ଆଚରଣ ବିଧି ଉଲ୍ଲଂଘନ କରୁଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ଓ ବ୍ୟାନ୍‌ର ହଟାଇବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିସାରିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ କରିବା ପରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାର ଏବଂ ବିଭିନ୍ନ ଦଳର ପୋଷ୍ଟର ଓ ବ୍ୟାନ୍‌ର ହଟାଇବାକୁ ନିର୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ରାଜ୍ୟରେ ପୋଷ୍ଟର ଓ ବ୍ୟାନ୍‌ର ହଟାଇବା କାର୍ଯ୍ୟ ଜାରି ରହିଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପୋଷ୍ଟର ଓ ବ୍ୟାନ୍‌ର ଲାଗିଛି।

ରାଜ୍ୟର ବିଭିନ୍ନ ଛକ ଜାଗା, ପେଟ୍ରୋଲ ପମ୍ପ, ବିମାନବନ୍ଦର, ଜାତୀୟ ରାଜପଥ କଡ଼, କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏଭଳି ହୋଡିଂ ବ୍ୟାନ୍‌ର ରହିଛି।ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଇଛି ବିଜେଡ଼ି। ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ବରେ ବିଜେଡ଼ିର ଏକ ପ୍ରତିନିଧି ଦଳ କମିଶନରଙ୍କୁ ଭେଟିଛି ।ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟର ରାସ୍ତା କଡ଼ରେ ଏବଂ ପେଟ୍ରୋଲ ପମ୍ପ ସହ ବହୁ ସ୍ଥାନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବ୍ୟାନର ଏବଂ ହୋର୍ଡିଂ ଲାଗିଛି। ତେଣୁ ତୁରନ୍ତ ସେଗୁଡ଼ିକୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବଚନ କମିଶନରଙ୍କ ନିକଟରେ ଦାବି କରିଛି ଦଳ।

Leave a comment