ଶତାବ୍ଦୀର ନାୟକ ଉତ୍କଳ ଗୌରବ ମଧୁସୂଦନ ଦାସ

‘ତୁମ ପରି ଛୋଟ ପିଲାଟିଏ
ଗାଆଁ ଚାହାଳିର ଚାଟ ସିଏ
ଚେହେରାଟି ତା’ର ଡଉଲ ଡାଉଲ
ବୁଦ୍ଧିରେ ତାହାର ସରି କିଏ’

ଏହି ପଦ୍ୟାଂଶଟି ମନେ ପକାଇଦିଏ ଓଡ଼ିଆ ଜାତିର ତ୍ରାଣକର୍ତ୍ତା, ମୁକ୍ତିଦାତା,କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଗାଁ ପରିବେଶ, ଚାଟଶାଳୀ ଶିକ୍ଷା ସର୍ବୋପରି ଦେଶମାତୃକା ପ୍ରତି ଥିବା ଭଲ ପାଇବା। ଓଡ଼ିଆ ଜନମାନସରେ ସେ ମଧୁବାବୁ ଏବଂ ମଧୁ ବାରିଷ୍ଟର ଭାବେ ପରିଚିତ ।  ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ୍‌ ବିନ୍ଧାଣୀ ତଥା କୋଟି କୋଟି ଓଡ଼ିଆଙ୍କ ପ୍ରିୟ ମଧୁବାବୁଙ୍କର ଆଜି ଜନ୍ମ ଜୟନ୍ତୀ। ଜଣେ ନିଜ ପାଇଁ ସ୍ବପ୍ନ ଦେଖିଲେ, ଜାତି ପାଇଁ ସ୍ବପ୍ନ ଦେଖିବ, ଏହାହିଁ ଥିଲା ମଧୁବାବୁଙ୍କ କଥା। ତାଙ୍କର ଜାତିପ୍ରେମ, ସ୍ବାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସମସାମୟିକ କାଳରୁ ଢେର୍‌ ଆଗରେ ଥିଲା। ତାଙ୍କ ଚିନ୍ତା ଚେତନାକୁ ସଦା-ସର୍ବଦା ଆଚ୍ଛାଦିତ କରି ରଖିଥିଲା, ମୁଖ୍ୟତଃ ଦୁଇଟି ପ୍ରସଙ୍ଗ – ଓଡ଼ିଶା ଓ ଓଡ଼ିଆ। ସ୍ବାଭିମାନୀ ପୁରୁଷ ମଧୁବାବୁଙ୍କ ତ୍ୟାଗ, ସେବା, ପରୋପକାର ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଉଥିବ।

୧୮୪୮ ମସିହା ଆଜିର ଦିନରେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଏବଂ ମାତାଙ୍କ ନାମ ପାର୍ବତୀ ଦେବୀ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ତାଙ୍କ ଭିତରେ ଥିବା ମହାନ୍ ଗୁଣମାନ ବାସି ଉଠିଥିଲା। ସେ ଗାଁ ଚାହାଳିରୁ ପାଠପଢା ସାରି ହାଇସ୍କୁଲ ପାଠ ପଢିବା ପାଇଁ କଟକ ଆସିଥିଲେ। ଗଭର୍ଣ୍ଣମେଣ୍ଟ ଜିଲ୍ଲା ସ୍କୁଲରେ ସେ ନିଜର ହାଇସ୍କୁଲ ଶିକ୍ଷା ସାରି ଉଚ୍ଚଶିକ୍ଷା ପାଇଁ କଲିକତା ଯାଇଥିଲେ। କଲିକତା ବିଶ୍ବବିଦ୍ୟାଳୟରୁ ବି.ଏଲ୍‌. ପାସ୍‌ କରିବା ପରେ ସେ ସେଠାରେ ଓକିଲାତି ଆରମ୍ଭ କରିଥିଲେ। କଲିକତାରୁ ଫେରି କଟକରେ ଓକିଲାତି କରିବା ପରେ ଲୋକେ ତାଙ୍କୁ ମଧୁ ବାରିଷ୍ଟର୍ ବୋଲି ସମ୍ବୋଧନ କଲେ। ସେ ଉତ୍କଳ ଟାନେରୀ ଓ ଓଡ଼ିଶା ତାରକସି ନାମକ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ।

ମଧୁବାବୁ ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସାରା ଜୀବନ ସେ ସଂଗ୍ରାମ କରିଥିଲେ। ତାଙ୍କରି ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷାଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । କିନ୍ତୁ ତାଙ୍କ ସ୍ବପ୍ନ ସାକାର ହେବା ପୂର୍ବରୁ ସେ ପରଲୋକଗମନ କରିଥିଲେ। ମଧୁବାବୁ ଥିଲେ ଖୁବ୍ ସ୍ବାଭିମାନୀ। ଓଡ଼ିଆକୁ ନେଇ ସେ ଖୁବ୍ ଗର୍ବ ଅନୁଭବ କରୁଥିଲେ। ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ଏହି ମହାପୁରୁଷଙ୍କର ପରଲୋକ ଘଟିଥିଲା। ସେ ତାଙ୍କର ଜୀବଦ୍ଦଶାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ବହୁବାର ଉଦ୍‌ବୋଧନ ଦେଇ ସ୍ବାଭିମାନର ସହ ବଞ୍ଚିବାକୁ ପରାମର୍ଶ ଦେଉଥିଲେ। କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଉକ୍ତିରେ ମଧୁସୂଦନ ଯଥାର୍ଥରେ ଶତାବ୍ଦୀର ସୂର୍ଯ୍ୟ।

Leave a comment