେଖିବେ ନୂଆ ଇତିହାସ। ଏହି ଯୁବତୀ ଓ ମହିଳାମାନେ କେବଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ନାହାନ୍ତି; ଭବିଷ୍ୟତ ପିଢ଼ି ପାଇଁ ମହିଳା ସଶକ୍ତୀକରଣ ଓ ନବ ନେତୃତ୍ୱର ନୂଆ ପରିଭାଷା ସୃଷ୍ଟି କରିଛନ୍ତି। ନବୀନଙ୍କ ବିକାଶ ରଣନୀତିରେ ସେମାନେ ଜଣେ ଜଣେ ଯୋଦ୍ଧା ଭାବରେ ଉଭା ହୋଇଛନ୍ତି। କେବଳ ରାଜନୈତିକ ପୃଷ୍ଠଭୂମିରୁ ବା ରାଜନୈତିକ ପରିବାରରୁ ଆସିଥିବା ମହିଳାମାନେ ଯେ ରାଜନୀତି କରିପାରିବେ ସେ ଧାରଣାକୁ ଏମାନେ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟର ବିକାଶ ନିମନ୍ତେ ୨୧ ଜିଲ୍ଲାରେ ମହିଳାମାନଙ୍କୁ ବିକାଶର ସାରଥି କରି ମୁଖ୍ୟମନ୍ତ୍ରୀ ସାରା ଦେଶକୁ ଆଉ ଏକ ନୂଆ ବାର୍ତ୍ତା ଦେଇଛନ୍ତି।

ନାରୀମାନଙ୍କ ବିକାଶ ବିନା ପରିବାର ତଥା ସମାଜର ବିକାଶ ସମ୍ଭବ ନୁହେଁ ବୋଲି ସର୍ବଦା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ କହି ଆସୁଥିଲେ। ନବୀନ ତାଙ୍କର ପଦାଙ୍କ ଅନୁସରଣ କରି ମହିଳାଙ୍କୁ ସଶକ୍ତ ଓ ନେତୃତ୍ୱ ପ୍ରଦାନ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି। କେବଳ ପରିବାର ନୁହେଁ; ସମାଜର ନେତୃତ୍ୱ ନେବା କ୍ଷେତ୍ରରେ ମଧ୍ୟ ମହିଳାମାନେ ଯେ ସକ୍ଷମ, ତାହା ପ୍ରମାଣ କରି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିର ନେତୃତ୍ୱ ନେଇ ରାଜ୍ୟର କୋଟିକୋଟି ମହିଳା କେବଳ ସ୍ୱାବଲମ୍ବୀ ହୋଇ ନାହାନ୍ତି; ପକ୍ଷାନ୍ତରେ ନିଜ ପରିବାର, ଗାଁ, ଜିଲ୍ଲାର ବିକାଶରେ ଭାଗିଦାର ହୋଇପାରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଉଥିବା ଆସ୍କାର ସ୍ୱଳ୍ପ ଶିକ୍ଷିତା ପ୍ରମିଳା ବିଶୋୟୀ ସଂସଦରେ ନେତୃତ୍ୱର ଦମ୍ଭ ଦେଖାଇ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ଦଳିତ, ଆଦିବାସୀ, ପଛୁଆ, ଆର୍ଥିକ ଅନଗ୍ରସର ବର୍ଗ ପରି ସମାଜର ଦୁର୍ବଳ ଶ୍ରେଣୀର ପ୍ରତିଭାଶାଳୀ ମହିଳା ଓ ଯୁବତୀମାନଙ୍କୁ ନେତୃତ୍ୱ ନେବାର ସୁଯୋଗ ଦିଆଯାଇଛି। ସେମାନଙ୍କ ମଧ୍ୟରେ ରହିଥିବା ଦକ୍ଷତାକୁ ଉପଯୋଗ କରି ତୃଣମୂଳସ୍ତରରେ ‘ବିକାଶ’କୁ ପହଞ୍ଚାଇବା ପାଇଁ ଏକ ନୂଆ ପଟ୍ଟଭୂମି ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ। ନାରୀ ସଶକ୍ତିକରଣ, ଯୁବ ନେତୃତ୍ୱ କ୍ଷେତ୍ରରେ ବିଜେଡି ସୃଷ୍ଟି କରିଛି ଇତିହାସ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ୭୦ ପ୍ରତିଶତ ମହିଳାଙ୍କୁ ଆସୀନ କରିଛି ଦଳ।

ଏପରିକି ଅଖ୍ୟାତ ପଲ୍ଲୀର ଝିଅମାନଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଦେଇ ନେତୃତ୍ୱ ନେବାର ସୁଯୋଗ ଦେଇଛନ୍ତି। ଉପାନ୍ତରୁ ଉପକୂଳ, ଉତ୍ତରରୁ ସ୍ୱାଭିମାନ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ମହିଳାମାନଙ୍କ ଉପରେ ନ୍ୟସ୍ତ ହୋଇଛି ଜିଲ୍ଲାର ଶାସନ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଅଞ୍ଜଳି ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟର ସବୁଠୁ ଶିକ୍ଷିତ ଜିଲ୍ଲା ଖୋର୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ନେଇଛନ୍ତି ରୂପଶ୍ରୀ ଗୁମାନ ସିଂହ। ଖଣି ସମୃଦ୍ଧ ଜିଲ୍ଲା କେନ୍ଦୁଝର ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜ, କୋରାପୁଟର ଦାୟିତ୍ୱ ମଧ୍ୟ ଯଥାକ୍ରମେ ତିନି ମହିଳା ସାଗରିକା ସାହୁ, ଭାରତୀ ହାଁସଦା ଓ ସସ୍ମିତା ମେଲେକାଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନୁରୂପ ଭାବରେ କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, ଢେଙ୍କାନାଳ, ଅନୁଗୋଳ, ବରଗଡ଼଼଼, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ପୁରୀ ଆଦି ଜିଲ୍ଲାର ପରିଷଦ ଅଧ୍ୟକ୍ଷ ଭାବରେ ମହିଳାମାନେ ଦାୟିତ୍ୱ ନେଇଛନ୍ତି।

ଜାତୀୟସ୍ତରରେ ପଛୁଆ ଓ ମହିଳା ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନୀତି କରୁଛନ୍ତି। ଅନ୍ୟପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେବଳ ପ୍ରସ୍ତାବ ଓ ଆଗ୍ରହ ଦେଖାଇ ଚୁପ୍‍ ବସିନାହାନ୍ତି; ମହିଳା ଓ ପଛୁଆ ବର୍ଗଙ୍କୁ ରାଜନୈତିକ ସଂରକ୍ଷଣ ଦେଇ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସାଜିଛନ୍ତି। ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଅସଂରକ୍ଷିତ ୪୬୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪୦୬ଟି ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି; ଯାହା ମୋଟ ଅସଂରକ୍ଷିତ ଆସନର ୮୭%ରୁ ଅଧିକ। ସେହିପରି ମୋଟ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪୮% ଆସନରେ ମଧ୍ୟ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରି ଅନ୍ୟ ରାଜନୈତିକ ଦଳ ପାଇଁ ଆହ୍ୱାନ ସୃଷ୍ଟି କରିଥିଲେ ନବୀନ; ଯାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରିଥିଲେ। ଏବେ ଜିଲ୍ଲା ପରିଷଦରେ ମହିଳାମାନଙ୍କ ଜୟଯାତ୍ରା ସାରା ଦେଶରେ ନୂଆ ଇତିହାସ ସୃଷ୍ଟି କରିଛି ଏବଂ ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ପାଇଁ ଉଦାହରଣ ହୋଇଛି।

Leave a comment