Latest Odisha News, Breaking News Today | Top Updates on Corona

୧୨ ବର୍ଷରେ ନିବେଶକଙ୍କୁ ମାଲେମାଲ୍‌ କରିଛି ବିଟ୍‌ କଏନ୍‌

ମୂଲ୍ୟ ୬ ପଇସାରୁ ୪୦ ଲକ୍ଷ ଛୁଇଁଛି

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ ଏବେ ପୁଣିଥରେ ଚର୍ଚ୍ଚାରେ ରହିଛି। ଶୁକ୍ରବାର ଏହାର ମୂଲ୍ୟ ୫୬ ହଜାର ଡଲାର(ପ୍ରାୟ ୪୦ ଲକ୍ଷ ୬୨ ହଜାର ଟଙ୍କା) ପାର କରିଛି। ଏହା ସହିତ ପ୍ରଥମ ଥର ପାଇଁ ବିଟ୍‌ କଏନର ବଜାର ପୁଞ୍ଜି ଏକ ଟ୍ରିଲିୟନ ଡଲାର(ଏକ ଲକ୍ଷ କୋଟି ଡଲାର) ପାର କରିଛି। ଏବେ ଏହାର ମୂଲ୍ୟ ୫୬୩୯୯.୯୯ ଡଲାରରେ ପହଞ୍ଚିଛି। ତେବେ ୨୦୦୯ରେ ଲଞ୍ଚ ସମୟରେ ବିଟ୍‌ କଏନର ମୂଲ୍ୟ ମାତ୍ର ୦.୦୬୦ ଟଙ୍କା ରହିଥିଲା। ଅର୍ଥାତ୍ ପ୍ରାୟ ୧୨ ବର୍ଷ ମଧ୍ୟରେ ବିଟ୍‌ କଏନ ମୂଲ୍ୟ ଶୂନରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି। ୨୦୧୦ରେ ପ୍ରଥମ ଥର ପାଇଁ ଏହାର ମୂଲ୍ୟ ଦ୍ରୁତ ବୃଦ୍ଧି ପାଇଥିଲା। ସେତେବେଳେ ଏହା ୦.୦୦୦୮ ଡଲାରରୁ ବୃଦ୍ଧି ପାଇ ୦.୦୮ ଡଲାରରେ ପହଞ୍ଚିଯାଇଥିଲା। ଏହା ପରେ ମୂଲ୍ୟରେ ହ୍ରାସବୃଦ୍ଧି ଜାରି ରହିଥିଲା।

ଦେଖନ୍ତୁ ନଟିଆ କମେଡି

୨୦୧୧ ଏପ୍ରିଲରେ ବିଟକଏନ ମୂଲ୍ୟ ଏକ ଡଲାର ଥିଲା। ପରେ ଜୁନ ମାସରେ ଏହା ୩୨ ଡଲାରକୁ ବୃଦ୍ଧି ପାଇଥିଲା। ଏପରି ଭାବରେ ୩ ମାସ ମଧ୍ୟରେ ମୂଲ୍ୟ ୩୨୦୦ ପ୍ରତିଶତ ବଢିଥିଲା, କିନ୍ତୁ ପରେ ଏହାର ମୂଲ୍ୟରେ ଦ୍ରୁତ ହ୍ରାସ ପାଇଥିଲା। ୨୦୧୧ ନଭେମ୍ବର ବେଳକୁ ଏହାର ମୂଲ୍ୟ ମାତ୍ର ୨ ଡଲାର ଥିଲା। ପରେ ୨୦୧୨ରେ ଏହା ସାମାନ୍ୟ ବୃଦ୍ଧି ପାଇଥିଲା। ସେହି ବର୍ଷ ମେ’ରେ ବିଟ କଏନ ମୂଲ୍ୟ ୪.୮୦ ଡଲାର ଏବଂ ଅଗଷ୍ଟ ୧୫ରେ ୧୩.୨୦ ଡଲାର ହୋଇଥିଲା। ବିଟ୍‌ କଏନ ୨୦୧୩ ଏପ୍ରିଲ ପ୍ରାରମ୍ଭରେ ଏହା ୨୨୦ ଡଲାରରେ ପହଞ୍ଚିଥିଲା। ଡିସେମ୍ବରରେ ଏହା ୧୧୫୬.୧୦ ଡଲାରରେ ପହଞ୍ଚିଥିଲା। କିନ୍ତୁ ଏହାର ତିନି ଦିନ ପରେ ମୂଲ୍ୟ ୭୬୦ ଡଲାରକୁ ଖସି ଆସିଥିଲା। ସେହିପରି ୨୦୧୫ ପ୍ରାରମ୍ଭରେ ଏହାର ମୂଲ୍ୟ ୩୧୫ ଡଲାର ରହିଥିଲା। ପରେ ୨୦୧୭ ମାର୍ଚ୍ଚ ୨୫ରେ ଏହା ୯୭୫.୭୦ ଡଲାରରେ ଥିଲା ଏବଂ ଡିସେମ୍ବର ୧୭ରେ ୨୦୦୮୯ ଡଲାରରେ ପହଞ୍ଚି ଥିଲା। ଏହି ବୃଦ୍ଧି ଯୋଗୁଁ ବିଟକଏନ ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ପରେ କରୋନା କାଳରେ ୨୦୨୦ରେ ପୁଣି ବିଟକଏନ ମୂଲ୍ୟ ବୃଦ୍ଧି ପାଇଥିଲା। ୨୦୨୦ ଡିସେମ୍ବରରେ ଏହାର ମୂଲ୍ୟ ୨୪ ହଜାର ଡଲାରରେ ପହଞ୍ଚି ଯାଇଥିଲା। ପରେ ଚଳିତ ବର୍ଷ ଜାନୁଆରୀରେ ଏହା ୪୦ ହଜାର ଡଲାର ସ୍ତର ପାର କରିଥିଲା। ଚଳିତ ସପ୍ତାହରେ ଏହା ୧୪ ପ୍ରତିଶତ ଏବଂ ଚଳିତ ମାସ ଏ ପର୍ଯ୍ୟନ୍ତ ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି।

0Shares
0