ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା : ୩ ମୃତ, ୨ ଗୁରୁତର

ନୟାଗଡ଼/ଶରଣକୁଳ : ନୟାଗଡ଼ ଜିଲ୍ଲା ଶରଣକୁଳରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସୂଚନାନୁସାରେ, ଶରଣକୁଳ ନିକଟସ୍ଥ ଜଗନ୍ନାଥପୁର ଗ୍ରାମର ମନୁ ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଏକ ବାଇକରେ ପଥରକଟା ଗ୍ରାମର ୩ ଜଣ ଆସୁଥିଲେ । ବାଇକ ମୁହାଁମୁହିଁ ହେବା ଫଳରେ ମନୁ ନାୟକ, କୃଷ୍ଣଚନ୍ଦ୍ର ନାୟକ ଏବଂ ପଥରକଟା ଗ୍ରାମର ଶ୍ୟାମ ସୁନ୍ଦର ସେଠୀଙ୍କ ମୃତ୍ୟୁ ଘଟିଥିବା ଶରଣକୁଳ ଥାନା ଏସ୍ଆଇ ବିରଞ୍ଚି ନାରାୟଣ ଅମାତ୍ ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରାଯାଇଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ କିଛି ମାସ ତଳେ ଶରଣକୁଳଠାରେ ଏହ ହାଇୱା ଧକ୍କାରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଗତକାଲି ଜଗନ୍ନାଥପୁର ତଥା ଶରଣକୁଳ ଏସ୍ଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଘଟିଥିବା ଏହି ଦୁର୍ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।